କୂଅରେ ପଡ଼ି ନାବାଳକ ମୃତ

କାମାକ୍ଷାନଗର: କାମାକ୍ଷାନଗର ଥାନା ଅନ୍ତର୍ଗତ ସାରଦେଇପୁର ଗ୍ରାମରେ ନାଚ ଦେଖିବାକୁ ଯାଇ ଏକ ଖୋଲା କୂଅରେ ପଡ଼ି ଜଣେ ନାବାଳକର ମୃତ୍ୟୁ ଘଟିଛି। ମୃତ ନାବାଳକ ଜଣଙ୍କ ତୁମୁସିଙ୍ଗା ଥାନା ବୋଲୁଅ ଗାଁର ବିରଞ୍ଚି ନାୟକଙ୍କ ୧୨ ବର୍ଷୀୟ ପୁଅ ଶୁଭମ ନାୟକ। ଶୁଭମ ମାମୁଁଘରକୁ ନିଜ ପରିବାର ଲୋକଙ୍କ ସହିତ ଯାତ୍ରା ଦେଖିବାକୁ ଯାଇଥିଲେ। ବିଳମ୍ବିତ ରାତିରେ ଯାତ୍ରା ଚାଲିଥିବା ବେଳେ ପରିଶ୍ରା କରିବାକୁ ଆସି ପାଖରେ ଥିବା ଏକ ଖୋଲା କୂଅରେ ଖସି ପଡ଼ିଥିଲେ। ପରିବାର ଲୋକେ ବିଳମ୍ବିତ ରାତିରେ ବହୁ ଖୋଜାଖୋଜି କରିଥିଲେ, ମାତ୍ର ଶୁଭମଙ୍କର କୌଣସି ପତ୍ତା ପାଇନଥିଲେ। ସୋମବାର ସକାଳେ ଗ୍ରାମବାସୀ ଶୁଭମଙ୍କ ମୃତଦେହ କୂଅରେ ଭାସୁଥିବା ଦେଖି ପରିବାର ଲୋକଙ୍କୁ ଖବର ଦେଇଥିଲେ। ସ୍ଥାନୀୟ ଲୋକଙ୍କ ସହାୟତାରେ ଶୁଭମଙ୍କ ମୃତଦେହ କୂଅରୁ ଉଦ୍ଧାର କରାଯାଇଥିଲା। ଏନେଇ ଖବର ପାଇ କାମାକ୍ଷାନଗର ପୁଲିସ ମୃତଦେହକୁ ବ୍ୟବଚ୍ଛେଦ ପାଇଁ କାମାକ୍ଷାନଗର ମେଡ଼ିକାଲ ପଠାଇଛି। ଶୁଭମଙ୍କ ମୃତ୍ୟୁକୁ ନେଇ ମାମୁଁଘର ସରଦେଇପୁର ଓ ନିଜ ଗାଁ ବୋଲୁଅରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।

Comments are closed.