MEllora 950×100

ଭାରୀଯାନ ଚଳାଚଳରେ କଟକଣା ନେଇ ବିଭିନ୍ନ ସଂଗଠନ ପକ୍ଷରୁ ଉପଜିଲ୍ଲାପାଳଙ୍କ ସହ ଆଲୋଚନା

କାମାକ୍ଷାନଗର: କାମାକ୍ଷାନଗର ଦେଇ ଚଳପ୍ରଚଳ କରୁଥିବା ଭାରୀଯାନରେ କଟକଣା ନେଇ ବିଭିନ୍ନ ସଂଗଠନ ପକ୍ଷରୁ ବୁଧବାର ଉପଜିଲ୍ଲାପାଳଙ୍କ ସହିତ ଆଲୋଚନା କରିଥିବା ଜଣାପଡ଼ିଛି l କାମାକ୍ଷାନଗର ସହର ମଧ୍ୟ ଦେଇ ବହୁ ଭାରୀଯାନ ବେଧଡ଼କ ଭାବେ ଚଳପ୍ରଚଳ କରୁଥିବାରୁ ବହୁ ସମୟରେ ବରିଷ୍ଠ ନାଗରିକ, ଛାତ୍ରଛାତ୍ରୀ ନାହିଁ ନ ଥିବା ସମସ୍ୟାର ସମ୍ମୁଖୀନ ହେଉଥିବାର ଗଣମାଧ୍ୟମ ମାଧ୍ୟମରେ ଦାବି ହୋଇ ଆସୁଥିଲା l ହେଲେ ପ୍ରଶାସନ ପକ୍ଷରୁ ଏଥିପ୍ରତି କୋଣସି ପଦକ୍ଷେପ ନିଆଯାଇ ନାହିଁ l ବୁଧବାର ସମାଜ ପାଠକ ବିଚାର ମଞ୍ଚ, ବଣିକ ସଂଘ, ଉପଖଣ୍ଡ ସାମ୍ବାଦିକ ସଂଘ, ସିଭିଲ ସୋସାଇଟି, ମିଳିତ ବଜାର କମିଟି ପକ୍ଷରୁ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଉପଜିଲ୍ଲାପାଳ ଜ୍ୟୋତି ଶଙ୍କର ସାହୁଙ୍କ ସହିତ ଆଲୋଚନା କରାଯାଇଥିଲା l

ଏଥିରେ କାମାକ୍ଷାନଗର ସହର ଦେଇ ବହୁ ଟ୍ରଲର ଯାଉଥିବା, ସାପ୍ତାହିକ ସୋମବାର ହାଟ ମଧ୍ୟରେ ଗାଡି ଚଳାଚଳ, ୫୩ ନଂ ଜାତୀୟ ରାଜପଥର ବାଇପାସର ଜିରିଡାମାଳୀ-କଙ୍କଡ଼ାହାଡ଼ ରାସ୍ତାରେ ଗାଡି ଚଳାଚଳରେ କଟକଣା, କାମାକ୍ଷାନଗର-ଢେଙ୍କାନାଳ ମଧ୍ୟରେ ଘରୋଇ ବସରେ ଧାର୍ଯ୍ୟ ଠାରୁ ଅଧିକ ଭଡା ନେବା  ଆଦି ଆଲୋଚନା କରାଯାଇଥିଲା l ଏହି ଆଲୋଚନା ମଧ୍ୟରେ ପୂର୍ବାହ୍ନ ୮ଟାରୁ ରାତି ୮ଟା ପର୍ଯ୍ୟନ୍ତ ନୋ ଏଣ୍ଟ୍ରି କରିବା, ସାପ୍ତାହିକ ସୋମବାର ହାଟ ଦିନ ଭାରୀଯାନ ଚାଳାଚଳରେ କଟକଣା ସହିତ ବାଇପାସରେ ଲାଇଟ ବ୍ୟବସ୍ଥା ଆଦି ସଂପର୍କରେ ଢେଙ୍କାନାଳ ଜିଲ୍ଲାପାଳଙ୍କ ସହିତ ଆଲୋଚନା କରି କାର୍ଯ୍ୟାନୁଷ୍ଠାନ ନେବା ସକାଶେ ଉପଜିଲ୍ଲାପାଳ ଶ୍ରୀ ସାହୁ ପ୍ରକାଶ କରିଥିଲେ l

ଏହି ଆଲୋଚନାରେ ଏନଏସି ଅଧ୍ୟକ୍ଷ ଧର୍ମାନନ୍ଦ ପରିଡା, ଶୁଭମୟ ନନ୍ଦ, ମେଜର ପ୍ରଭାତ କୁମାର ଦାଶ, ଡକ୍ଟର ପ୍ରଫୁଲ୍ଲ କୁମାର ପାଣି, ରଞ୍ଜନ କୁମାର ରାଉତ, ପ୍ରକାଶ କୁମାର ପାତ୍ର, ବିଶ୍ୱଜିତ ପଟ୍ଟନାୟକ, ମଙ୍ଗତଲାଲ କାଟ୍ଟାରୁକା, ଶୁଭ୍ରାଂଶୁ ମହାନ୍ତି, ସଂଜୀବ କିଶୋର ପଣ୍ଡା, ଅଭୟ ମହାପାତ୍ର, ସୁମିତ୍ରା ମିଶ୍ର, ପଦ୍ମନାଭ ଦାସ, ସୋମ୍ୟରଞ୍ଜନ ନାୟକ, ଲୁଣି ମୋହତା, ମନୀଷ କୁମାର ମାହେଶ୍ୱରୀ, ସର୍ବେଶ୍ୱର ସାହୁ ପ୍ରମୁଖ ଉପସ୍ଥିତ ଥିଲେ l

Comments are closed.