ବରଗଛ ଉପରେ ମଦ୍ୟପର ଆତ୍ମହତ୍ୟା ଧମକ

କଣ୍ଟାମାଳ: ଆଜି ସନ୍ଧ୍ୟା ସମୟରେ ଦିନ ଜଣେ ମଦ୍ୟପ ମନମୁଣ୍ଡା ଥାନା ଅନ୍ତର୍ଗତ ଝିକେରପାଲି ଗାଁ ମୁଣ୍ଡରେ ଥିବା ଏକ ବରଗଛରକୁ ଚଢି ଆତ୍ମହତ୍ୟା କରିବାକୁ ଧମକ ଦେବା ସହ ନିଜ ପରିବାରକୁ ଗାଳି ଗୁଲଜ କରିବା ଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଥିଲା। ସୂଚନା ପ୍ରକାରେ ନିକଟ ରୁଣ୍ଡିମହୁଲ ଗ୍ରାମର ଧୀରେନ ସାହୁ (୨୩) ଝିକେରପାଲି ଗାଁରେ ରାଜୁ ଖଟୁଆଙ୍କ ଝିଅକୁ ବିବାହ କରିଥିବା ବେଳେ ଆଜି ଅପରାହ୍ନରେ ଧୀରେନ ମଦ ପିଇ ନିଜ ସ୍ତ୍ରୀ ଏବଂ ଶଶୁର ସହ ଝଗଡା କରିବା ସହ ଶଶୁରକୁ ମାଡ ମାରିଥିଲା। ଯୁବକ ଜଣକ ବରଗଛର ଏକ ଡାଳରେ ଦୀର୍ଘ ଘଣ୍ଟା ଧରି ବସି ରହିବା ସହ ଆତ୍ମହତ୍ୟା କରିବାକୁ ଧମକ ଦେଇଥିଲା।

ପ୍ରଚୁର ମଦପାନ କରିଥିବା କାଳେ ତଳେ ପଡିଯିବା ଭୟକୁ ନେଇ ସଭିଏଁ ବେଶ ଚିନ୍ତିତ ରହିଥିବା ବେଳେ ଗ୍ରାମର କିଛି ଯୁବକ ସାହସିକତାର ସହ ଗଛ ଉପରକୁ ଯାଇ ମଦ୍ୟପକୁ ତଳକୁ ଓହ୍ଲାଇ ଥିଲେ। ତଳକୁ ଓହ୍ଲାଇବା ପରେ ମଧ୍ୟ ନିକଟରେ ଥିବା ଏକ କୂଅକୁ ଯାଇ ଡେଇଁବାକୁ ଉଦ୍ୟମ କରୁଥିବା ବେଳେ ଗ୍ରାମବାସୀ ଧରି ଗ୍ରାମ ସଂକୀର୍ତନ ମଣ୍ଡପରେ ଅଟକ ରଖିଥିଲେ। ମଦ୍ୟପର ଶଶୁର ରାଜୁ ଖଟୁଆଙ୍କ ଏତଲା ପରେ ମନମୁଣ୍ଡା ପୋଲିସ ଘଟଣା ସ୍ଥଳରେ ପହଂଚି ଯୁବକ ଜଣକୁ ଥାନାକୁ ନେଇ ଯାଇଥିବା ଜଣାଯାଇଛି।

Comments are closed.