କଲ୍ୟାଣସିଂହପୁରରେ ଘୋଷଯାତ୍ରା

କଲ୍ୟାଣସିଂହପୁର: ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକରେ ଥିବା ଶ୍ରୀଜଗନ୍ନାଥ ମନ୍ଦିରରେ ଶ୍ରୀଜୀଉଙ୍କ ଘୋଷଯାତ୍ରା ବା ରଥଯାତ୍ରା ମହାଆଡମ୍ବରରେ ପାଳନ କରାଯାଇଛି । ହଜାର ହଜାର ଭକ୍ତ ଆସି ଶ୍ରୀଜୀଉଙ୍କୁ ଦର୍ଶନକରିବା ସହ ରଥଟଣାରେ ଭାଗ ନେଇ ଆନନ୍ଦ ଅନୁଭବ କରିଥିବା ଦେଖିବାକୁ ମିଳିଛି । କରୋନା ମହାମାରୀ ଯୋଗୁଁ ଦୁଇବର୍ଷ ବିନା ଭକ୍ତରେ ମନ୍ଦିର ପରିସର ମଧ୍ୟରେ ରୀତିନୀତି ଅନୁଯାୟୀ ସମସ୍ତ କାର୍ଯ୍ୟ ସମ୍ପାଦନ କରାଯାଇଥିଲା । ବର୍ତ୍ତମାନ ଶ୍ରୀଜଗନ୍ନାଥ, ବଳଭଦ୍ର, ମା’ ସୁଭଦ୍ରା ଓ ପତିତପାବନଙ୍କ ଘୋଷଯାତ୍ରା ବିଧିବଦ୍ଧ ଭାବେ ମନ୍ଦିର ପରିଚାଳନା କମିଟି ଓ ତହସିଲଦାର ବା ଦେବୋତ୍ତର ବିଭାଗ ପରିଚାଳନାରେ ଅନୁଷ୍ଠିତ ହୋଇଛି । ଆଜି ସକାଳୁ ଶ୍ରୀଜୀଉଙ୍କ ମଙ୍ଗଳ ଆଳତୀ, ଅବକାଶ ସକାଳଧୂପ କରିବା ପରେ ଖେଚୁଡ଼ି ଭୋଗ ଲାଗି କରିବା ପରେ ସେବାୟତ ଓ ମନ୍ଦିର ପୂଜକମାନେ ଶ୍ରୀଜୀଉଙ୍କୁ ସୁସଜ୍ଜିତ କରିଥାନ୍ତି । ସକାଳ ୯ ଘଣ୍ଟା ସମୟରେ ପୁରହିତ ନରସିଂହ ତ୍ରିପାଠୀଙ୍କ ଦ୍ଵାରା ରଥ ପ୍ରତିଷ୍ଠା ୧୨ଟା ମଧ୍ୟରେ ମଙ୍ଗଳାରୋପଣ କରାଇବା ପରେ ଅପରାହ୍ନ ୨ଟାରେ ଶ୍ରୀବଳଭଦ୍ର, ଶ୍ରୀଜଗନ୍ନାଥ, ମା’ ସୁଭଦ୍ରା ଓ ପତିତପାବନଙ୍କୁ ସେବାୟତମାନେ ଗୋଟି ପହଣ୍ଡି କରି ରଥାରୂଢ କରିଥିଲେ । ଭକ୍ତଙ୍କୁ ରଥରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଦର୍ଶନ ଦେବାପରେ ୫ଟା ସମୟରେ ରଥଟଣା ଆରମ୍ଭ କରିଥିଲେ । ଦେବୋତ୍ତର ବିଭାଗର ସମସ୍ତ କର୍ମଚାରୀ ଓ ମନ୍ଦିର ପରିଚାଳନା କମିଟିର ସମସ୍ତ ସଦସ୍ୟ ଉପସ୍ଥିତ ରହି ପରିଚାଳନା କରିଥିଲେ । ଏଥିରେ ସ୍ଥାନୀୟ ପୁଲିସ ସିଆରପିଏଫ ୪ର୍ଥ ବାଟାଲିୟନର ଯବାନମାନେ ଉପସ୍ଥିତ ରହି ଶାନ୍ତିଶୃଙ୍ଖଳା ରକ୍ଷା କରିବା ସହ ଟ୍ରାଫିକ ନିୟନ୍ତ୍ରଣ କରିଥିଲେ । ସନ୍ଧ୍ୟା ପରେ ଶ୍ରୀଜୀଉଙ୍କୁ ମାଉସୀମା ମନ୍ଦିର ଭିତରେ ପ୍ରବେଶ କରାଯିବ ବୋଲି ମନ୍ଦିର ପରିଚାଳନା କମିଟି ସଭାପତି ନରସିଂହ ପାଢ଼ୀ କହିଛନ୍ତି ।

Comments are closed.