କଂଗ୍ରେସ ନେତା କମଳନାଥଙ୍କୁ ‘‘ଜାଲିମ’’ କହିଲେ ସାଂସଦ ଓୱେସୀ

କଂଗ୍ରେସ ସହ ହାଇଦ୍ରାବାଦର ମୁସଲିମ୍ ନେତା ତଥା ସାଂସଦ ଓୱେସୀଙ୍କ ସମ୍ପର୍କ ବେଶ୍ ମଧୁର । ମାତ୍ର ଶୁକ୍ରବାର ଏକ ଘଟଣାକ୍ରମେ ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସର ବରିଷ୍ଠ ନେତା କମଳନାଥଙ୍କୁ ଅତି କଟୁ ଭାଷାରେ ଗାଳି କରିଛନ୍ତି ଓୱେସୀ । ଏପରିକି ତାଙ୍କ ପ୍ରତି ‘ଜାଲିମ’ ବା ଅତ୍ୟାଚାରୀ ପରି କଠୋର ଶବ୍ଦ ପ୍ରୟୋଗ କରିବାକୁ ପଛାଇ ନାହାନ୍ତି । ହେଲେ ଅକସ୍ମାତ ଓୱେସୀ କାହିଁକି କମଳନାଥଙ୍କୁ ଗାଳିଦେଲେ?

ଘଟଣାଟି ହେଉଛି ଏମିତି ଶୁକ୍ରବାର ଏକ ଭିଡ଼ିଓ ବାର୍ତାରେ ମଧ୍ୟପ୍ରଦେଶର କଂଗ୍ରେସ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ କମଳନାଥ ରାମମନ୍ଦିର ନିର୍ମାଣକୁ ସ୍ବାଗତ କରିଥିଲେ । ସେ କହିଥିଲେ ଯେ ମୁଁ ଅଯୋଧ୍ୟାରେ ରାମମନ୍ଦିର ନିର୍ମାଣକୁ ସ୍ବାଗତ କରୁଛି । ଦେଶବାସୀ ଅନେକ ଦିନ ହେଲା ଏଥିପାଇଁ ପ୍ରତୀକ୍ଷା କରିିଥିଲେ ଓ ଏହା ସେମାନଙ୍କର ଆକାଂକ୍ଷା ଥିଲା । ଭାରତବାସୀଙ୍କ ସହମତିରେ ରାମମନ୍ଦିର ନିର୍ମାଣ ହେଉଛି, ଏହା କେବଳ ଭାରତରେ ହିଁ ସମ୍ଭବ ବୋଲି କମଳନାଥ କହିଥିଲେ।


ମାତ୍ର କମଳନାଥଙ୍କ ଏହି ମନ୍ତବ୍ୟ ଓୱେସୀଙ୍କୁ ଆଦୌ ଭଲ ଲାଗି ନ ଥିଲା । ସେ ଟ୍ବିଟରରେ କଂଗ୍ରେସ ଓ କମଳନାଥଙ୍କ ଉପରେ ପ୍ରତି ଆକ୍ରମଣ ଆରମ୍ଭ କରିଦେଇଥିଲେ । ସେଥିରେ ଲେଖିଥିଲେ ‘‘ଜାଲିମ୍’’ ହୃଦୟର କଥା ଏଥର ତୁଣ୍ଡରେ ଆସିଗଲା । ଆପଣଙ୍କୁ ଏଇଠି ଅଟକି ଯିବା ଉଚିତ୍ ନୁହେଁ । ମୋର ପରାମର୍ଶ ହେଉଛି ଭାରତରେ କଂଗ୍ରେସର ସବୁ ଅଫିସରୁ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ନିମନ୍ତେ ବାଲି ଦାନ କରିବା ଉଚିତ ।

ସୂଚନାଯୋଗ୍ୟ ଯେ ଏହାପୂର୍ବରୁ ଓୱେସୀ ଅଯୋଧ୍ୟା ରାମମନ୍ଦିର ଶିଳାନ୍ୟାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଯୋଗଦାନକୁ ନେଇ ଆପତ୍ତି ଉଠାଇଥିଲେ । ଏଆଇଏମ୍ଆଇଏମର ଏହି ନେତା ସମ୍ବିଧାନ ବାହାନା ଦେଖାଇ ସେଠାକୁ ପ୍ରଧାନମନ୍ତ୍ରୀଙ୍କ ଯିବା ଉଚିତ ହେବ ନାହିଁ ଓ ସମ୍ବିଧାନ ଉଲ୍ଲଙ୍ଘନ ହେବ ବୋଲି କହିଥିଲେ ।

Comments are closed.