ଜମି ସମସ୍ୟାର ସମାଧାନ ପାଇଁ ଗଠନ ହେଲା ତେଳନଦୀ ସୁରକ୍ଷା ମଞ୍ଚ

କଣ୍ଟାମାଳ: କଣ୍ଟାମାଳ ବ୍ଲକ ଶିମିଳିପଦର ପଞ୍ଚାୟତ ଅନ୍ତର୍ଗତ ଗବଜୋର-ବୈଦ୍ୟନାଥ ତେଲନଦୀ ଘାଟରେ ୨୦୧୫ ମସିହାରେ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ବିଜୁ ସେତୁର ଶୁଭାରମ୍ଭ କରିଥିଲେ। ଏହି ସେତୁଟି ନିର୍ମାଣ ହେଲେ କଣ୍ଟାମାଳ ବ୍ଲକର ୧୦ଟି ପଞ୍ଚାୟତର ଜନସାଧାରଣ ଅତି ସୁବିଧାରେ ତଥା କମ ଖର୍ଚ୍ଚରେ ବଲାଙ୍ଗୀର, ସୋନପୁର, ବରଗଡ଼, ତରଭା ଇତ୍ୟାଦି ସ୍ଥାନକୁ ଅତି କମ ସମୟ ଭିତରେ ଗମନାଗମନ, ବାଣିଜ୍ୟ ବ୍ୟବସାୟ ଠିକ ଭାବରେ କରିପାରିବେ ଏହି ସେତୁଟିର ମୂଳ ଉଦ୍ଦେଶ୍ୟ। ଏହି ସେତୁଟି ସୁବର୍ଣ୍ଣପୁର ଜିଲ୍ଲା ବୈଦ୍ୟନାଥ ପଟରୁ କାମ ଆରମ୍ଭ ହୋଇଥିଲା। ପରେ ସେତୁର ନିର୍ମାଣ କାମଟି ସୁବର୍ଣ୍ଣପୁର ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାକୁ ହସ୍ତାନ୍ତର କରାଯାଇଥିଲା।

୨୦୧୮ ମସିହା ଡିସେମ୍ବର ମାସରେ କାମ ଶେଷ ହେବା କଥା କିନ୍ତୁ ଠିକାଦାର ଓ ବିଭାଗୀୟ ଅଧିକାରୀଙ୍କ ମଧୁଚନ୍ଦ୍ରିକାରେ ଚାଲିଥିବା କାମକୁ ନେଇ ଅଞ୍ଚଳରେ ଜନ ଅସନ୍ତୋଷ ଲାଗି ରହିଛି। ମିଳିଥିବା ସୂଚନା ଅନୁସାରେ, ବର୍ତମାନ ପର୍ଯ୍ୟନ୍ତ ବୈଦ୍ୟନାଥ ପଟରୁ ସମ୍ପୂର୍ଣ୍ଣ ସେତୁ କାମ ସାରିଥିବା ବେଳେ ଗବଜୋର ପଟରୁ ସେତୁ ପାଇଁ ଆବଶ୍ୟକ ହେଉଥିବା ଜମି ବିଭିନ୍ନ ସମସ୍ୟା କାରଣରୁ ଅଧିଗ୍ରହଣ ହୋଇପାରୁନାହିଁ। ଏଥିପାଇଁ ପ୍ରଶାସନକୁ ଦାୟୀ କରି ଗବଯୋର ଓ ପଥର୍ଲା ଗାଁର ଜମି ହରାଉ ଥିବା ଚାଷୀମାନେ ତେଲନଦୀ ସୁରକ୍ଷା ମଞ୍ଚ ନାମରେ ଏକ କମିଟି ଗଠନ କରିଛନ୍ତି। ଶୁକ୍ରବାର ବୌଦ୍ଧ ଜିଲ୍ଲା ଆଦିବାସୀ ନେତା ଡମ୍ବରୁ ଧର କଁଅରଙ୍କ ଅଧ୍ୟକ୍ଷତାରେ ପଥର୍ଲା ତେଲନଦୀ ଖଣ୍ଡିରେ ଏକ ବୈଠକ କରାଯାଇଥିଲା। ଏହି ବୈଠକରେ ଗବଜୋର ଓ ପଥର୍ଲା ଗାଁର ଜମି ହରାଉଥିବା ସମସ୍ତ ଚାଷୀମାନଙ୍କ ସମେତ ସାଧାରଣ ଲୋକ ମଧ୍ୟ ଉପସ୍ଥିତ ଥିଲେ। ସେତୁ ରାସ୍ତା ପାଇଁ ଆବଶ୍ୟକ ହେଉଥିବା ଜମି ଅଧିଗ୍ରହଣରେ ପ୍ରଶାସନ ଟାଳଟୁଳ ନୀତି ଅବଲମ୍ବନ କରୁଥିବା ଅଭିଯୋଗ ହେଉଛି। ଯା ଫଳରେ କମ୍ପାନୀ ଶାଗ ମାଛ ଦରରେ ଏହାକୁ କିଣିବାକୁ ମସୁଧା ଚଳାଇଥିବାର ଆଲୋଚନା ହେଉଛି। ଜମି ହରାଉଥିବା ବ୍ୟକ୍ତିମାନଙ୍କ ମଧ୍ୟରୁ କିରନ୍ଦର ବାଘ, ନୀଳକଣ୍ଠ ଦେହେରିଆ, ଶଙ୍କର ଦେହେରିଆ, ନିଧିକଣ୍ଠ ଦେହେରିଆ, ପ୍ରେମକଣ୍ଠ ଦେହେରିଆ, ସେନାନି ମେହେର, ଧନମତ ମେହେର, ଦୁର୍ୟୋଧନ ମେହେର, ପୂର୍ଣଚନ୍ଦ୍ର ମେହେର ପ୍ରମୁଖ ଏହାକୁ ଦୃଢ ବିରୋଧ କରିବା ସହିତ ଏ ଦିଗରେ ତହସିଲ ପ୍ରଶାସନକୁ ଅବଗତ କରାଯିବାକୁ ନିଷ୍ପତି ନିଆଯାଇଥିଲା।

Comments are closed.