ରାସ୍ତା ଅବସ୍ଥା ଶୋଚନୀୟ. ଜମୁଛି ଆବର୍ଜନା ପାଣି

କଲ୍ୟାଣସିଂହପୁର: ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକରେ ସିକରପାଇ ଠାରୁ କଲ୍ୟାଣସିଂହପୁର ବ୍ଲକ କାର୍ଯ୍ୟାଳୟ ପର୍ଯ୍ୟନ୍ତ ପୂର୍ତ୍ତ ବିଭାଗ ଦ୍ବାରା ପ୍ରାୟ ୧ ବର୍ଷ ହେବ ରାଜ୍ୟରାଜପଥ ରାସ୍ତା ନିର୍ମାଣ ଚାଲିଛି। ଉକ୍ତ ରାସ୍ତା ନିର୍ମାଣ କାର୍ଯ୍ୟ ପ୍ରାୟ୧୫ କିମି ସରିଥିବା ବେଳେ ଏକ ବର୍ଷ ବିତିଯାଇଥିଲେ ମଧ୍ୟ ବିଭାଗୀୟ ଅଧିକାରୀଙ୍କ ମନମୁଖୀ ଶାସନ ଓ ଅବହେଳା ଯୋଗୁଁ ରାସ୍ତା କାମ ସମ୍ପୂର୍ଣ୍ଣ ହେବାର ନା ଧରୁନି। ଯାହାଫଳରେ ମୁଖ୍ୟ ରାସ୍ତାର ଉଭୟ ପାର୍ଶ୍ୱରେ ଥିବା ଡ୍ରେନ କାର୍ଯ୍ୟ ଚାଲୁଥିବା ବେଳେ ଡ୍ରେନର ମାଟି ଗୁଡିକ ରାସ୍ତା ଉପରେ ପଡ଼ିଥିବା ଯୋଗୁଁ ଯାତାୟତରେ ବାଧାସୃଷ୍ଟି ହେଉଛି । ଡ୍ରେନର ପାଣି କେଉଁ ଆଡେ ନଯାଇ ସ୍ଥାନେ ସ୍ଥାନେ ଆଣ୍ଠୁଏ ଲେଖାଏଁ ଜମି ରହିଛି। ଫଳରେ ସେଠାରୁ ଦୁର୍ଗନ୍ଧ ନିର୍ଗତ ହେଉଛି। ପୁଲିସ କ୍ୟାମ୍ପର ଅପରିସ୍କାର ଆବର୍ଜନା ପାଣି ଓ ଘରର ଅପରିଷ୍କାର ପାଣି ଡ୍ରେନରେ ଜମା ହୋଇ ରହୁଛି। ଏଥିରେ ସ୍ୱାସ୍ଥ୍ୟ ବିଭାଗ, ପଞ୍ଚାୟତ, ବ୍ଲକ ପ୍ରଶାସନ ଅଧିକାରୀଙ୍କୁ ଅଭିଯୋଗ କରାଯାଇଥିଲେ ମଧ୍ୟ ସେମାନେ ଆଦୌ କର୍ଣ୍ଣପାତ କରୁନାହାନ୍ତି। ରାସ୍ତା କାଦୁଅ ହେଉଥିବା ଯୋଗୁଁ ଚଲା ପଥଚାରି ଯାତାୟତରେ ବାଧା ସୃଷ୍ଟି ହେଉଛି। ଅନେକ ଲୋକ ରାସ୍ତାରେ ଖସି ପଡି ଖଣ୍ଡିଆ ଖାବରା ହେଉଥିବା ଦେଖିବାକୁ ମିଳିଛି।

 

ଅନେକ ସ୍ଥାନରେ ଡ୍ରେନରେ ଲୁହା ଛଡ଼ ପକାଇ ଛାଡି ଦେଇଥିବା ଯୋଗୁଁ ବିପଦ ସଙ୍କେତ ଅବସ୍ଥାରେ ରହିଛି। ଏସବୁ ସମସ୍ୟାକୁ ନେଇ ବାରମ୍ବାର ବିଭାଗୀୟ କନିଷ୍ଠ ଯନ୍ତ୍ରୀ ଓ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ଅଭିଯୋଗ କରିଥିଲେ ମଧ୍ୟ ସେମାନେ ଏହାର ପ୍ରତିକାର ପାଇଁ ପଦକ୍ଷେପ ନେଉନଥିବା ଅଭିଯୋଗ ହୋଇଛି। ଅନ୍ୟ ପଟେ ଠିକାଦାର ଓ ବିଭାଗୀୟ ଅଧିକାରୀଙ୍କ ମଧ୍ୟରେ ତାଳମେଳ ରାହୁନଥିବା ଯୋଗୁଁ ରାସ୍ତା ନିର୍ମାଣରେ ବିଳମ୍ବ ହେଉଛି । ପ୍ରାୟ୮ ମାସ ହେବ ବେସରକାରୀଙ୍କ ଘର ଭାଙ୍ଗିଥିବା ବେଳେ ସରକାରୀ କାର୍ଯ୍ୟାଳୟ ପୁଲିସ ଓ ବ୍ଲକର ପାଚେରୀ ନ ଭାଙ୍ଗିବା ଯୋଗୁଁ ଠିକାଦାରଙ୍କୁ କାର୍ଯ୍ୟ ସମ୍ପୂର୍ଣ୍ଣ କରିବାକୁ ଅସୁବିଧା ହେଉଛି। ରାସ୍ତା ନିର୍ମାଣ ବିଳମ୍ବ ଯୋଗୁଁ ସୁଧ ପାନୀୟ ଜଳ ଓ ବିଦ୍ୟୁତ ସମସ୍ୟା ଦେଖା ଦେଉଛି। ଡ୍ରେନ କାମ ସରୁନଥିବା ଯୋଗୁଁ ଜଳ ଓ ପରିମଳ ବିଭାଗ ନିଜର ନୂତନ ପାଇପ ଲାଇନ ବିଛାଇ ପାରୁନାହାନ୍ତି। ଯାହା ଫଳରେ ପାନୀୟ ଜଳ ସମସ୍ୟା ରହୁଛି ।ଜିଲା ପ୍ରଶାସନ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେଇ ରାଜ୍ୟ ରାଜପଥ ରାସ୍ତା ସମ୍ପୂର୍ଣ୍ଣ କରିବାପାଇଁ ସାଧାରଣରେ ଦାବି ହେଉଛି। ଆଗାମୀ ଦିନରେରାସ୍ତା ନିର୍ମାଣ କରାନଗଲେ ରାଜରାସ୍ତା ଅବରୋଧ କରିବୁ ବୋଲି ପଞ୍ଚାୟତ ବସି କହିଛନ୍ତି। ଏଥିରେ କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେଲେ ପ୍ରଶାସନ ଦାୟୀ ରହିବେ ବୋଲି କହିଛନ୍ତି ।

Comments are closed.