MEllora 950×100

ଛତୁଆ ବଣ୍ଟନ ଗାଡିକୁ ବିରୋଧ କରି ଫେରାଇଦେଲେ ଅଙ୍ଗନଓ୍ବାଡି କର୍ମୀ

କଲ୍ୟାଣସିଂହପୁର : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକରେ ସରକାରଙ୍କ ପକ୍ଷରୁ ଯୋଗାଉଥିବା ଗର୍ଭବତୀ ଓ ଶିଶୁ ମାନଙ୍କ ଛତୁଆ ବଣ୍ଟନ କରୁଥିବା ଗାଡିକୁ ବିରୋଧ କରି ଫେରାଇ ଦେଲେ ଅଙ୍ଗନଓ୍ବାଡି କର୍ମୀମାନେ । ଗତକାଲି ଜଗନ୍ନାଥପୁର ଗାଁରେ ଥିବା ଛତୁଆ କେନ୍ଦ୍ରରୁ ବିଭିନ୍ନ ଅଙ୍ଗନଓ୍ବାଡି କେନ୍ଦ୍ରକୁ ଶିଶୁ ଓ ଗର୍ଭବତୀ ମହିଳା ମାନଙ୍କ ପାଇଁ ଯାଉଥିବା ଛତୁଆ ଗାଡିକୁ ଉକ୍ତ ଅଞ୍ଚଳର ଅଙ୍ଗନଓ୍ବାଡି କର୍ମୀମାନେ ଅଟକାଇ ଫେରାଇ ଦେଇଥିବା ଦେଖିବାକୁ ମିଳିଛି। ଚଳିତ ଦିନ ୮ଦଫା ସମ୍ବଳିତ ଦାବୀକୁ ନେଇ ସାରା ରାଜ୍ୟରେ ଅଙ୍ଗନଓ୍ବାଡି କର୍ମୀ ମାନେ ରାଜ୍ୟ ରାଜଧାନୀ ଭୁବନେଶ୍ୱର ସମେତ ପ୍ରତି ବ୍ଲକ ସଦର ମହକୁମା ସ୍ଥିତ ସମ୍ମାନୀତ ଶିଶୁ ଓ ମହିଳା ବିକାଶ କାର୍ୟ୍ୟାଳୟ ସମ୍ମୁଖରେ ଅନିର୍ଦ୍ଦିଷ୍ଟକାଳ ପାଇଁ ଧାରଣାରେ ବସିଥିବା ଦେଖାଦେଇଛି । ସ୍ଥାନୀୟ କାର୍ୟ୍ୟାଳୟ ସମ୍ମୁଖରେ ରୀତା ରଂଞ୍ଜନୀ ପଣ୍ଡାଙ୍କ ନେତୃତ୍ୱରେ ସମସ୍ତ କର୍ମୀ ଓ ସହାୟିକା ଯୋଗଦେଇ କାର୍ୟ୍ୟ ବନ୍ଦ ଡାକରା ଦେଇ ଧାରଣା ଦେଇଛନ୍ତି । ଦୀର୍ଘବର୍ଷ ଧରି ଅଙ୍ଗନଓ୍ବାଡି କର୍ମୀମାନେ ସରକାରଙ୍କ ପକ୍ଷରୁ ଦିଆଯାଉଥିବା ସମସ୍ତ କାର୍ୟ୍ୟକୁ ସୂଚାରୁ ରୂପେ ତୁଲାଇବା ସହ ଜନ୍ମରୁ ମୃତ୍ୟୁ ପର୍ୟ୍ୟନ୍ତ ସମସ୍ତ କାର୍ୟ୍ୟକ୍ରମ କରିଆସୁଛନ୍ତି,କିନ୍ତୁ ବର୍ଷ ବର୍ଷ ଧରି ସରକାରୀ ମାନ୍ୟତା ପ୍ରଦାନ ପାଇଁ ଦାବୀ କରି ଆସୁଥିଲେ ମଧ୍ୟ ଆଜିଯାଏଁ ମାନ୍ୟତା ପ୍ରଦାନ କରାଯାଉ ନଥିବାରୁ ଏହି ଆନ୍ଦୋଳନ ଆରମ୍ଭ କରିଛନ୍ତି ।
ସରକାର ଅସ୍ଥାୟୀ ନିଯୁକ୍ତି ଉଠାଇ ଦେଇଥିବା କଥା କହୁଥିବା ବେଳେ ଅଙ୍ଗନଓ୍ବାଡି କର୍ମୀଙ୍କୁ କାହିଁକି ସରକାର ସ୍ଥାୟୀ ନିଯୁକ୍ତି କରୁନାହାନ୍ତି। ସେହିଭଳି ଅଙ୍ଗନଓ୍ବାଡି କର୍ମୀଙ୍କୁ ୧୮ ହଜାର ଓ ସହାୟିକାଙ୍କୁ ୧୦ ହଜାର ଟଙ୍କା ଲେଖାଏଁ ପ୍ରଦାନ କରିବା,ମିନି ଅଙ୍ଗନଓ୍ବାଡି କର୍ମୀଙ୍କୁ ପଦୋନ୍ନୀକି ଦେଇ ଅଙ୍ଗନଓ୍ବାଡି କର୍ମୀ ମାନ୍ୟତା ପ୍ରଦାନ କରିବା,ଅଙ୍ଗନଓ୍ବାଡି କର୍ମଚାରୀ ମାନଙ୍କୁ ଇଏସଆଇ ଓ ଇପିଏଫ,ଗ୍ରାଚୁଇଟ ପ୍ରଦାନ, ନୂତନ ଶିକ୍ଷାନୀତି  ଓ ଅଭିଜ୍ଞତା ଅନୁଯାୟୀ ବୟସ ନ ରଖି ସମସ୍ତ ଅଙ୍ଗନଓ୍ବାଡିଙ୍କୁ ପ୍ରାଥମିକ ଶିକ୍ଷକ ମାନ୍ୟତା ପ୍ରଦାନ କରିବା, ଶିକ୍ଷାଗତ ଓ ଅଗ୍ରାଧିକାର ଭିତ୍ତିରେ ଅଙ୍ଗନଓ୍ବାଡି କର୍ମୀ ମାନଙ୍କୁ ସୁପରଭାଇଜର ପଦବିରେ ପଦୋନ୍ନତୀ କରିବାକୁ ଦାବୀ କରିଛନ୍ତି ।

Comments are closed.