ଶୁଖିଲା ପଡ଼ିଲା ଓଡ଼ିଶାର ଜୀବନରେଖା

କଣ୍ଟିଲୋ: ମାଘ ମାସରେ ରାଜ୍ୟର ବଡନଦୀ କୁହାଯାଉଥିବା ଚିରସ୍ରୋତା ମହାନଦୀ ଶୁଖିଲା ପଡିଛି। ମହାନଦୀ ଉପରେ ନିର୍ଭର କରି ଆବହମାନକାଳରୁ କୁଟୁମ୍ବ ପୋଷି ଆସୁଥିବା ହଜାର ହଜାର କୈବର୍ତ୍ତ ପରିବାର ଏବେ ଭୋକ ଓପାସରେ ରହୁଥିବା ଦେଖିବାକୁ ମିଳୁଛି। ମହାନଦୀର ଦକ୍ଷିଣପାର୍ଶ୍ୱରେ ନୟାଗଡ ଜିଲା ଖଣ୍ଡପଡା ନିର୍ବାଚନ ମଣ୍ଡଳୀର ସିଧାମୂଳା, ବଡବାଣପୁର, କଣ୍ଟିଲୋ, ପଥରଚକଡା, କେନ୍ଦୁପଲ୍ଲୀ, ପଦ୍ମାବତୀ ଓ କରବର ପଞ୍ଚାୟତର ହଜାର ହଜାର ଜନସାଧାରଣ ପ୍ରଭାବିତ ହୋଇଛନ୍ତି।


ମହାନଦୀ ଓଡିଶାର ଜୀବନରେଖା ହୋଇଥିବାବେଳେ ଉପରମୁଣ୍ଡରେ ଛତିଶଗଡ ରାଜ୍ୟ ସରକାର ମହାନଦୀରେ ଛୋଟବଡ଼ ପ୍ରକଳ୍ପ ନିର୍ମାଣ କରିଥିବାରୁ ଜଳ ପ୍ରବାହକୁ ବନ୍ଦକରି ଦେଇଛନ୍ତି। ହୀରାକୁଦଠାରୁ ମହାନଦୀର ଉଭୟକୂଳରେ ବାସ କରି ଆସୁଥିବା ଲକ୍ଷ ଲକ୍ଷ ଜନସାଧାରଣ ଅସୁବିଧା ଭୋଗୁଛନ୍ତି। ବଡବାଣପୁର ପଞ୍ଚାୟତର ମଇଁଷିଗୋଠ ପାଖରେ ୭୦ ଲକ୍ଷ ଟଙ୍କା ବ୍ୟୟ ବରାଦରେ ପ୍ରତିଷ୍ଠିତ କେଏଫଡବ୍ଲ୍ୟୁ ମେଗା ଜଳସେଚନ ପ୍ରକଳ୍ପ ଗତ ୭/୮ ବର୍ଷ ହେଲା ସମ୍ପୂର୍ଣ୍ଣ ଭାବରେ ଅଚଳ ହୋଇପଡିବାରୁ ଉକ୍ତ ଯନ୍ତ୍ରପାତି ଖତ ଖାଉଛି। ମହାନଦୀରେ ଜଳପ୍ରବାହ କମିଯିବା ଫଳରେ ଭବିଷ୍ୟତରେ ମହାନଦୀରୁ ନୟାଗଡକୁ ଯୋଗାଣ ହେଉଥିବା ପାନୀୟଜଳ ପ୍ରଭାବିତ ହେବାର ଆଶଙ୍କା ଦେଖାଗଲାଣି। ଏହାବ୍ୟତୀତ ନୟାଗଡ ଜିଲାର ବିଭିନ୍ନ ଅଞ୍ଚଳକୁ ମେଗା ପାନୀୟ ଜଳପ୍ରକଳ୍ପ ମାଧ୍ୟମରେ ମହାନଦୀରୁ ଜଳ ନେବାପାଇଁ ଯୋଜନାମାନ ପ୍ରସ୍ତୁତ ହେଉଥିବା ଜଣାପଡିଛି। ମହାନଦୀ କୂଳରେ ଥିବା ସିଧାମୂଳା, କୁମୁଣ୍ଡି, ରତନପୁର, ଘନାଶାଳିଆ ଗ୍ରାମ ଅଞ୍ଚଳରେ ଥିବା ଶହ ଶହ ଏକର ଜମିକୁ ଜଳସେଚନ ହୋଇପାରୁ ନଥିବା ଅଭିଯୋଗ ହେଉଛି। ସିଧାମୂଳା ପଞ୍ଚାୟତରେ ଥିବା ପାନୀୟଜଳ ଯୋଗାଣ ପ୍ରକଳ୍ପର ଇନ୍‌ଟେକ ୱେଲ୍‌ ପୋତିହୋଇ ଯିବାରୁ ୧୦ ଲକ୍ଷ ଟଙ୍କା ପାଣିରେ ପଡ଼ିଛି ବୋଲି କୁହାଯାଉଛି। ମହାନଦୀର ଜଳପ୍ରବାହ ଖରାଦିନେ ଆହୁରି ଗମ୍ଭୀର ହେବା ସହ ନଦୀକୂଳରେ ଥିବା ସମସ୍ତ ପ୍ରକଳ୍ପ ବନ୍ଦ ହୋଇଯିବାର ଆଶଙ୍କା ଦେଖା ଗଲାଣି। କେବଳ ନୟାଗଡ଼ ନୁହେଁ, କଟକ, ଅନଗୋଳ, ଜଗତସିଂହପୁର, ଖୋର୍ଦ୍ଧା ଜିଲାର ମହାନଦୀକୂଳିଆବାସୀ ଏଥିରେ ପ୍ରଭାବିତ ହେଉଛନ୍ତି। ଏ ପରିପ୍ରେକ୍ଷୀରେ ରାଜ୍ୟ ସରକାର ଏହି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ପଦକ୍ଷେପ ନେଇ ମହାନଦୀର ସୁରକ୍ଷାଦିଗରେ ଆଗେଇ ଆସିଲେ ଜନସାଧାରଣ ସୁରକ୍ଷିତ ହୋଇପାରିବେ ବୋଲି ଆଶା କରାଯାଏ।

Comments are closed.