ଅହିଂସା ମାର୍ଗରେ ହିଁ ସ୍ବାଧୀନତା ମିଳିଥିଲା: ଅନୀତା ବୋଷ

ନୂଆଦିଲ୍ଲୀ: ମହାତ୍ମା ଗାନ୍ଧୀ ଓ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ମଧ୍ୟରେ ସମ୍ପର୍କକୁ ନେଇ ଅନେକ ଚର୍ଚ୍ଚା ହୋଇଥାଏ; କିନ୍ତୁ ଏ ସମ୍ପର୍କରେ ନେତାଜୀଙ୍କ କନ୍ୟା ଅନୀତା ବୋଷ ଏବେ ମୁହଁ ଖୋଲିଛନ୍ତି। ଉଭୟ ଗାନ୍ଧିଜୀ ଓ ନେତାଜୀ ଭାରତର ମହାନ ନେତା ଥିଲେ। ଉଭୟ ଦେଶର ସ୍ବାଧୀନତା ପାଇଁ ନିଜସ୍ବ ବିଚାରଧାରା ଓ ମାର୍ଗରେ ସଂଗ୍ରାମ ଜାରି ରଖିଥିଲେ। ସେମାନଙ୍କ ମାର୍ଗ ଭିନ୍ନ ଥିଲେ ମଧ୍ୟ ଲକ୍ଷ୍ୟ ସମାନ ଥିଲା। ସେମାନଙ୍କ ମଧ୍ୟରେ କିଛିଟା ମତପାର୍ଥକ୍ୟ ରହିଥିଲା ଏବଂ ଗାନ୍ଧିଜୀ ନେତାଜୀଙ୍କୁ ନିୟନ୍ତ୍ରଣରେ ରଖିପାରିବେ ନାହିଁ ବୋଲି ଜାଣିଥିଲେ। ଅପରପକ୍ଷରେ ନେତାଜୀ ଗାନ୍ଧିଜୀଙ୍କର ବଡ଼ ପ୍ରଶଂସକ ଥିଲେ। ଉଭୟ ଏମିତି ପରିପୂରକ ଥିଲେ ଯେ ଏମାନଙ୍କ ମଧ୍ୟରୁ କାହାକୁ ଜଣଙ୍କୁ ଛାଡ଼ି ସ୍ବାଧୀନତାର କଳ୍ପନା କରାଯାଇ ନ ପାରେ। ଏଭଳି ମତ ରଖିଛନ୍ତି ଅନୀତା।

ସମ୍ପ୍ରତି ଅଭିନେତ୍ରୀ କଙ୍ଗନା ରଣାୱତଙ୍କ ବିବାଦୀୟ ମନ୍ତବ୍ୟ ‘ଭାରତକୁ ସ୍ବାଧୀନତା ଭିକ୍ଷା ରୂପେ ମିଳିଥିଲା’ ପରିପ୍ରେକ୍ଷୀରେ ଅନୀତାଙ୍କ ମତାମତ ଲୋଡ଼ାଯିବାରେ ସେ କହିଛନ୍ତି ଯେ କେବଳ ଅହିଂସା ମାର୍ଗରେ ହିଁ ଦେଶ ସ୍ବାଧୀନତା ପାଇଛି; ତେବେ ନେତାଜୀଙ୍କ ଜାତୀୟ ସେନାର ଅନେକ ଅବଦାନକୁ ମଧ୍ୟ ଅସ୍ବୀକାର କରାଯାଇ ନ ପାରେ। ଗାନ୍ଧିଜୀଙ୍କ ପ୍ରେରଣାରେ ସମସ୍ତେ ଉଦ୍‌ବୁଦ୍ଧ ହୋଇ ସ୍ବାଧୀନତା ପାଇଁ ଲଢ଼େଇରେ ଝାସ ଦେଇଥିଲେ। ନେତାଜୀ ମଧ୍ୟ ସେମାନଙ୍କ ମଧ୍ୟରୁ ଜଣେ ବୋଲି ଅନୀତା ସ୍ପଷ୍ଟ କରିଛନ୍ତି।

Comments are closed.