ଝଡ଼ା କମଳର ବାସ୍ନା

ପ୍ରଫେସର କମଳକୁମାରୀ ପଟ୍ଟନାୟକଙ୍କ ଶ୍ରାଦ୍ଧବାର୍ଷିକୀ ଅବସରରେ

ପ୍ରଖ୍ୟାତ ଉଦ୍ଭିଦବିଜ୍ଞାନୀ, ସ୍ନେହୀ ଛାତ୍ରବତ୍ସଳ, କର୍ତ୍ତବ୍ୟପରାୟଣ ପ୍ରଫେସର ଡକ୍ଟର କମଳ କୁମାରୀ ପଟ୍ଟନାୟକଙ୍କ ତିରୋଧାନ ଚାହୁଁଚାହୁଁ ଏକ ବର୍ଷ ପୂରିଗଲା। ଏହି ମହୀୟସୀଙ୍କ ନାମ ଯେ କମଳ ଥିଲା ତାହା ନୁହେଁ; ପ୍ରକୃତରେ ସେ ତାଙ୍କର ସାରାଜୀବନ କାର୍ଯ୍ୟକାଳର ଆଚରଣ ଓ ଉଚ୍ଚାରଣରେ କମଳ ପୁଷ୍ପ ତୁଲ୍ୟ ଶାନ୍ତଶୀତଳ ଦୟାଳୁ ତଥା ଜଣେ ଆଦର୍ଶ ନୀତିନିଷ୍ଠ ପ୍ରଫେସର ଭାବେ ଛାତ୍ର ସମାଜ ତଥା ସାଧାରଣରେ ପରିଚିତ ଥିଲେ। ସେ ମୋର ଗୁରୁ ଥିଲେ ଓ ରେଭେନ୍ସା କଲେଜ ପିଜି ଶ୍ରେଣୀରେ ମୁଁ ତାଙ୍କଠାରୁ ଉପଦେଶ ପାଇଁ ସ୍ପେସାଲ ପେପରର ଗବେଷଣା ବିଷୟବସ୍ତୁ ପ୍ରସ୍ତୁତ କରିଥିଲି। ତାଙ୍କ ଭଳି ଆଦରଣୀୟା ଶିକ୍ଷାବିତ୍‌ ବିରଳ।
ଆମେ ଛାତ୍ରସମାଜ ତାଙ୍କୁ ଜାଣିଥିଲୁ ଜଣେ ନିଷ୍ଠାପର ଗଛପତ୍ରର ଗବେଷକ ମଣିଷ ଭାବେ। ନିଜ ପରିବାରରେ କିନ୍ତୁ ସେ ଥିଲେ ଜଣେ ଅତ୍ୟନ୍ତ ଆଡ଼ମ୍ବରଶୂନ୍ୟ, ପତିଭକ୍ତ ସାଧାରଣ ମହିଳା। ସ୍ବାମୀ ବାମପନ୍ଥୀ, ସାମ୍ୟବାଦୀ ଛାତ୍ରନେତା ତଥା ‘ୟୁନିଭର୍ସ’ର ପ୍ରତିଷ୍ଠାତା ଗିରିଜା ଭୂଷଣ ପଟ୍ଟନାୟକଙ୍କର ସମସ୍ତ ଅଳିଅର୍ଦ୍ଦଳି ସେ ସହୁଥିଲେ। ୟୁନିଭର୍ସର ବିକାଶରେ ମ୍ୟାଡମଙ୍କର ପ୍ରଚ୍ଛନ୍ନ ସହଯୋଗ ରହିଆସିଥିଲା। ନିଜ ଦରମାରୁ ଘର ସଂସାର, ପରିବାର ସଞ୍ଚାଳନ ସବୁ ହିଁ ଚାଲୁଥିଲା। ଘରେ ରୋଷେଇଠାରୁ ଆରମ୍ଭ କରି ପିଲାଛୁଆଙ୍କ ଦାୟିତ୍ବ ଯାଏ ସବୁ କାମ, ପରେ ରେଭେନ୍ସାରେ ଅଣ୍ଡରଗ୍ରାଜୁଏଟ୍‌, ପିଜି ଶ୍ରେଣୀରେ ପାଠପଢ଼ା, ଗବେଷଣା କାର୍ଯ୍ୟ ତଦାରଖର ବ୍ୟସ୍ତତା ଭିତରେ ସ୍ବାମୀଙ୍କ ନିର୍ଦେଶକୁ ମ୍ୟାଡମ ଅମାନ୍ୟ କରିବାର କେହି କେବେ ଦେଖିନାହିଁ।
ସେ ଥିଲେ ଅନନ୍ୟ ଉଦ୍ଭିଦପ୍ରେମୀ। କେବଳ ଔଷଧ ବୃକ୍ଷ ଉପରେ ସେ ଅନେକ ପୁସ୍ତକ, ପାଠ୍ୟପୁସ୍ତକ ଲେଖିଥିଲେ ତାହା ନୁହେଁ; ନିଜ ବାଡ଼ିରେ ଥିବା ଅନେକ ଗଛପତ୍ର ଶ୍ବାସରୋଗୀଙ୍କୁ ଖୁଆଇ ଶହଶହ ରୋଗୀଙ୍କୁ ଆରୋଗ୍ୟ କରିଥିଲେ। ଓଡ଼ିଶା ପବ୍ଲିକ ସର୍ଭିସ କମିସନର ସଭ୍ୟା ରୂପେ ତାଙ୍କର ଦକ୍ଷତା ବାସ୍ତବିକ ପ୍ରଶଂସନୀୟ।
ଡକ୍ଟର ପ୍ରମୋଦ କୁମାର ମହାପାତ୍ର
ବରିଷ୍ଠ ସାମ୍ବାଦିକ, କଟକ-୮

Comments are closed.