କାନପୁର ଟେଷ୍ଟ ରୋମାଞ୍ଚକର ଡ୍ର’ରେ ଶେଷ

ରାଚିନ୍, ଏଜାଜ୍‌ଙ୍କ ଲଢ଼ୁଆ ବ୍ୟାଟିଂ ; ୧ ୱିକେଟ ପାଇଁ ଭାରତ ବିଜୟରୁ ବଞ୍ଚିତ

କାନପୁର : ଭାରତରେ ଜନ୍ମ ନେଇଥିବା ନ୍ୟୁଜିଲାଣ୍ଡର ଦୁଇ ବ୍ୟାଟ୍‌ସମ୍ୟାନ୍‌ ରାଚିନ୍ ରବୀନ୍ଦ୍ର ଓ ଏଜାଜ୍ ପଟେଲ ଅତ୍ୟନ୍ତ ଦକ୍ଷ ଭାରତୀୟ ସ୍ପିନରଙ୍କ ପ୍ରତିରୋଧ କରିଥିଲେ। ରାଚିନ ଜୀବନର ପ୍ରଥମ ଟେଷ୍ଟମ୍ୟାଚ୍‌ ଖେଳିଥିବା ବେଳେ ଏଜାଜ୍ ୧୧ନଂ ବ୍ୟାଟ୍‌ସମ୍ୟାନ୍‌। ତେବେ ଦୁହେଁ ଲଢ଼ୁଆ ବ୍ୟାଟିଂକରି ୫୨ଟି ବଲ୍‌ର ସଫଳ ମୁକାବିଲା କରିଥିଲେ ଏବଂ ଭାରତକୁ ବିଜୟରୁ ବଞ୍ଚିତ କରିଥିଲେ। ଦୁହିଁଙ୍କ ଏପରି ବ୍ୟାଟିଂ ଯୋଗୁଁ ଗ୍ରୀନ୍‌ପାର୍କରେ ପ୍ରଥମ ଟେଷ୍ଟମ୍ୟାଚ୍‌ ରୋମାଞ୍ଚକର ଭାବେ ଡ୍ର’ରେ ଶେଷହୋଇଛି। ଘରୋଇ ଭାରତ ବିପକ୍ଷ ପ୍ରଥମ ଟେଷ୍ଟମ୍ୟାଚ୍‌ର ୨ୟ ଇନିଂସରେ ନ୍ୟୁଜିଲାଣ୍ଡର ୯ମ ୱିକେଟର ପତନ ପରେ କର୍ଣ୍ଣାଟକରେ ଜନ୍ମ ନେଇଥିବା ରାଚିନ ରବୀନ୍ଦ୍ର ୯୧ ବଲ୍‌ରୁ ଅପରାଜିତ ୧୮ ଓ ମୁମ୍ବଇରେ ଜନ୍ମ ନେଇଥିବା ଏଜାଜ୍ ପଟେଲ ୨୩ ବଲ୍‌ରୁ ୨ ରନ୍‌ରେ ଅପରାଜିତ ରହି ଦଳକୁ ନିଶ୍ଚିତ ପରାଜୟରୁ ବଞ୍ଚାଇ ଦେଇଛନ୍ତି। ବିଶ୍ବର ୧ନଂ ଟେଷ୍ଟ ଦଳ ନ୍ୟୁଜିଲାଣ୍ଡ ଓ ୨ନଂ ଦଳ ଭାରତ ମଧ୍ୟରେ ପ୍ରଥମ ଟେଷ୍ଟମ୍ୟାଚ୍‌ ଖରାପ ଆଲୋକ ଯୋଗୁଁ ନିର୍ଦ୍ଧାରିତ ସମୟର ୧୨ ମିନିଟ ପୂର୍ବରୁ ସମାପ୍ତହେବା ସହ ମ୍ୟାଚ୍‌ ବିନା ଫଇସଲାରେ ସମାପ୍ତ ହୋଇଛି। ଫଳରେ ୨ ମ୍ୟାଚ୍‌ର ଟେଷ୍ଟ ସିରିଜ୍‌ ଏବେ ୦-୦ ସ୍ଥିତିରେ ରହିଛି। ଡିସେମ୍ବର ୩ରୁ ମୁମ୍ବଇରେ ୨ୟ ଟେଷ୍ଟମ୍ୟାଚ୍‌ ଖେଳାଯିବ।
କାନପୁରର ଧିମା ପିଚ୍‌ରେ ୩ ଭାରତୀୟ ସ୍ପିନର ଦଳକୁ ଜିତାଇବା ପାଇଁ ପ୍ରାଣମୂର୍ଚ୍ଛା ଉଦ୍ୟମ କରିଥିଲେ ଏବଂ ଦଳକୁ ବିଜୟର ଦ୍ବାରରେ ପହଞ୍ଚାଇଥିଲେ। ହେଲେ ରାଚିନ-ଏଜାଜ୍ ଯୋଡ଼ି ଭାରତକୁ ବିଜୟରୁ ବଞ୍ଚିତ କରିଥିଲେ। ସୋମବାର ୫ମ ତଥା ଅନ୍ତିମ ଦିନର ଶେଷ ଅଧିବେଶନରେ ଭାରତ ବିଜୟ ପାଇଁ ୬ଟି ୱିକେଟ ଆବଶ୍ୟକ କରୁଥିବା ବେଳେ ସ୍ପିନର ୫ଟି ୱିକେଟ ନେଇ ଦଳକୁ ବିଜୟର ଦ୍ବାରରେ ପହଞ୍ଚାଇଥିଲେ। ତେବେ ମ୍ୟାଚ୍‌ ବଞ୍ଚାଇବାର ଶ୍ରେୟ କେବଳ ରାଚିନ୍-ଏଜାଜ୍‌ଙ୍କ ନୁହେଁ। ଟମ୍ ଲାଥାମ୍ ୧୪୬ଟି ବଲ୍‌, ନାଇଟ୍‌ ୱାଚ୍‌ମ୍ୟାନ୍ ୱିଲିୟମ୍ ସମରଭିଲ୍‌ ୧୧୦ଟି ବଲ୍‌, କେନ୍ ୱିଲିୟମ୍‌ସନ ୧୧୨ଟି ବଲ୍‌ ଓ ରାଚିନ୍ ରବୀନ୍ଦ୍ର ୯୧ଟି ବଲ୍‌ ଖେଳି ମ୍ୟାଚ୍‌ ବଞ୍ଚାଇବାର ମୂଳଦୁଆ ପକାଇଥିଲେ। ୨ୟ ଇନିଂସରେ ୨୮୪ ରନ୍‌ ବିଜୟଲକ୍ଷ୍ୟର ପିଛା କରିଥିବା ନ୍ୟୁଜିଲାଣ୍ଡ ୪ର୍ଥ ଦିନ ଶେଷରେ ୧ ୱିକେଟରେ ୪ ରନ୍‌ କରିଥିଲା। ଶେଷଦିନର ପ୍ରଥମ ଅଧିବେଶନରେ କୌଣସି ୱିକେଟ ପଡ଼ିନଥିଲା। ବୋଧହୁଏ ଏହା ନିର୍ଣ୍ଣାୟକ ହୋଇଥିଲା। ନାଇଟ୍‌ ୱାଚ୍‌ମ୍ୟାନ୍ ୱିଲିୟମ୍ ସମରଭିଲ୍‌ ପ୍ରାୟ ଅଢ଼େଇ ଘଣ୍ଟା ବ୍ୟାଟିଂକରି ୧୧୦ଟି ବଲ୍‌ର ମୁକାବିଲା କରିଥିଲେ। ୨ୟ ୱିକେଟ ପାଇଁ ଟମ୍ ଲାଥାମ୍‌ଙ୍କ ସହ ୭୬ ରନ୍‌ ଯୋଡ଼ିଥିଲେ ସମରଭିଲ୍‌। ଶୁବ୍‌ମାନ ଗିଲ୍‌ଙ୍କ ଦର୍ଶନୀୟ କ୍ୟାଚ୍‌ରେ ଆଉଟହେବା ପୂର୍ବରୁ ସମରଭିଲ୍‌ ୧୧୦ ବଲ୍‌ରୁ ୫ଟି ଚୌକା ସହ ୩୬ ରନ୍‌ କରିଥିଲେ। ପରେ ଲାଥାମ୍ ଓ ୱିଲିୟମ୍‌ସନ ୩୯ ରନ୍‌ ଯୋଡ଼ିଥିଲେ। କ୍ରମାଗତ ୨ୟ ଇନିଂସରେ ଅର୍ଦ୍ଧଶତକ ହାସଲ କରିଥିବା ବାମହାତି ଲାଥାମ୍‌ ୧୪୬ ବଲ୍‌ରୁ ୩ଟି ଚୌକା ସହ ୫୨ ରନ୍‌କରି ଆଉଟ ହୋଇଥିଲେ। ଏହାସହ ୧୦ ରନ୍‌ରେ ୩ଟି ୱିକେଟ ପଡ଼ିଥିଲା। ରସ୍‌ ଟେଲର ୨, ହେନ୍‌ରି ନିକୋଲ୍‌ସ ୧, ଟମ୍ ବ୍ଲଣ୍ଡେଲ ୨ ରନ୍‌କରି ଆଉଟ ହୋଇଥିଲେ। କେନ୍ ୱିଲିୟମ୍‌ସନ ୧୧୨ ବଲ୍‌ରୁ ୩ଟି ଚୌକା ସହ ୨୪ ରନ୍‌କରି ଆଉଟ ହେବା ପରେ ଭାରତର ବିଜୟ ଆଶା ଉଜ୍ଜୀବିତ ହୋଇଥିଲା। ଏହାପରେ ରବୀନ୍ଦ୍ର ଜାଡ଼େଜା ଆଉ ୨ଟି ୱିକେଟ ନେଇ ଦଳକୁ ବିଜୟ ଦ୍ବାରରେ ପହଞ୍ଚାଇଥିଲେ। କାଏଲ୍‌ ଜେମିସନ୍ ୫ ଓ ଟିମ୍ ସାଉଦି ୪ ରନ୍‌କରି ବିଦାୟ ନେଇଥିଲେ। ନ୍ୟୁଜିଲାଣ୍ଡର ଶେ​‌ଷ ୱିକେଟ କ୍ରିଜ୍‌ରେ ଥିବା ବେଳେ ପ୍ରାୟ ୧୧ ଓଭରର ଖେଳ ବାକିଥିଲା। ହେ​‌େ​‌ଲ ରାଚିନ ରବୀନ୍ଦ୍ର ଓ ଏଜାଜ୍ ପଟେଲ ପରବର୍ତ୍ତୀ ୮.୪ ଓଭର ୱିକେଟ ପଡ଼ିବାକୁ ଦେଇନଥିଲେ। ଷ୍ଟମ୍ପ୍ ଅପସାରଣ ସୁଦ୍ଧା ରବୀନ୍ଦ୍ର ୯୧ ବଲ୍‌ରୁ ଅପରାଜିତ ୧୮ ଓ ଏଜାଜ୍ ପଟେଲ ୨୩ ବଲ୍‌ରୁ ୨ ରନ୍‌ରେ ଅପରାଜିତ ରହିଥିଲେ। ରବୀନ୍ଦ୍ର ଜାଡ଼େଜା ୪ଟି ଓ ରବିଚନ୍ଦ୍ରନ ଅଶ୍ବିନ ୩ଟି ୱିକେଟ ନେଇଥିଲେ। ପଦାର୍ପଣ ଟେଷ୍ଟରେ ଶ୍ରେୟାସ ଆୟର ପ୍ଲେୟର ଅଫ୍ ଦି ମ୍ୟାଚ୍‌ ହୋଇଥିଲେ।

Comments are closed.