ଆଫ୍ରିଦି ମୋ କ୍ରିକେଟ୍‍ ଜୀବନ ନଷ୍ଟ କରିଛନ୍ତି : କାନେରିଆ

ନୂଆଦିଲ୍ଲୀ : ପାକିସ୍ତାନ କ୍ରିକେଟ୍‍ ଦଳର ପୂର୍ବତନ ଲେଗ୍‍ସ୍ପିନର ଦାନିସ୍‍ କାନେରିଆ ଶନିବାର ଗୁରୁତର ଅଭିଯୋଗ କରିଛନ୍ତି ଯେ ପାକିସ୍ତାନର ପୂର୍ବତନ ଅଧିନାୟକ ସାହିଦ୍‍ ଆଫ୍ରିଦି ତାଙ୍କର ପୂରା କ୍ରିକେଟ୍‍ ଜୀବନରେ ତାଙ୍କୁ ଅବହେଲା କରିଛନ୍ତି। ଆଫ୍ରିଦି ତାଙ୍କ କ୍ରିକେଟ ଜୀବନକୁ ନଷ୍ଟ କରିଛନ୍ତି। ଆଫ୍ରିଦିଙ୍କ ଯୋଗୁଁ ସେ ଏତେ କମ୍‍ ସଂଖ୍ୟକ ଦିନିକିଆ ମ୍ୟାଚ୍‍ ଖେଳିବାର ସୁଯୋଗ ପାଇଲେ ବୋଲି କାନେରିଆ ଅଭିଯୋଗ କରିଛନ୍ତି। ତାଙ୍କ ମାମୁ ଅନୀଲ ଦଳପତ୍‍ଙ୍କ ପରେ ପାକିସ୍ତାନ ପାଇଁ କ୍ରିକେଟ୍‍ ଖେଳିବାରେ ୨ୟ ହିନ୍ଦୁ ଦାନିସ୍‍ କାନେରିଆ ୬୧ଟି ଟେଷ୍ଟମ୍ୟାଚ୍‍ ଖେଳି ୨୬୧ଟି ୱିକେଟ ନେଇଛନ୍ତି। ତେବେ ୨୦୦୦ରୁ ୨୦୧୦ ମଧ୍ୟରେ କାନେରିଆକୁ ମାତ୍ର ୧୮ଟି ଦିନିକିଆ ମ୍ୟାଚ୍‍ ଖେଳିବାକୁ ମିଳିଥିଲା।
ଦାନିସ୍‍ କାନେରିଆ କହିଛନ୍ତି, ମୋ ଧର୍ମ ଛଡ଼ା ମୋ ପ୍ରତି ଆଫ୍ରିଦି ଅବହେଳା ପ୍ରଦର୍ଶନ କରିବାର କୌଣସି କାରଣ ମୋତେ ନଜର ଆସୁନାହିଁ। ତାଙ୍କ ମନୋଭାବ ସବୁବେଳେ ମୋ ବିରୋଧରେ ଥିଲା। ଘରୋଇ ଟୁର୍ଣ୍ଣାମେଣ୍ଟରେ ଆମେ ଗୋଟିଏ ଦଳ ପାଇଁ ଖେଳୁଥିଲୁ। ପୁଣି ଜାତୀୟ ଦଳରେ ଖେଳିବା ବେଳେ- ଉଭୟ କ୍ଷେତ୍ରରେ ସେ ମୋତେ ଶତ୍ରୁ ଭଳି ଦେଖୁଥିଲେ। ଗତବର୍ଷ ପାକିସ୍ତାନର ପୂର୍ବତନ ଫାଷ୍ଟବୋଲର ସୋଏବ୍‍ ଅଖ୍‍ତାର ଅଭିଯୋଗ କରିଥିଲେ ଯେ ତାଙ୍କ ଧର୍ମ ଯୋଗୁଁ ପାକିସ୍ତାନ ଦଳରେ କାନେରିଆଙ୍କୁ ଅବହେଳା କରା ଯାଇଥିଲା। କାନେରିଆ ଆହୁରି କହିଛନ୍ତି, ଅଧିନାୟକ ଭାବେ ଆଫ୍ରିଦି ଅନ୍ୟ ସମସ୍ତଙ୍କୁ ସମର୍ଥନ ଦେଇଥିଲେ; ହେଲେ ମୋତେ ନୁହେଁ। ମୁଁ ଲେଗ୍‍ସ୍ପିନର ଥିଲି; ଆଫ୍ରିଦି ମଧ୍ୟ ଲେଗ୍‍ସ୍ପିନର ଥିଲେ। ବୋଧହୁଏ ଏଥିପାଇଁ ସେ ମୋତେ ଖେଳାଇବାକୁ ଚାହିଁନଥିଲେ।

Comments are closed.