ମହିଳା ଡିସ୍‌କସ୍‌ରେ କମଲପ୍ରୀତ ପଦକରୁ ବଞ୍ଚିତ

ଟୋକିଓ : ୩ୟ ଭାରତୀୟ ତଥା ୨ୟ ଭାରତୀୟ ମହିଳା ଭାବେ ଅଲିମ୍ପିକ୍‌ସର ଡିସକସ୍‌ ଥ୍ରୋ’ର ଫାଇନାଲରେ ପହଞ୍ଚିଥିବା କମଲପ୍ରୀତ କୌର ୬ଷ୍ଠ ସ୍ଥାନରେ ରହିଛନ୍ତି । ପଦକ ଜିତିବାରୁ ବଞ୍ଚିତ ହୋଇଥିଲେ ହେଁ କମଲପ୍ରୀତ ଚମତ୍କାର ପ୍ରଦର୍ଶନ କରି ୧୨ ଜଣ ଫାଇନାଲିଷ୍ଟଙ୍କ ମଧ୍ୟରେ‌ ୬ଷ୍ଠ ସ୍ଥାନରେ ରହି ଭାରତୀୟଙ୍କ ହୃଦୟ ଜିଣି ପାରିଛନ୍ତି । ଯୋଗ୍ୟତା ପର୍ଯ୍ୟାୟରେ ୬୪ ମିଟର ଦୂରକୁ ଡିସ୍‌କସ୍ ଫିଙ୍ଗି ସିଧାସଳଖ ଫାଇନାଲରେ ପଞ୍ଜାବର କମଲପ୍ରୀତ ପ୍ରବେଶ କରିଥିଲେ । ଫାଇନାଲରେ କମଲପ୍ରୀତ ପ୍ରଥମ ୩ଟି ଥ୍ରୋ ମଧ୍ୟରୁ ପ୍ରଥମ ପ୍ରୟାସରେ ୬୧.୬୨ ମିଟର ଏବଂ ୩ୟ ଥ୍ରୋ’ରେ ୬୩.୭୦ ମିଟର ଦୂରତା ହାସଲ କରିଥିଲେ। ତାଙ୍କର ୨ୟ ଥ୍ରୋ ଫାଉଲ ହୋଇଥିଲା। ପ୍ରଥମ ୮ ଜଣଙ୍କ ମଧ୍ୟରେ ରହି କମଲପ୍ରୀତ ଆଉ ୩ଟି ଲେଖାଏଁ ଥ୍ରୋ କରିବାର ସୁଯୋଗ ପାଇଥିଲେ। ଏଥିରେ କମଲପ୍ରୀତ ନୈରାଶ୍ୟଜନକ ପ୍ରଦର୍ଶନ କରିଥିଲେ । ୬୬ ମିଟର ହାସଲ କରିଥିଲେ ହେଁ ଭାରତର ପ୍ରଥମ ଦୌଡ଼କୁଦ ପ୍ରତିଯୋଗୀ ଭାବେ କମଲପ୍ରୀତ ଅଲିମ୍ପିକ୍‌ସ ପଦକ ହାସଲ କରି ପାରିଥାଆନ୍ତେ । କମଲପ୍ରୀତଙ୍କ ୪ର୍ଥ  ଓ ୬ଷ୍ଠ ଥ୍ରୋ ଫାଉଲ ହୋଇଥିବା ବେଳେ ୫ମ ପ୍ରୟାସରେ ମାତ୍ର ୬୧.୩୭ ମିଟର ଦୂରତା ହାସଲ କରିିଥିଲେ। ଫଳରେ ୬୩.୭୦ ମିଟର ଦୂରତା ସହ କମଲପ୍ରୀତ ୬ଷ୍ଠ ସ୍ଥାନରେ ରହିଥିଲେ ।

ପ୍ରଥମ ପ୍ରୟାସରେ ୬୮.୯୮ ମିଟର ଦୂରତା ହାସଲକରି ଆମେରିକାର ଭାଲେରି ଆଲ୍‌ମାନ୍ ସ୍ବର୍ଣ୍ଣ ଜିତିଥିବା ବେଳେ ୫ମ ପ୍ରୟାସରେ ୬୬.୮୬ ମିଟର ସହ ଜର୍ମାନୀର କ୍ରିଷ୍ଟିନ୍ ପୁଡେଞ୍ଜ୍‌ ରୌପ୍ୟ ପଦକ ଜିତିଥିଲେ। ପ୍ରଥମ ପ୍ରୟାସରେ ୬୫.୭୨ ମିଟର ଦୂରତା ସହ କ୍ୟୁବାର ୟାଇମେ ପିରିଜ୍‌ କାଂସ୍ୟ ପଦକ ଜିତିଥିଲେ । ସେହିପରି ଗତ ୨ଟି ଅଲିମ୍ପିକ୍‌ସରେ ସ୍ବର୍ଣ୍ଣପଦକ ଜିତିଥିବା କ୍ରୋଏସିଆର ସାନ୍ଦ୍ରା ପେର୍କୋଭିଚ୍ ୬୫.୦୧ ମିଟର ଦୂରତା ହାସଲକରି ୪ର୍ଥ ସ୍ଥାନରେ ରହି ପଦକରୁ ବଞ୍ଚିତ ହୋଇଛନ୍ତି ।

Comments are closed.