ପୂଜ୍ୟ ପ୍ରଣାମ : ଅବିସ୍ମରଣୀୟ କାନ୍ତକବି ଲକ୍ଷ୍ମୀକାନ୍ତ

ଆଜି ଜୟନ୍ତୀ

ଊନବିଂଶଶତାବ୍ଦୀରେ ଓଡ଼ିଆଭାଷା, ସାହିତ୍ୟ ଓ ସଂସ୍କୃତି ଏକ ଜଟିଳ ଅବସ୍ଥା ମଧ୍ୟରେ ଗତିକରୁଥିଲା। ଓଡ଼ିଆକାବ୍ୟ ଓ କବିତାରେ ରାଜାରାଜୁଡ଼ା ବା ଜମିଦାରମାନଙ୍କୁ କିମ୍ବା ସେମାନଙ୍କ ଦରବାରକୁ ପ୍ରାଧାନ୍ୟ ଦିଆଯାଉଥିଲା।ଏହା ପରେ ଆଧୁନିକ ଓଡ଼ିଆ ସାହିତ୍ୟର ଯୁଗ ଆରମ୍ଭ ହେଲା। ଗଦ୍ୟରେ, ମୁଖ୍ୟତଃ ଉପନ୍ୟାସ ଓ ଗଳ୍ପରେ ବ୍ୟାସକବି ଫକୀରମୋହନ ସେନାପତି ଓ ପଦ୍ୟରେ ସ୍ୱଭାବ କବି ଗଙ୍ଗାଧର ମେହେର, ପଲ୍ଲିକବି ନନ୍ଦକିଶୋରବଳ, ଉତ୍କଳମଣି ଗୋପବନ୍ଧୁ ଦାସ ପ୍ରଭୃତି ସାଧାରଣ ଜନଜୀବନକୁ ଆଧାରକରି ଯେଉଁ କାବ୍ୟ କବିତାମାନ ସୃଷ୍ଟି କରିଗଲେ, ତାହା ଜନ ଜୀବନକୁ ଆକର୍ଷିତ କରିଥିଲା। ପରବର୍ତ୍ତୀକାଳରେ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର ମୁଖ୍ୟତଃ ପ୍ରାଚୀନ ଓ ଆଧୁନିକ ସାହିତ୍ୟର ସଂଯୋଗ ଆଧାରରେ ଉଭୟ ଆଶୟ ଓ ବିଷୟ ଦୃଷ୍ଟିରୁ ଯେଉଁ ନୂତନ ସାହିତ୍ୟ ସୃଷ୍ଟି କରିଥିଲେ, ତାହା ସାଂପ୍ରତିକ କାଳର ଓଡ଼ିଆ ପାଠକଙ୍କୁ ଆକୃଷ୍ଟ କରିଥିବା ପରିଲକ୍ଷିତ ହୋଇଥାଏ।
କାନ୍ତକବିଙ୍କ ରଚିତ “ବନ୍ଦେ ଉତ୍କଳ ଜନନୀ’କୁ ୨୦୨୦ ଜୁନ ୭ ତାରିଖରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ରାଜ୍ୟସଙ୍ଗୀତର ମାନ୍ୟତା ଦେଇଛନ୍ତି। ତାଙ୍କର ଦେଶଭକ୍ତିମୂଳକ ସାହିତ୍ୟ ଖୁବ ଆଦୃତ, ମାତ୍ର ତାଙ୍କର ଉକ୍ତିମୂଳକ ସାହିତ୍ୟ ମଧ୍ୟ ସେହିପରି ମନଛୁଆଁ। ତାଙ୍କର ଅନେକ ସାହିତ୍ୟ ଆଲୋଚିତ ହୋଇଥିବାବେଳେ ଅନେକ ସାହିତ୍ୟ ଆଲୋଚନା ପରିସରକୁ ଆସି ପାରିନାହିଁ। କାନ୍ତକବିଙ୍କର କନିଷ୍ଠ ପୁତ୍ର, ସ୍ୱାଧୀନତା ସଂଗ୍ରାମୀ ଓ ସାହିତ୍ୟିକ ସ୍ୱର୍ଗୀୟ ଗୌରଚନ୍ଦ୍ର ମହାପାତ୍ର ଏକଦା ଉଲ୍ଲେଖକରିଥିଲେ “ରବୀନ୍ଦ୍ରନାଥ ଠାକୁରଙ୍କ ଭଳି କାନ୍ତକବି ନିଜ ଲେଖାଗୁଡ଼ିକ ଅନ୍ୟକୁ ଶୁଣାଇ ଶ୍ରୋତାର ମତାମତ ଅନୁଧ୍ୟାନ କରୁଥିଲେ। ମୋର ମନେ ଅଛି, ମୋତେ ଯେତେବେଳେ ୨୫ ବର୍ଷ ବୟସ ହୋଇଥିଲା, ସେତେବେଳେ ସେ ତାଙ୍କର ଲେଖା ମୋତେ ପଢ଼ାଇ ଶୁଣାଇ ଥିଲେ।
ସେ ଲେଖାଟି ଥିଲା ଗୋଟିଏ ଚଉତିଶା। ଅର୍ଥାତ୍ “କ’ ଠାରୁ “କ୍ଷ’ ପର୍ଯ୍ୟନ୍ତ ପ୍ରତିଟି ପଦ୍ୟର ଆଦ୍ୟ ଅକ୍ଷର କ୍ରମ ଅନୁଯାୟୀ ଥିଲା।ସେ ଚଉତିଶାର ନାମ ଥିଲା “ପତିତପାବନ ଜଣାଣ’। ବାପା ମୋତେ ଶୁଣାଇଲେ ଏବଂ କହିଲେ “ଆର୍ତ୍ତତ୍ରାଣଚଉତିଶା’ରେ ପୁରାଣ କଥାର ଦୃଷ୍ଟାନ୍ତ ଅଛି, ମାତ୍ର ଏଥିରେ ତାହା ନାହିଁ। ଏଥିରେ କେବଳ ଭକ୍ତର ଆର୍ତ୍ତି ରହିଛି। ଭକ୍ତ ତାହାର ଅନାବିଳ ଭକ୍ତିଭାବ ନିବେଦନ କରିଛି ମାତ୍ର। ଅନ୍ୟ କିଛି ନାହିଁ …..’ ( ମୋ ବାପା କାନ୍ତକବି : ଗୌରଚନ୍ଦ୍ର ମହାପାତ୍ର, ରଥ ବିଶେଷାଙ୍କ ନବରବି’ ୨୦୦୨)। କାନ୍ତକବିଙ୍କ ସୃଷ୍ଟି ଉପରେ ଅଧିକରୁ ଅଧିକ ଆଲୋଚନା ହେଉ। ତାଙ୍କ ଜନ୍ମଦିବସରେ ଏହା ହିଁ କାମନା।

ଗୁରୁକଲ୍ୟାଣ ମହାପାତ୍ର
ଭୁବନେଶ୍ୱର

Comments are closed.