ଗାଁ ଦାଣ୍ଡରେ ଫୁଟିଲା ଗୁଳି; ଛାତରୁ ପଡ଼ି ଜଣେ ଆହତ

କାମାକ୍ଷାନଗର: ଢେଙ୍କାନାଳ ସଦରଥାନା କାଙ୍କଡପାଳ ଗାଁରେ ତିନି ରାଉଣ୍ଡ ଫାଙ୍କା ଗୁଳି ଚାଳନା ହୋଇଛି । ଭୟଭୀତ ଅବସ୍ଥାରେ ଛାତରୁ ଖସିପଡି ଜଣେ ଆହତ ହୋଇଛନ୍ତି । ସୂଚନା ମୁତାବକ ଗତକାଲି ବିଳମ୍ବିତ ରାତିରେ କିଛି ଦୁର୍ବୃତ୍ତ ବାଇକରେ ଆସି କାଙ୍କଡପାଳ ଗାଁ ମଝିରେ ଫାଙ୍କା ଗୁଳିକାଣ୍ଡ କରି ଚାଲିଯାଇଥିଲେ । ଏନେଇ ଖବର ପାଇବା ପରେ ସଦର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚିବା ସହ ୩ଟି ଖୋକା ଜବତ କରିଛି ।

ଗତକାଲି ରାତିରେ କାଙ୍କଡପାଳ ଗାଁର କିଛି ଯୁବକ ନିକଟସ୍ଥ ରଞ୍ଜା ଛକକୁ ଯାଇଥିଲେ । ସେଠାରେ କିଛି ଯୁବକ ତାଙ୍କୁ ବନ୍ଧୁକ ଦେଖାଇ ଟଙ୍କା ମାଗିଥିଲେ । କିନ୍ତୁ ଟଙ୍କା ନଦେବାରୁ ସେମାନେ କାଙ୍କଡପାଳ ଗାଁକୁ ଆସି ସେଠାରେ ବନ୍ଧୁକ ଦେଖାଇ ଲୋକଙ୍କୁ ଭୟଭୀତ କରାଇ ଖରାପ ଭାଷାରେ ଗାଳିଗୁଲଜ କରିଥିଲେ । ପରେ ବଜରଙ୍ଗ କ୍ଲବ ପକ୍ଷରୁ ଗାଁର କ୍ଲବ ଘରେ ଗଣେଷପୂଜା ହିସାବ ଚାଲିଥିବା ବେଳେ ତିନିଜଣ ଯୁବକ ସେଠାରେ ପହଞ୍ଚି ତିନି ରାଉଣ୍ଡ ଫାଙ୍କା ଗୁଳି ଚଳାଇ ଖସି ପଳାଇଥିଲେ ।

ଛାତ ଉପରେ ବସି ହିସାବ କରୁଥିବା ଅଜିତ କୁମାର ସାହୁ ନାବକ ଜଣେ ଯୁବକ ବୋମାମାଡ ହେଉଥିବା ଭାବି ଛାତ ଉପରୁ ତଳକୁ ଡେଇଁ ପଡିଥିଲେ । ଫଳରେ ତାଙ୍କର ମୁଣ୍ଡ ଓ ଗୋଡରେ ଗଭୀର ଆଘାତ ଲାଗିଛି ।  ଆଖପାଖ ଅଞ୍ଚଳର କିଛି ଯୁବକ ଏଭଳି କାଣ୍ଡ ଘଟାଇଥିବା କୁହାଯାଉଛି । କୌଣସି ପୂର୍ବ ଶତ୍ରୁତା ନଥିବା ସତ୍ତ୍ବେ କାହିଁକି ଏଭଳି ଫାଙ୍କା ଗୁଳିଚାଳନା କରାଗଲା ସେନେଇ ଅଧିକ ତଦନ୍ତ କରୁଛି ସଦରଥାନା ପୁଲିସ ।

Comments are closed.