ମରଣାତ୍ମକ ଆକ୍ରମଣ ଅଭିଯୋଗରେ ଅଭିଯୁକ୍ତକୁ ଏକ ବର୍ଷ ଜେଲ

କାମାକ୍ଷାନଗର: କାମାକ୍ଷାନଗର ସହକାରୀ ଦୌରାଜଜ ଏକ ମରଣାତ୍ମକ ଆକ୍ରମଣ ଅଭିଯୋଗର ବିଚାର କରି ଅଭିଯୁକ୍ତକୁ ଏକ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି। ଘଟଣାରୁ ପ୍ରକାଶ ଯେ ପରଜଙ୍ଗ ଥାନା ଲୋଧଣି ଗ୍ରାମର ବେନୁଆ ନାଏକ ଗତ ୧୨.୧୧.୨୦୧୩ ଦିନ କୌଣସି କାରଣରୁ ରାଗିଯାଇ ଗୁଣନିଧି ନାଏକଙ୍କ ଘର ଆଗରେ ଅସଭ୍ୟ ଭାଷାରେ ଗାଳି ଗୁଲଜ କରୁଥିଲେ। ଏହାଦେଖି ଗୁଣନିଧି ନାଏକଙ୍କ ସାନ ମଝିଆଁ ପୁଅ ପ୍ରଦୀପ ନାଏକ ଏହାର ପ୍ରତିବାଦ କରିବାରୁ ବେନୁଆ ଓ ତାର ପୁଅ ସାନକୋଲହ ନାଏକ ଏକ ଟାଙ୍ଗିଆରେ ପ୍ରଦୀପର ବାମ ହାତକୁ ହାଣି ଦେଇଥିଲା।

ଏହାଦେଖି ଗୁଣନିଧିଙ୍କ ମଝିଆଁ ପୁଅ ଅରୁଣ ନାଏକ ବେନୁଆ ଠାରୁ ପ୍ରଦୀପକୁ ଛଡାଇବା ଅବସ୍ଥାରେ ବେନୁଆ ଧରିଥିବା ସେହି ଟାଙ୍ଗୀଆରେ ଅରୁଣର ବେକ ପଛ ପାଖକୁ ହାଣି ଦେଇଥିଲା। ପରେ ପରିବାର ଲୋକେ ସେମାନଙ୍କୁ ଉଦ୍ଧାର କରି ରକ୍ତ ଜୁଡୁବୁଡୁ ଅବସ୍ଥାରେ ପରଜଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରିଥିଲେ। ଅବସ୍ଥା ଗୁରୁତର ଥିବାରୁ ଡାକ୍ତର ସେମାନଙ୍କୁ ପ୍ରାଥମିକ ଚିକିତ୍ସା ପରେ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସ୍ଥାନାନ୍ତର କରିଥିଲେ। ଏ ଘଟଣା ସମ୍ପର୍କ ରେ ବାପା ଗୁଣନିଧି ପରଜଙ୍ଗ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ। ପରଜଙ୍ଗ ପୁଲିସ ଥାନାରେ ଏକ ମାମଲା ରୁଜ୍ଜୁ କରି ଅଭିଯୁକ୍ତ ବେନୁଆ ଓ ତାର ପୁଅ ସାନକୋଲକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଏହି ମାମଲା ବିଚାର କରି ବରିଷ୍ଠ ଦେୱାନୀ ବିଚାରକ ଶ୍ରଦ୍ଧାଞ୍ଜଳି ରାୟ ଉପଯୁକ୍ତ ପ୍ରମାଣକୁ ଆଧାର କରି ଅଭିଯୁକ୍ତ ବେନୁଆକୁ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ବେନୁଆ ନାଏକ ବୃଦ୍ଧ ବ୍ୟକ୍ତି ହୋଇଥିବାରୁ ତଥା ତାର ନାମରେ ଆଗରୁ କୌଣସି ଫୌଜଦାରୀ ମାମଲା ନଥିବାରୁ ତାଙ୍କୁ କୋଡିଏ ହଜାର ଟଙ୍କାର ବ୍ୟକ୍ତିଗତ ମୁଚଲିକାରେ ଛାଡିଛନ୍ତି।

Comments are closed.