ଗ୍ୟାଙ୍ଗଷ୍ଟର ବିକାଶ ଦୁବେକୁ ଆଗୁଆ ସୂଚନା ଦେଇଥିବା ଦୁଇ ପୁଲିସ ଅଫିସର ଗିରଫ

ବିକାଶକୁ ଧରିବା ପାଇଁ ଦିଲ୍ଲୀ, ହରିୟାଣାରେ ତନାଘନା

କାନପୁର : ଶିବଲି ଡନ୍‌ ବିକାଶ ଦୁବେ ପାଇଁ ସ୍ଥିତି କ୍ରମଶଃ ଜଟିଳ ହେବାରେ ଲାଗିଛି। ତା’ର ସୂଚନାଦାତା ଭାବେ ଦୁଇ ପୁଲିସ ଅଧିକାରୀଙ୍କୁ ବୁଧବାର ଗିରଫ କରାଯାଇଛି। ଏମାନେ ହେଉଛନ୍ତି ରବିବାରଠାରୁ ନିଲମ୍ବିତ ଚୌବେପୁର ଷ୍ଟେସନ ହାଉସ ଅଫିସର ବିନୟ ତିୱାରୀ ଓ ବିଟ୍‌ ହାଉସ୍‌ ଅଧିକାରୀ ସବ୍‌-ଇନ୍ସପେକ୍ଟର କେ.କେ ଶର୍ମା। ଗତ ତିନି ଦିନ ହେଲା ସେମାନଙ୍କୁ ବିକାଶ ସହିତ ସମ୍ପର୍କ ଓ ଗୁଳିକାଣ୍ଡରେ ଭୂମିକାକୁ ନେଇ ଜେରା ଚାଲିଥିଲା। ଉଭୟ ଅଧିକାରୀ ବିକ୍ରୁ ଗୁଳିକାଣ୍ଡବେଳେ ଉପସ୍ଥିତ ଥିଲେ ମଧ୍ୟ ସୁଯୋଗ ଦେଖି ଘଟଣାସ୍ଥଳରୁ ଖସି ପଳାଇଥିଲେ। ସେମାନେ ହିଁ ବିକାଶ ଘର ଉପରେ ଚଢ଼ଉ ପୂର୍ବରୁ ତାକୁ ଖବର ଦେଇଥିଲେ; ଯାହାଦ୍ବାରା ବିକାଶ ଗ୍ୟାଙ୍ଗ ଲୋକେ ପ୍ରସ୍ତୁତ ରହିବା ସହ ୮ ପୁଲିସଙ୍କୁ ହତ୍ୟା କରିବାରେ ସମର୍ଥ ହୋଇଥିଲେ ବୋଲି କାନପୁର ଆଇଜି ମୋହିତ ଅଗ୍ରୱାଲ କହିଛନ୍ତି। ପୁଲିସ ଡିଆଇଜି ଅନନ୍ତ ଦେଓଙ୍କୁ ତୁରନ୍ତ ଅନ୍ୟତ୍ର ବଦଳି କରାଯାଇଛି। ସେ ମୃତ ଡିଏସ୍‌ପି ଦେବେନ୍ଦ୍ର ଶର୍ମାଙ୍କର ଏକ ଗୁରୁତ୍ବପୂର୍ଣ୍ଣ ସୂଚନା ପ୍ରତି ଅବହେଳା କରିଥିଲେ।

ଅନ୍ୟ ଏକ ଘଟଣାରେ ବିକାଶର ଘନିଷ୍ଠ ତଥା ତା ଗ୍ୟାଙ୍ଗର ତୃତୀୟ ମୁଖିଆ ଅମର ଦୁବେ ଉତ୍ତରପ୍ରଦେଶ ସ୍ପେସିଆଲ ଟାସ୍କ ଫୋର୍ସ (ଏସ୍‌ଟିଏଫ) ସହିତ ଗୁଳି ବିନିମୟ ସମୟରେ ନିହତ ହୋଇଛି। ଅମର ଗତ ଶୁକ୍ରବାରର ଗୁଳିକାଣ୍ଡରେ ସାମିଲ ଥିଲା। ବୁଧବାର ସକାଳେ ହମିରପୁରଠାରେ ଏହି ଗୁଳି ବିନିମୟ ହୋଇଥିଲା ଓ ଏଥିରେ ଦୁଇ ପଲିସ କର୍ମଚାରୀ ଆହତ ହୋଇଛନ୍ତି। ସେହିଭଳି କାନପୁର ଓ ଫରିଦାବାଦରେ ଗୁଳି ବିନିମୟବେଳେ ବିକାଶର ୬ ସହଯୋଗୀଙ୍କୁ ଗିରଫ କରାଯାଇଛି। ଅମର ଦୁବେକୁ ଧରିବା ପାଇଁ ପୁଲିସ ପକ୍ଷରୁ ୫୦ହଜାର ଟଙ୍କାର ପୁରସ୍କାର ଘୋଷଣା କରାଯାଇଥିଲା।

ବିକାଶକୁ ଧରିବା ପାଇଁ ଏସ୍‌ଟିଏଫ୍‌ ପକ୍ଷରୁ ରାଜ୍ୟର ବିଭିନ୍ନ ସ୍ଥାନ ସମେତ ରାଜ୍ୟ ବାହାରେ ମଧ୍ୟ ଚଢ଼ଉ ଜାରି ରହିଛି। ୨୫ଟି ପୁଲିସ ଦଳ ଏହି ଚଢ଼ଉ ଅଭିଯାନ ଚଳାଇଛନ୍ତି। ଜାତୀୟ ରାଜଧାନୀ ଦିଲ୍ଲୀ ନିକଟ ଫରିଦାବାଦର ଏକ ହୋଟେଲରେ ବିକାଶ ରହିଥିବା ସୂଚନା ପାଇବା ପରେ ବୁଧବାର ସେଠାରେ ଚଢ଼ଉ ହୋଇଥିବା ଜଣାପଡ଼ିଛି। ସିସିଟିଭି ଫଟୋରୁ ବିକାଶ ଭଳି ଦେଖାଯାଉଥିବା ଜଣେ ବ୍ୟକ୍ତି ମାସ୍କ ପିନ୍ଧି ମଙ୍ଗଳବାର ଅପରାହ୍ଣରେ ହୋଟେଲରୁ ବାହାରୁଥିବା ଓ ଏକ ଅଟୋ ଧରି ପଳାଉଥିବା ଦେଖାଯାଇଥିଲା। ହୋଟେଲ ପରିଚାଳକ ତାକୁ ଚିହ୍ନି ନ ଥିବା ପୁଲିସକୁ କହିଥିଲେ। ଫରିଦାବାଦରୁ ୩ଜଣଙ୍କୁ ପୁଲିସ ଗିରଫ କରିବା ସହ ସେମାନଙ୍କଠାରୁ ପୁଲିସଠାରୁ ଲୁଟ୍‌ ହୋଇଥିବା ବିପୁଳ ମାରଣାସ୍ତ୍ର ଜବତ କରିଛନ୍ତି। ଏହି ପରିପ୍ରେକ୍ଷୀରେ ଫରିଦାବାଦ ଓ ଗୁଡ଼ଗାଓଁରେ କଡ଼ା ସତର୍କତା ଜାରି କରାଯାଇଛି। ସେ ଦିଲ୍ଲୀ କିମ୍ବା ହରିୟାଣାରେ ଆତ୍ମସମର୍ପଣ କରିପାରେ ବୋଲି ପୁଲିସ ଭାବୁଛି। ଏଥିସହିତ ବିକାଶକୁ ଧରିବା ପାଇଁ ପୁରସ୍କାର ରାଶି ପରିମାଣ ଦ୍ବିତୀୟ ଥର ବୃଦ୍ଧି କରାଯାଇଛି। ତା’ ସମ୍ପର୍କରେ ସୂଚନା ଦେଲେ ୫ଲକ୍ଷ ଟଙ୍କା ମିଳିବ ବୋଲି ପୁଲିସ ଘୋଷଣା କରିଛି। ପୂର୍ବରୁ ଏହି ପରିମାଣ ୫୦ହଜାରରୁ ଅଢ଼େଇ ଲକ୍ଷକୁ ବୃଦ୍ଧି କରାଯାଇଥିଲା।

Comments are closed.