ବର୍ଷାରେ ବେହାଲ କଣ୍ଟାବାଞ୍ଜି

କଣ୍ଟାବାଞ୍ଜି: ସୋମବାର ସକାଳେ କାଳବୈଶାଖୀ ପ୍ରାକ୍‍ ବର୍ଷାରେ କଣ୍ଟାବାଞ୍ଜି ସହରର ନାଳନର୍ଦ୍ଦମା ଉବୁଡୁବୁ ହୋଇ ବେହାଲ ହୋଇଯାଇଥିଲା। ସଡକରେ ମଇଳା ପାଣି ପ୍ରଭାବିତ ହେବାର ଦେଖିବାକୁ ମିଳିଥିଲା। କଣ୍ଟାବାଞ୍ଜି ବିଜ୍ଞାପିତ ଅଞ୍ଚଳର ବିଭିନ୍ନ ୱାର୍ଡରେ ଗତକାଲି ହୋଇଥିବା କିଛି ସମୟ ବର୍ଷାରେ ସହରର ବିଭିନ୍ନ ନାଳନର୍ଦ୍ଦମା ଜାମ ପଡି ନାଳିର ମଇଳା ପାଣି ରୋଡ ଉପରେ ଚାଲିଅସିଥିବା ବେଳେ କଣ୍ଟାବାଞ୍ଜି ୫ ନଂ ୱାର୍ଡ ପଟେଲ କଲୋନୀର ମୂଖ୍ୟ ରାସ୍ତାର ନାଳିରେ ମଇଳା ପାଣି ଭରି ଯାଇଥିବାରୁ ୪ ଘଣ୍ଟା ଯାଏଁ ରାସ୍ତା ବନ୍ଦ ରହିଥିଲା। ଏହି ୱାର୍ଡରେ ୧୫୦ରୁ ଊର୍ଦ୍ଧ୍ବ ପରିବାର ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ। ବର୍ଷା ମାସ ଆଗରୁ ଏହି ପ୍ରକାର ପରିସ୍ଥିତି ସୃଷ୍ଟି ହେବାରୁ ଲୋକମାନଙ୍କ ମଧ୍ୟରେ ବ୍ୟାପକ ଅସନ୍ତୋଷ ଦେଖାଦେଇଛି। ତୁରନ୍ତ ସବୁ ନାଳକୁ ସଫା କରିବା ଓ ଜବର ଦଖଲ ହଟାଇବା ପାଇଁ ଜନସାଧାରଣ ତରଫରୁ ଦାବୀ ହେଉଛି।

ଅନ୍ୟ ପଟେ କଣ୍ଟାବାଞ୍ଜି ରେଲବାଇ ଜି. ଆର.ପି. ପୋଲିସ ଥାନାରେ ପାଣି ପଶିଥିବାର ଦେଖିବାକୁ ମିଳିଛି। ନୂତନ ଭାବେ ତିଆରି ହୋଇଥିବା କଣ୍ଟାବାଞ୍ଜି ରେଲବାଇ ପ୍ଲାଟଫର୍ମ ରୁ ୫ ରୁ ୬ ଫୁଟ ତଳେ ଅବସ୍ଥିତ ଏହି ବ୍ରିଟିଶ କାଳର ଜି.ଆର.ପି. ଥାନା। ଏହି ଥାନାକୁ ନୂତନ ଭାବେ ନିର୍ମାଣ ପାଇଁ ବାରମ୍ବାର ଦାବୀ ହେଉଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ସେହି ପରିସ୍ଥିତିର କୌଣସି ଉନ୍ନତି ହୋଇନଥିବା ବୁଦ୍ଧିଜୀବୀ ମହଳରେ ଚର୍ଚ୍ଚା ଚାଲିଛି।

Comments are closed.