ହାତୀ ମଡକର ତଦନ୍ତ : କର୍ଲାପାଟ ଅଭୟାରଣ୍ୟରେ କେନ୍ଦ୍ରୀୟ ଟିମ୍‍

ଭବାନୀପାଟଣା : କଳାହାଣ୍ଡି ଜିଲ୍ଲାର କର୍ଲାପାଟ ଅଭୟାରଣ୍ୟରେ ଗତ ୧ ତାରିଖ ରୁ ୧୪ ତାରିଖ ମଧ୍ୟରେ ୬ ଟି ହାତୀ ମୃତ ଘଟଣାର କେନ୍ଦ୍ର ପରିବେଶ ଓ ଜଙ୍ଗଲ ବିଭାଗର ବିଶେଷଜ୍ଞ ଦଳ କର୍ଲାପାଟ ଅଞ୍ଚଳ ଗସ୍ତ କରିବା ସହିତ ଜଙ୍ଗଲ ଓ ପ୍ରାଣୀ ଚିକିତ୍ସା ବିଭାଗ ଅଧିକାରୀଙ୍କ ସହିତ ବୈଠକ କରିଛନ୍ତି।
ହାତୀ ମୃତ୍ୟୁର କାରଣ ହ୍ୟୁମରେଜିକ ସେଫଟିସେମିଆ ବା ସାହାଣା ରୋଗ ବୋଲି ପ୍ରାଥମିକ ରିପୋର୍ଟ ରହିଥିଲେ ମଧ୍ୟ କେନ୍ଦ୍ରୀୟ ଟିମ୍‍ ମୃତ୍ୟୁର କାରଣ ନେଇ ଯାଞ୍ଚ କରୁଛନ୍ତି। ଏଣୁ ହାତୀ ମୃତ୍ୟୁ ଅଞ୍ଚଳ ତଥା ହାତୀ ପିଉଥିବା ନାଳ ତଥା ନିକଟସ୍ଥ ଗାଁକୁ ଟିମ୍‍ ପରିଦର୍ଶନ କରୁଛନ୍ତି । ଅଭୟାରଣ୍ୟର ହାତୀ କିପରି ସଂକ୍ରମିତ ହେଲେ ତାକୁ ନେଇ ଅଧିକ ଅନୁଧ୍ୟାନ ପରେ ରିପୋର୍ଟ ପ୍ରସ୍ତୁତ କରିବେ। ଅଭୟାରଣ୍ୟରେ ହାତୀ ସୁରକ୍ଷା ପାଇଁ କ’ଣ କ’ଣ ପଦକ୍ଷେପର ଆବଶ୍ୟକତା ରହିଛି ତାକୁ ନେଇ ଉଚ୍ଚସ୍ତରୀୟ କମିଟି କେନ୍ଦ୍ର ୱାଇଲ୍‍ଡ ଲାଇଫ୍‍ ଇନ୍‍ଷ୍ଟିଚ୍ୟୁଟ୍‍ ଓ କେନ୍ଦ୍ର ପ୍ରୋଜେକ୍ଟ ଏଲିଫେଣ୍ଟକୁ ରିପୋର୍ଟ ପ୍ରଦାନ କରିବେ। ଏହି ଟିମରେ ସେଣ୍ଟର ଅଫ୍‍ ୱାଇଲ୍‍ଡ ଲାଇଫର ବୈଜ୍ଞାନିକ ଡକ୍ଟର କରିକାଲନ ମାଥ୍ୟୁସ, ନ୍ୟାସନାଲ ଏଲିଫ୍ୟାଣ୍ଟ ସେଣ୍ଟରର କୋ-ଅର୍ଡିନେଟର ଡଃ. ପ୍ରଜ୍ଞା ପି. ପଣ୍ଡା ଏବଂ ଓୟୁଏଟି ବୈଜ୍ଞାନିକ ଡକ୍ଟର ନିରଞ୍ଜନ ସାହୁ ପ୍ରମୁଖ ବିଶେଷଜ୍ଞମାନେ କର୍ଲାପାଟ ଗସ୍ତ କରିଛନ୍ତି।

Comments are closed.