ପୁଣି ଆସିବେ କଙ୍ଗନା, ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟା ମାମଲାରେ ରଖିବେ ବିବୃତ୍ତି

ଅଭିନେତା ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟା ମାମଲାକୁ ଲୋକମାନେ ସହଜରେ ଗ୍ରହଣ କରିପାରୁ ନ ଥିବା ବେଳେ ପୂର୍ବରୁ ଏ ନେଇ ସାମାଜିକ ଗଣମାଧ୍ୟମରେ ତଥାକଥିତ ଚଳଚ୍ଚିତ୍ର ପ୍ରଯୋଜକ, ନିର୍ମାତା ଓ କଳାକାରଙ୍କ ବିରୋଧରେ ସ୍ୱର ଉତ୍ତୋଳନ କରିଥିବା ଅଭିନେତ୍ରୀ କଙ୍ଗନା ରାଣାୱତ ନିଜ ବିବୃତ୍ତି ରେକର୍ଡ କରାଇବାକୁ ମୁମ୍ବାଇ ପୁଲିସକୁ ସୂଚନା ଦେବା ପରେ ଆଜି କଙ୍ଗନାଙ୍କୁ ମୁମ୍ବାଇ ପୁଲିସ ହାଜର ହେବାକୁ ତାଙ୍କୁ ଡାକିବାର ସମ୍ଭାବନା ରହିଛି।

କଙ୍ଗନା ତାଙ୍କ ଓକିଲଙ୍କ ମାଧ୍ୟମରେ ମୁମ୍ବାଇ ପୋଲିସକୁ ଜଣାଇଥିଲେ ଯେ ରାଜପୁତଙ୍କ ମୃତ୍ୟୁ ଘଟଣାରେ ସେ ସହଯୋଗ କରିବାକୁ ଆଗ୍ରହୀ ଅଛନ୍ତି କିନ୍ତୁ ସେ ହିମାଚଳ ପ୍ରଦେଶରେ ଥିବାରୁ ହାଜର ହୋଇ ପାରିବେ ନାହିଁ। ତେବେ ସେ ପ୍ରସ୍ତାବ ଦେଇଥିଲେ ଯେ ମୁମ୍ବାଇ ପୋଲିସ ତାଙ୍କୁ ହିମାଚଳ ପ୍ରଦେଶରେ ସାକ୍ଷାତ କରିପାରିବେ କିମ୍ବା ଇଲେକ୍ଟ୍ରୋନିକ୍ ମାଧ୍ୟମରେ ତାଙ୍କ ବିବୃତ୍ତି ରେକର୍ଡ କରିପାରିବେ। ମୁମ୍ବାଇ ପୁଲିସ ପକ୍ଷରୁ କୁହାଯାଇଛି ଯେ ଏହି ଘଟଣାରେ ଖୁବ ଶୀଘ୍ର କଙ୍ଗନାଙ୍କ ବିବୃତ୍ତି ରେକର୍ଡ କରାଯିବ।

ସୁଶାନ୍ତଙ୍କ ଆତ୍ମହତ୍ୟା ପରେ କଙ୍ଗନା ଏକ ଦୁଇ ମିନିଟର ଭିଡିଓରେ ମୃତ ଅଭିନେତାଙ୍କୁ ଉଚ୍ଚ ପ୍ରଶଂସା କରିବା ସହ ବଲିଉଡ ଚଳଚ୍ଚିତ୍ର ଜଗତ ତାଙ୍କ ପ୍ରତିଭାକୁ ସ୍ୱୀକୃତି ଦେଇ ନଥିବା ଅଭିଯୋଗ କରିଥିଲେ। ସେ କହିଥିଲେ ଯେ ସୁଶାନ୍ତଙ୍କ ଶେଷ ସୋସିଆଲ ମିଡିଆ ପୋଷ୍ଟରୁ ଏହା ସ୍ପଷ୍ଟ ହୋଇଛି ଯେ ସେ ଇଣ୍ଡଷ୍ଟ୍ରିରେ ବଞ୍ଚିବା ପାଇଁ ସଂଘର୍ଷ କରୁଥିଲେ।

ପୁଲିସ ସୂଚନା ଅନୁଯାୟୀ, ଚଳଚ୍ଚିତ୍ର ସମାଲୋଚକ ରାଜୀବ ମସାନ୍ଦ, ନିର୍ଦ୍ଦେଶକ-ନିର୍ମାତା ସଞ୍ଜୟ ଲୀଲା ଭନସାଲୀ ଏବଂ ଚଳଚ୍ଚିତ୍ର ନିର୍ମାତା ଆଦିତ୍ୟ ଚୋପ୍ରାଙ୍କ ସମେତ ଏ ପର୍ଯ୍ୟନ୍ତ ୩୯ ଜଣଙ୍କ ବିବୃତ୍ତି ରେକର୍ଡ ହୋଇଛି। ଜୁନ୍ ୧୪ରେ ସୁଶାନ୍ତ ସିଂ ରାଜପୁତଙ୍କ ମୃତ ଦେହ ମୁମ୍ବାଇ ସ୍ତିତ ଘରୁ ପୁଲିସ ଉଦ୍ଧାର କରିଥିଲା।

Comments are closed.