୯ ଜୁଆଡି ଗିରଫ, ୩୬,୭୫୦ ଟଙ୍କା ଜବତ

କଣ୍ଟାବାଞ୍ଜି : କଣ୍ଟାବାଞ୍ଜି ସହରରେ ସଟଡାଉନ ଦିନ ସ୍ଥାନୀୟ ଡାକବାହାଲି ଖେଳ ପଡିଆରେ ରାତି ସମୟରେ ଜୁଆ ଖେଳ ଚାଲିଥିବା ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ସ୍ଥାନୀୟ ଥାନା ମହିଳା ସବ-ଇନ୍ସପେକ୍ଟର ହୀରା ଖାଲକେ, ଏସ.ଆଇ ପି.କେ ଦୁରିଆ ଫୋର୍ସ ସହ ଜୁଆଖେଳ ଆଡ୍ଡା ଉପରେ ଚଢାଉ କରି ୯ ଜଣଙ୍କୁ ଗିରଫ କରିଛନ୍ତି। ଗିରଫ କରି ସେମାନଙ୍କଠାରୁ ନଗଦ ୩୬,୭୫୦ ଟଙ୍କା ଜବତ କରିବା ସହ ୧୧ଟି ମୋବାଇଲ ଫୋନ, ୩ଟି ବାଇକ୍ ଓ ଗୋଟିଏ ସାଇକେଲ ମଧ୍ୟ ଜବତ କରଯାଇଥିବା ଜଣାପଡିଛି। ଜୁଆ ଖେଳୁଥିବା ୯ ଜଣ ହେଉଛନ୍ତି, ସହଦେବ ପନିକା, କାର୍ତ୍ତିକ ବେହେରା, ସନ୍ୟାସୀ ବାଗ, ମାନସ ବାଗ, ସୁରେଶ ସତନାମୀ, ସଂକିର୍ତ୍ତନ ସତନାମୀ, ଗୁହାଲୁ ସତନାମୀ, ମନୁ ମେହେର, ସଂଜୁ ନାଏକ ସମସ୍ତେ କଣ୍ଟାବାଞ୍ଜି ବାସିନ୍ଦା।

ପ୍ରାପ୍ତ ସୂଚନା ଅନୁସାରେ, କରୋନା ସଂକ୍ରମଣକୁ ନେଇ ଜିଲ୍ଲା ପ୍ରଶାସନ ଜୁଲାଇ ମାସର ପ୍ରତ୍ୟେକ ଶନିବାର ଓ ରବିବାର ଜିଲ୍ଲା ସାରା ସଟଡାଉନ ଘୋଷଣା କରିବା ସହ ବାଇକ ଯାନବାହନ (ଘରୋଇ) ଚଳାଚଳ ଉପରେ ନିଷିଦ୍ଧ କରିଛନ୍ତି। ଏହି ଜୁଆ ଖେଳୁଥିବା ୯ ଜଣଙ୍କ ମଧ୍ୟରୁ ଅଧିକାଂଶ ପରିବା ବେପାରୀ ରହିଥିବା ସୂଚନା ମିଳିଛି। ରବିବାର ଦିନ ଏମାନେ ଡାଙ୍ଗବାହାଲି ପଡିଆରେ ଭୋଜି କରିବା ସହ ମଦ୍ୟପାନ, ଆସର ଜମାଇ ନିଶାରେ ସଂନ୍ଧ୍ୟା ପର୍ଯ୍ୟନ୍ତ ପଡିଆରେ ବିଶ୍ରାମ ନେବା ସହ ସଟଡାଉନ ସମୟରେ ଜୁଆ ଖେଳିବା ସହ ଆନନ୍ଦ ନେଉଥିଲେ। ଖବର ପାଇ ପୁଲିସ ଚଢାଉ କରି ସେମାନଙ୍କୁ ଗିରଫ କରିବାରେ ସଫଳ ହେବା ସହ ଥାନାରେ ଏକ ମାମଲା ରୁଜୁ କରି କେସ ନଂ ୧୫୫/୧୨.୦୭.୨୦୨୦ ଦଫା ୨୬୯, ୨୭୦, ୩୪, ୩- ଓ ପି.ଜି. ଆକ୍ଟ , ୩ ଏପିଡେମିକ ଡିଜିଜି ଆକ୍ଟ ୧୮୯୭ ଅନୁସାରେ ଗିରଫ କରିଛି।

Comments are closed.