କନ୍ଧମାଳ: ଦୁଇ ଦିନରେ ୧୪୮ ପଜିଟିଭ୍‍ ଚିହ୍ନଟ ସହ ଜଣେ ସଂକ୍ରମିତଙ୍କ ମୃତ୍ୟୁ

*ମୋଟ ସଂକ୍ରମିତ ୧୩୪୯, ମୃତ୍ୟୁ ସଂଖ୍ୟା ୭

ଫୁଲବାଣୀ: ଜିଲ୍ଲାରେ ଦୁଇ ଦିନରେ ୧୪୮ ଜଣ କରୋନା ପଜିଟିଭ୍‍ ଚିହ୍ନଟ ସହ ଜଣେ ସଂକ୍ରମିତଙ୍କର ମୃତ୍ୟୁ ହୋଇଛି। ଫଳରେ ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ୧୩୪୯କୁ ବୃଦ୍ଧି ହୋଇଥିବା ବେଳେ ମୃତକଙ୍କ ସଂଖ୍ୟା ୭ରେ ପହଞ୍ଚିଛି।

ଜିଲ୍ଲା ପ୍ରଶାସନ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ୧୫ ତାରିଖରେ ୯୮ ଜଣ ଚିହ୍ନଟ ହୋଇଥିବା ବେଳେ ରବିବାର ୫୦ ଚିହ୍ନଟ ହୋଇଥିବା ଘୋଷଣା କରାଯାଇଛି। ସମସ୍ତ ୧୪୮ ସଂକ୍ରମିତଙ୍କ ମଧ୍ୟରେ ୮୬ ଜଣ ପୁରୁଷ ଥିବା ବେଳେ ୬୨ ଜଣ ମହିଳା ଅଛନ୍ତି। ଫୁଲବୀଣୀରୁ ୧୭, ଜି ଉଦୟଗିରିରୁ ୧୧, ଦାରିଙ୍ଗବାଡିରୁ ୧୬, ଚକାପାଦରୁ ୧୫, ଟିକାବାଲିରୁ ୫, କେ ନୁଆଁଗାଁରୁ ୫, କୋଟଗଡରୁ ୩୭, ତୁମୁଡିବନ୍ଧରୁ ୧୭, ରାଇକିଆରୁ ୮, ବାଲିଗୁଡାରୁ ୧୨, ଫିରିଙ୍ଗିଆରୁ ୩ ଓ ଖଜୁରୁପଡାରୁ ୨ ଜଣ ଚିହ୍ନଟ ହୋଇଛନ୍ତି। ଏଥି ସହ ଜଣେ ସଂକ୍ରମତିଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ବୟସ ୫୯ ବର୍ଷ ହୋଇଥିବା ବେଳେ ସେ  ମଧୁମେହ, ଉଚ୍ଚରକ୍ତଚାପ ଆଦି ରୋଗରେ ପୀଡିତ ଥିଲେ। ଜିଲ୍ଲାରୁ ବର୍ତମାନ ସୁଦ୍ଧା ମୋଟ ୧୩୪୯ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୮୦୭ ଜଣ ସୁସ୍ଥ ହୋଇ ସାରିଛନ୍ତି ଓ ୭ ଜଣଙ୍କର ମୃତ୍ୟୁ ହୋଇ ଯାଇଛି। ବାକି ୫୩୫ ଜଣ ସଂକ୍ରମିତ ଚିକିତ୍ସିତ ହେଉଥିବା ସୂଚନା ମିଳିଛି। ଅନ୍ୟପକ୍ଷରେ ଦିନକୁ ଦିନ ଜିଲାରେ ସଂକ୍ରମିତ ସଂଖ୍ୟା ବୃଦ୍ଧି ପାଉଥିବାରୁ ଏହାକୁ ଦୃଷ୍ଟିରେ ରଖି ଆସନ୍ତା ଅଗଷ୍ଟ ୩୧ ତାରିଖ ପର୍ଯ୍ୟନ୍ତ ସମଗ୍ର ଜିଲାରେ ଶନିବାର ଓ ରବିବାର ସଟ୍‍ଡ଼ାଉନ୍‍ ଘୋଷଣା କରାଯାଇଛି। ଏହାକୁ ଦୃଷ୍ଟିରେ ରଖି ଜିଲା ପ୍ରଶାସନ ଓ ପୁଲିସ୍‍ ପ୍ରଶାସନ ପକ୍ଷରୁ ବ୍ୟାପକ ପେଟ୍ରୋଲିଂ କରାଯାଉଛି। ଅମାନିଆଙ୍କ ଠାରୁ ଜରିମାନା ଆଦାୟ କରାଯାଉଛି।

Comments are closed.