ଝାଟିମାଟି କୁଡ଼ିଆରେ କମଳାଙ୍କ ସହ ବିତୁଛି ୩ ଜୀବନ, ଆବାସ ଯୋଜନାରୁ ବଞ୍ଚିତ

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ପୂଜାରୀଗୁଡା ପଞ୍ଚାୟତର ରାଉତ ପରଡିଗୁଡା ଗାଁରେ ଝାଟି ମାଟି କୁଡ଼ିଆରେ ବିଧବା ମିଣିଆକା କମଳାଙ୍କ ସହ ନାତି ଓ ବୋହୁ ଜୀବନ ବିତଉଥିବା ଦେଖିବାକୁ ମିଳିଛି। ଆଜକୁ ପ୍ରାୟ ୭ ବର୍ଷ ହେବ ବିଧବା କମଳା ନିଜ ବିଧବା ବୋହୁ ଲାଖିମୀ କାଡ୍ରାକା ଓ ନାତି ନକୁଳ କାଡ୍ରାକାକୁ ଧରି ଏକ ପାହାଡ଼ ତଳେ ଛୋଟ କୁଡିଆରେ ରହିଆସୁଛନ୍ତି। କରଡା କାଠ ଆଣି ଚାରି ଆଡ଼େ ପୋତି ତା ଉପରେ ଆଜବେଷ୍ଟ ଥୋଇ ତାଉପରେ କାଠ ଲଦି ରହି ଆସୁଛନ୍ତି।ବର୍ତ୍ତମାନ ଶୀତ ହେଉଥିବାରୁ ଘର ଉପରେ ଜରି ପକାଇ ରହୁଛନ୍ତି। ଅତ୍ୟଧିକ ଶୀତ ହେଲେ ପାଖରେ କାଠ ଜଳାଇ ଶୋଇଥାନ୍ତି।

ଏହି ପରିବାର ଅତ୍ୟନ୍ତ ଗରିବ ଶ୍ରେଣୀ ଅଟନ୍ତି। ଏମାନଙ୍କୁ ମାସିକ ବିଧବା ଭତ୍ତା ୫୦୦ଟଙ୍କା ହିଁ ମିଳୁଥିବା ବେଳେ ୫ କିଲୋ ଚାଉଳ ପାଉଥିବା କମଳା କହିଛନ୍ତି। ଏତିକି ଟଙ୍କାରେ ତିନି ପ୍ରାଣୀ ଅଚଳିବା ଅସୁବିଧା ହେଉଥିବା ଯୋଗୁଁ ନିକଟରେ ଥିବା ପାହାଡରେ ମାଣ୍ଡିଆ, ବିରି, କୁଳୁଥ, ଜହ୍ନ।ଚାଷ କରି ତାହା ବିକ୍ରୀ ସେଥିରୁ ଲାଭ ପାଉଥିବା ଟଙ୍କାରେ ଚାଲୁଥିବା କହିଛନ୍ତି। ଏହି ଗରିବ ପରିବାରକୁ ଆଜି ପର୍ଯ୍ୟନ୍ତ ସରକାରଙ୍କ ଆବାସ ଯୋଜନାରେ ସାମିଲ କରାଯାଇନାହିଁ ବୋଲି ବିଧବା କମଳା କହିଛନ୍ତି।ଏହାକୁ ନେଇ ପଞ୍ଚାୟତ ଠାରୁ ବ୍ଲକ ପର୍ଯ୍ୟନ୍ତ ସମସ୍ତଙ୍କୁ ଗୁହାରି କରିଥିଲେ ମଧ୍ୟ ପ୍ରଶାସନିକ ଅଧିକାରୀମାନେ ପରିଦର୍ଶନରେ ଯାଇ ନିରବ ରହୁଥିବା କହିଛନ୍ତି। ଏହି ଗରିବ ଶ୍ରେଣୀର ପରିବାରକୁ ଆବାସ ଯୋଜନାରେ ସାମିଲ କରି ତୁରନ୍ତ ଘର ଯୋଗାଇ ଦେବାକୁ ଗ୍ରାମବାସୀ ଦାବି କରିଛନ୍ତି। ଏ ବିଷୟରେ ବିଡ଼ିଓ ସୁଧାକର ରଇତଙ୍କୁ ପଚାରିବାରୁ ସେ କହିଲେ ସରକାର ତରଫରୁ ଏହିବର୍ଷ ତାଲିକା ମାଗିଲେ ତାହା ନୂଆ ତାଲିକା କରି ଦେଲେ ଆବାସ ଯୋଜନାରେ ସାମିଲ କରି ହେବ। ଆମ ହାତରେ କିଛି ନାହିଁ ବୋଲି ସେ କହିଛନ୍ତି।

Comments are closed.