କନ୍ଧମାଳ ଦଙ୍ଗା ମାମଲା, ୧୩ ବର୍ଷ ପରେ ୩୦ ଅଭିଯୁକ୍ତଙ୍କୁ କାରାଦଣ୍ଡାଦେଶ

ଫୁଲବାଣୀ/ବାଲିଗୁଡା: ବହୁ ଚର୍ଚ୍ଚିତ ୨୦୦୮ ମସିହା କନ୍ଧମାଳ ଦଙ୍ଗା ମାମଲାର ବିଚାର କରି କନ୍ଧମାଳ ଜିଲା କୋଟଗଡସ୍ଥିତ ପ୍ରଥମ ଶ୍ରେଣୀ ବିଚାର ବିଭାଗ ଅଦାଲତ ବିଚାରପତି ଅନୁରାଗ ଦେହୁରୀ ସାକ୍ଷ୍ୟ ପ୍ରମାଣକୁ ଭିତ୍ତିକରି ୩୦ ଜଣ ଅଭିଯୁକ୍ତଙ୍କୁ ୨ ବର୍ଷ ଲେଖାଏଁ କାରାଦଣ୍ଡାଦେଶ ଦେଇଛନ୍ତି। ଏହାସହ ପ୍ରତ୍ୟେକଙ୍କୁ ଏକ ହଜାର ଟଙ୍କା ଲେଖାଏଁ ଜୋରିମାନା ଆଦେଶ ଦେଇଥିବା ଅଦାଲତର ସରକାରୀ ଓକିଲ ସବିତା ସାମନ୍ତରାୟ ସୂଚନା ଦେଇଛନ୍ତି। କନ୍ଧମାଳ ଦଙ୍ଗାର ୧୩ ବର୍ଷ ପରେ ଆଜି ଏହି ରାୟ ପ୍ରକାଶ ପାଇଛି। ୩୦ ଜଣଙ୍କ ମଧ୍ୟରୁ ଜଣେ ଅଭିଯୁକ୍ତର ମୃତ୍ୟୁ ହୋଇଯାଇଥିବା ବେଳେ ଅନୁପସ୍ଥିତ ଥିବା ୬ ଅଭିଯୁକ୍ତଙ୍କ ନାମରେ ଜାମିନବିହୀନ ଗିରଫ ପରୱାନା ଜାରି କରାଯାଇଛି। ଆଜି ଅଦାଲତରେ ଅନ୍ୟ ୨୪ ଜଣ ଅଭିଯୁକ୍ତ ଉପସ୍ଥିତ ଥିଲେ। ଉପସ୍ଥିତ ୨୪ ଅଭିଯୁକ୍ତଙ୍କୁ ବିଚାରପତି ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି।

ଯେଉଁ ୬ ଜଣଙ୍କ ନାମରେ ଜାମିନବିହୀନ ଗିରଫ ପରୱାନା ଜାରି ହୋଇଛି ସେମାନଙ୍କ ମଧ୍ୟରୁ ଜଣକର ମୃତ୍ୟୁ ହୋଇସାରିଛି। ୨୦୦୮ ମସିହା ଅଗଷ୍ଟ ୨୪ ତାରିଖରେ କୋଟଗଡ଼ ବ୍ଳକ ଅନ୍ତର୍ଗତ ବଣ୍ଡାପିପିଲି ଗ୍ରାମର ଅତୁଲ ପରିଚ୍ଛାଙ୍କ ଘର ସମେତ ଅନ୍ୟ କେତେକଙ୍କ ଘର ଜାଳି ଦିଆଯାଇଥିଲା। ଏହାସହ ସେଠାକାର ଏକ ଚର୍ଚ୍ଚ ପୋଡ଼ି ଦିଆଯାଇଥିବା ନେଇ ସେହିବର୍ଷ ସେପ୍ଟେମ୍ବର ୨ ତାରିଖରେ କୋଟଗଡ଼ ଥାନାରେ ୩୦ଜଣଙ୍କ ନାମରେ ଏତଲା ହୋଇଥିଲା। ଏତଲା ପ୍ରକାରେ କୋଟଗଡ଼ ଥାନା ପୁଲିସ ସେହି ସମୟରେ କେସ ନଂ ୩୩ା୮ରେ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲା।

Comments are closed.