ପୂର୍ବତନ ସରପଞ୍ଚକୁ ହତ୍ୟା କଲେ ମାଓବାଦୀ

ଫୁଲବାଣୀ : କନ୍ଧମାଳ ଜିଲ୍ଲାର ମାଓ ଅଧୁସିତ ଅଞ୍ଚଳ କୁହାଯାଉଥିବା ଫିରିଙ୍ଗିଆ ବ୍ଲକ ଅଧୀନରେ ଥିବା ସୁମେରବନ୍ଧ ପଞ୍ଚାୟତର ପୂର୍ବତନ ସରପଞ୍ଚ ସୁବଳ କହଁରଙ୍କୁ ଅତି ନିର୍ମମ ଭାବରେ ମାଓବାଦୀ ମାନେ ହତ୍ୟା କରି ପୁଣି ଥରେ ନିଜର ସ୍ଥିତି ଜାହିର କରିଛନ୍ତି । ମୃତ ସୁବଳ କହଁର ସୁମେର ବନ୍ଧ ପଞ୍ଚାୟତ ଗଠନ ହେବା ପରେ ପଞ୍ଚାୟତର ପ୍ରଥମ ସରପଞ୍ଚ ଭାବରେ ଦାୟିତ୍ୱ ନେଇଥିଲେ । ପଞ୍ଚାୟତର ସର୍ବାଙ୍ଗୀନ ଉନ୍ନତି ପାଇଁ ମଧ୍ୟ ବହୁ ପ୍ରଚେଷ୍ଟା କରିଥିଲେ । ଯାହାପାଇଁ ମାଓବାଦୀଙ୍କ ଟାର୍ଗେଟରେ ଥିଲେ ସୁବଳ । ଅନେକ ଥର ସୁବଳଙ୍କୁ ମାଓବାଦୀ ମାନେ ଧମକ ମଧ୍ୟ ଦେଇ ଆସୁଥିଲେ । ତେବେ ବୁଧବାର ରାତ୍ର ପ୍ରାୟ ୯ ଟା ସମୟରେ ସୁବଳ ତାଙ୍କ ପରିବାର ସହ ତାଙ୍କ ପୈତୃକ ଗାଁ ସାଉଲି ପଡାସ୍ଥିତ ନିଜ ଘରେ ଶୋଇଥିବା ବେଳେ ୧୦ ରୁ ୧୫ ଜଣ ସଶସ୍ତ୍ର ମାଓବାଦୀ ତାଙ୍କୁ ଘରୁ ଡ଼ାକିନେଇ ତାଙ୍କ ଘର ଅଗଣାରେ ହିଁ ଗୁଳି କରି ହତ୍ୟା କରିଥିବା ସୂଚନା ମିଳିଛି । ଅନ୍ୟପଟେ ଘଟଣା ସ୍ଥଳରୁ ସୁମେରବନ୍ଧ ସିଆରପିଏଫ କ୍ୟାମ୍ପର ଦୂରତା ମାତ୍ର ଗୋଟିଏ କିଲୋ ମିଟର ହୋଇଥିବା ବେଳେ କଡା ସୁରକ୍ଷା ବ୍ୟବସ୍ତା ଥାଇ ମଧ୍ୟ ଏଭଳି ଘଟଣାକୁ ସହଜରେ ଗ୍ରହଣ କରି ପାରୁନାହାନ୍ତି ସ୍ଥାନୀୟ ଜନ ସାଧାରଣ । ତେବେ ଘଟଣାଟି ଗତକାଲି ରାତିରୁ ହୋଇଥିବା ବେଳେ ବର୍ତମାନ ପର୍ୟ୍ୟନ୍ତ କୌଣସି ପୁଲିସ ଅଧିକାରୀ କିମ୍ବା ସୁରାକ୍ଷାକର୍ମୀ ଘଟଣା ସ୍ଥଳରେ ପହଂଚି ନଥିବା ଜଣା ପଡିଛି । ଅନ୍ୟପଟେ ଏହି ଘଟଣା ପରେ ସ୍ଥାନୀୟ ଅଂଚଳରେ ଭୟରେ ବାତାବରଣ ସୃଷ୍ଟି ହୋଇଥିବା ବେଳେ ସାଉଲ ପଡା ଗାଁ ଭୟରେ ଜନ ଶୂନ୍ୟ ହୋଇଯାଇଥିବା ଜଣାପଡିଛି ।

Comments are closed.