ଦଙ୍ଗାକାରୀ ଦର୍ଶାଇ ମୃତକଙ୍କ ଘରକୁ ଗଲେ ନାହିଁ ମନ୍ତ୍ରୀ

ଲକ୍ଷ୍ନୌ : ଉତ୍ତରପ୍ରଦେଶ ମନ୍ତ୍ରୀ କପିଳ ଦେବ ଅଗ୍ରୱାଲ ଗୁରୁବାର ବିନ୍‌ଜୋରଠାରେ ନାଗରିକତ୍ବ ଆଇନ ପ୍ରତିବାଦରେ ଘଟିଥିବା ହିଂସାକାଣ୍ଡରେ ପ୍ରାଣ ହରାଇଥିବା ଦୁଇ ମୁସଲମାନ ଯୁବକ ଆନାସ ଓ ସୁଲେମାନଙ୍କ ପରିବାରକୁ ଭେଟିବା ପାଇଁ ମନା କରି ବିବାଦରେ ଛନ୍ଦି ହୋଇଛନ୍ତି। ଅଗ୍ରୱାଲ ବିନ୍‌ଜୋର ଗସ୍ତରେ ଥିବାବେଳେ ହିଂସାକାଣ୍ଡରେ ଆହତ ଓମ୍‌ ରାଜ ସାଇନିଙ୍କୁ ଭେଟିବାକୁ ଯାଇଥିଲେ। ଏହି ଅବସରରେ ଦୁଇ ମୃତକଙ୍କ ପରିବାରକୁ ଭେଟିବା ପାଇଁ ତାଙ୍କୁ କୁହାଯିବାରେ ସେ କହିଥିଲେ ଯେ ‘ଦଙ୍ଗାକାରୀଙ୍କ ଘରକୁ ମୁଁ କାହିଁକି ଯିବି ? ଯେଉଁମାନେ ହିଂସାର ନିଆଁ ଜଳାଉଥିଲେ ସେମାନେ କେଉଁ ଭାବରେ ସମାଜର ଅଂଶବିଶେଷ ? ମୁଁ ହିନ୍ଦୁ-ମୁସଲମାନ କଥା କହୁ ନାହିଁ; କିନ୍ତୁ ଦଙ୍ଗାକାରୀଙ୍କ ଘରକୁ ଯିବି ନାହିଁ।’ ଅପରପକ୍ଷରେ ସାଇନିଙ୍କ ପରିବାର ପକ୍ଷରୁ କୁହାଯାଇଛି ଯେ ସେ ଆଦୌ କୌଣସି ବିକ୍ଷୋଭରେ ସାମିଲ ହୋଇ ନ ଥିଲେ। ମନ୍ତ୍ରୀଙ୍କ ଏଭଳି ମନ୍ତବ୍ୟରେ ସମାଜବାଦୀ ପାର୍ଟି ପକ୍ଷରୁ ପ୍ରତିକ୍ରିୟା ରଖାଯାଇଛି। ପାର୍ଟି ମୁଖପାତ୍ର ରାଜେନ୍ଦ୍ର ଚୌଧୁରୀ କହିଛନ୍ତି ଯେ ବିଜେପି ସଂଖ୍ୟାଲଘୁ ବିରୋଧୀ ବୋଲି ମନ୍ତ୍ରୀଙ୍କ କାର୍ଯ୍ୟ ଓ କଥାରୁ ସ୍ପଷ୍ଟ ହୋଇଛି। ନାଗରିକତ୍ବ ଆଇନ ଯେ ମୁସଲମାନବିରୋଧୀ ତାହା ମଧ୍ୟ ଏଥିରୁ ପ୍ରମାଣିତ ହୋଇଛି। କଂଗ୍ରେସ ମୁଖପାତ୍ର ଦୁଜେନ୍ଦ୍ର ତ୍ରିପାଠୀ ଏହି ଘଟଣାକୁ ଲଜ୍ଜାଜନକ ବୋଲି ବର୍ଣ୍ଣନା କରିଛନ୍ତି।

Comments are closed.