କପିଳେଶ୍ବର ମନ୍ଦିରରୁ ଦୂରହେଲା ଅଚଳାବସ୍ଥା : ଆଜି ଖୋଲିବ ତାଲା

ଭୁବନେଶ୍ୱର : କପିଳେଶ୍ବର ମନ୍ଦିରରେ ଅଚଳାବସ୍ଥା ସୋମବାର ଦୂର ହୋଇଛି। ଉଭୟ ମଲିଆ ଓ ଖୁଣ୍ଟିଆ ନିଯୋଗ ସେବାୟତ ପ୍ରତିନିଧି ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ତଥା ଉପ ଜିଲାପାଳ ଦେବବ୍ରତ ସାହୁଙ୍କ ଉପସ୍ଥିତିରେ ସେବାପୂଜା ଲାଗି ସମ୍ମତି ପ୍ରକାଶ କରିଛନ୍ତି। ଆସନ୍ତାକାଲିଠାରୁ ମନ୍ଦିରର ତାଲା ଖୋଲି ସେମାନେ ସେବାପୂଜା କରିବେ ବୋଲି ପ୍ରଶାସନକୁ ପ୍ରତିଶ୍ରୁତି ଦେଇଛନ୍ତି।
ସୋମବାର ଉଭୟ ନିଯୋଗ ସେବାୟତ ପ୍ରତିନିଧି ଉପଜିଲାପାଳଙ୍କ କାର୍ଯ୍ୟାଳୟରେ ଏନେଇ ଆଲୋଚନା କରିଥିଲେ। ଉପଜିଲାପାଳ ଖୁଣ୍ଟିଆ ସେବାୟତଙ୍କ ଉପସ୍ଥିତିରେ ମଲିଆ ସେବାୟତଙ୍କୁ ମନ୍ଦିରର ଚାବି ହସ୍ତାନ୍ତର କରିଥିଲେ। ଆସନ୍ତାକାଲି ସାଢ଼େ ୫ଟାରେ ମନ୍ଦିର ପହଡ଼ ଖୋଲିବା ପରେ ଉଭୟ ନିଯୋଗ ସେମାନଙ୍କ ନୀତିକାନ୍ତି କରିବେ। ଆଇନଶୃଙ୍ଖଳା ବ୍ୟାହତ ହେବାର ଆଶଙ୍କା କରି ଶ୍ରୀଲିଙ୍ଗରାଜ ଥାନା ପୁଲିସ ଘଟଣାସ୍ଥଳରେ ୨ପ୍ଲାଟୁନ ଫୋର୍ସ ମୁତୟନ କରିବାକୁ ନିଷ୍ପତ୍ତି ନିଆଯିବା ସହ ଶ୍ରୀଜୀଉଙ୍କ ସେବାପୂଜା ତଦାରଖ ଲାଗି ପ୍ରଶାସନ ପକ୍ଷରୁ ୩ ଜଣିଆ କମିଟି ଗଠନ କରାଯଇଛି ା
ସୂଚନାଯୋଗ୍ୟ, ମଲିଆ ସେବାୟତ ନିଯୋଗର ଶତାଧିକ ସେବାୟତ ମନ୍ଦିର ଖୋଲିବା ଲାଗି ଦେବୋତ୍ତର କମିସନର କାର୍ଯ୍ୟାଳୟକୁ ଯାଇଥିଲେ। ଦେବୋତ୍ତର କମିସନର ଚିତ୍ତରଞ୍ଜନ ମହାପାତ୍ର କାର୍ଯ୍ୟାଳୟକୁ ଆସିନଥିବାରୁ ସମସ୍ତ ସେବାୟତ କାର୍ଯ୍ୟାଳୟ ବାରଣ୍ଡାରେ ଧାରଣାରେ ବସି ରହିଥିଲେ। ଦୀର୍ଘ ସମୟ ବସିବା ରହିବା ପରେ ସେବାୟତ ପ୍ରତିନିଧି ଉପକମିସନର ଓ ସହକାରୀ କମିସନରଙ୍କ ସହ ଆଲୋଚନା କରିଥିଲେ।

Comments are closed.