ସ୍ତ୍ରୀର ତଣ୍ଟିଚିପି ହତ୍ୟାକଲା ମଦ୍ୟପ ସ୍ୱାମୀ

କଣ୍ଟାବାଞ୍ଜି: ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ଥାନା ଅର୍ନ୍ତଗତ ଧାମନଡଙ୍ଗା ଗାଁରେ ଏକ ନୃଶସ ହତ୍ୟାକାଣ୍ଡ ଆଜି ବିଳମ୍ବିତ ରାତିରେ ଘଟିଯାଇଛି। ମଦ୍ୟପ ସ୍ୱାମୀ ସ୍ତ୍ରୀ ସହିତ ଝଗଡା କରି ଶେଷରେ ତଣ୍ଟିଚିପି ହତ୍ୟା କରିଥିବା ଅଭିଯୋଗ ହୋଇଛି। ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତକ ମହିଳାଙ୍କ ଶବ ଜବତ ସହ ସ୍ବାମୀକୁ ଥାନାରେ ଅଟକ ରଖି ତଦନ୍ତ କରୁଥିବା ଜଣାପଡିଛି।
ପ୍ରାପ୍ତ ସୂଚନା ଅନୁଯାୟୀ କଣ୍ଟାବାଞ୍ଜି ଥାନା ଧାମନଡଙ୍ଗା ଗ୍ରାମର ଜୟରାମ ମାଝି (୪୦)ଓ ତାଙ୍କ ପତ୍ନୀ ଉର୍ମିଳା ମାଝିଙ୍କ ମଧ୍ୟରେ ସବୁବେଳେ କଳହ ଲାଗି ରହୁଥିଲା। ସ୍ୱାମୀ ଜୟରାମ ମଦ୍ୟପାନ କରି ସ୍ତ୍ରୀ ଉର୍ମିଳାଙ୍କୁ ମାଡ ମାରୁଥିଲା। ଗତ କିଛି ଦିନ ହେଲ ଉର୍ମିଳା ନିଜ ସ୍ୱାମୀର ନିର୍ଯାତନା ସହି ନ ପାରି ବାପଘର ନିଜ ସର୍ମ୍ପକୀୟ ଲୋକଙ୍କୁ ଜଣାଇଥିଲେ। ଏହାପରେ ସମ୍ପର୍କୀୟମାନେ ଆସି ବୁଝାସୁଝା କରିଥିଲେ। ଏହି ଘଟଣାର ସମାଧାନ ପାଇଁ ଗାଁରେ ଏକ ବୈଠକ ଡକାଯାଇଥିଲା ଏବଂ ଘଟଣାର ସାମାଧାନ କରିଥିଲେ। ଏହାପରେ ମଧ୍ୟ କଳହର ସାମାଧାନ ନହେବାରୁ ଉର୍ମିଳା ଥାନାକୁ ଯାଇ ଲିଖିତ ଅଭିଯୋଗ କରିଥିଲେ। କିଛି ଦିନ ପାଇଁ ଉର୍ମିଳା ନିଜ ବାପଘରକୁ ଚାଲିଯାଇଥିଲେ। ଏହାପରେ ଜୟରାମ ଶ୍ବଶୁର ଘରକୁ ଯାଇ ଆଉ ଝଗଡା କରିବେ ନାହିଁ ଏବଂ ନିର୍ଯ୍ୟାତନା ଦେବନାହିଁ ବୋଲି ପ୍ରତିଶ୍ରୁତି ଦେଇ ପୂନର୍ବାର ଧାମନଡଙ୍ଗା ନିଜ ଘରକୁ ସ୍ତ୍ରୀ ସହ ଫେରିଥିଲେ।

 

କିଛିଦିନ ଉଭୟ ଘରେ ରହିବାପରେ ପୁଣି କଳହ ଲାଗି ରହୁଥିଲା। ଗତକାଲି ଏହା ଉଗ୍ରରୂପ ଧାରଣ କରି ଜୟରାମ ଉର୍ମିଳାର ତଣ୍ଟିଚିପି ହତ୍ୟାକରିଥିବା ପୁଲିସ ପାରିପାର୍ଶିକ ସ୍ଥିତିରୁ ଅନୁମାନ କରୁଛି। ଥାନା ଭାରପାପ୍ତ ପୁଲିସ ଅଧିକାରୀ ,ଜିଲା ପୁଲିସ ସହ ସାଇଣ୍ଟିକଫିକ ଟିମ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଉର୍ମିଳାଙ୍କ ଶବ ବ୍ୟବଚ୍ଚେଦ ପାଇଁ କଣ୍ଟାବାଞ୍ଜି ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଥିବା ଜଣାପଡିଛି। ପାରିପାର୍ଶିକ ପରିସ୍ଥିତି ଅନୁମାନ କରି ଉର୍ମିଳାଙ୍କ ବେକରେ ଦାଗଥିବା ଜାଣି ପୁଲିସ ହତ୍ୟାକାଣ୍ଡ ହୋଇଥାଇପାରେ ବୋଲି ଅନୁମାନ କରୁଥିବା ବେଲେ ସ୍ୱାମୀ ଜୟରାମକୁ ଥାନାରେ ଅଟକରଖି ତଦନ୍ତ କରୁଥିବା ଜଣାପଡିଛି।

Comments are closed.