କମଳେଶ ତିୱାରି ହତ୍ୟା ଘଟଣା: ହୋଟେଲରୁ ମିଳିଲା ରକ୍ତଭିଜା ପୋଷାକ

ଲକ୍ଷ୍ନୌ: ହିନ୍ଦୁ ସମାଜ ପାର୍ଟି ପୂର୍ବତନ ଅଧ୍ୟକ୍ଷ କମଳେଶ ତିୱାରିଙ୍କ ହତ୍ୟା ଘଟଣାର ତଦନ୍ତ କରୁଥିବା ଉତ୍ତରପ୍ରଦେଶ ପୁଲିସ ରବିବାର ହତ୍ୟାକାରୀକୁ ଚିହ୍ନଟ କରିବାରେ ସଫଳ ହୋଇଛି। ପୁଲିସ ଡିଜି ଓପି ସିଂହଙ୍କ କହିବା ଅନୁଯାୟୀ ହତ୍ୟାକାରୀ ଦୁଇଜଣ ହେଲେ ମୋଇନୁଦ୍ଦିନ ପଠାନ ଓ ଆସଫାକ ହୁସେନ। ସେମାନେ ପିନ୍ଧିଥିବା ଗୈରିକ ପୋଷାକ ହୋଯେଲ ଖାଲସା ଇନ୍‌ରୁ ଜବତ କରାଯାଇଛି। ପୋଷାକରେ କମଳେଶଙ୍କ ରକ୍ତ ଲାଗିଛି। ପୁଲିସ କହିଛି ଯେ ପଠାନ ଓ ହୁସେନା ଶୁକ୍ରବାର ଅକ୍ଟୋବର ୧୮ରେ ରାତି ୧୦ଟାରେ ହୋଟେଲର କୋଠରି ଭଡା ନେଇଥିଲେ। ନିଜର ବାସ୍ତବ ପରିଚୟ ପତ୍ର ଦେଇ ସେମାନେ ହୋଟେଲ ବୁକ୍‌ କରିଥିଲେ। କମଳେଶଙ୍କୁ ହତ୍ୟା କରିବା ପରେ ରାତି ୧ଟା ୩୦ରେ ହୋଟେଲ କର୍ମଚାରୀଙ୍କୁ ନ ଜଣାଇ ହୋଟେଲ ଛାଡି ଚାଲିଯାଇଥିଲେ। ସେମାନେ ସୁରତରୁ ମିଠା କିଣିଥିବାବେଳେ ଏହାର ବିଲ୍‌କୁ ହୋଟେଲ୍‌ରେ ଛାଡି ଚାଲିଯାଇଥିଲେ। ବିଲ୍‌ରେ ମିଠା ଦୋକାନ ନାମ ଆଧାରରେ ପୁଲିସ ସିସିଟିଭି ଯାଞ୍ଚ କରିଥିଲା। ମିଠା ଦୋକାନ ସିସିଟିଭି ଯାଞ୍ଚରୁ କ​‌ରାଯିବା ପରେ ଅଭିଯୁକ୍ତଙ୍କ ପରିଚୟ ଜଣାପଡିଥିଲା।
ଅନ୍ୟପଟେ କମଳେଶଙ୍କ ପରିବାର ଲୋକ ରବିବାର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଭେଟି ହତ୍ୟାକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନିମନ୍ତେ ଦାବି କରିଛନ୍ତି। ପରିବାର ସମସ୍ତ ସଦସ୍ୟଙ୍କୁ ସୁରକ୍ଷା ବ୍ୟବସ୍ଥା କରାଯିବା ସହ ଆବଶ୍ୟକ କ୍ଷତିପୂରଣ ଦେବାକୁ ସେମାନେ ଦାବି କରିଛନ୍ତି। କମଳେଶଙ୍କ ବଡ ପୁଅ ସତ୍ୟମ ତିୱାରିଙ୍କୁ ସରକାରୀ ଚାକିରି ଦେବାକୁ ନିବେଦନ କରିଛନ୍ତି। ରବିବାର ମହାରଷ୍ଟ୍ର ଆତଙ୍କବାଦ ନିରୋଧ ସ୍କ୍ବାଡ (ଏଟିଏସ୍‌) କହିଛି ଯେ କମଳେଶଙ୍କ ହତ୍ୟାକାଣ୍ଡରେ ଜଡିତ ଅନ୍ୟ ଜଣଙ୍କୁ ଅଟକ ରଖାଯାଇଛି। ଶୁକ୍ରବାର ଗୁଜରାଟରୁ ୩ଜଣ ଓ ଉତ୍ତରପ୍ରଦେଶରୁ ୨ଜଣଙ୍କୁ ଗିରଫ କରାଯାଇଥିଲା। ପୁଲିସ କହିଛି ଯେ ମୋହସିନ ଶେଖ (୨୪), ଖୁର୍ସିଦ ଅହମ୍ମଦ ପଠାନ (୨୩) ଓ ଫୈଜାନ (୨୧) ହତ୍ୟାରେ ଜଡିତ ଥିବା ସ୍ବୀକାର କରିଛନ୍ତି।

Comments are closed.