ଯୁବକଙ୍କୁ ହତ୍ୟା ସନ୍ଦେହ; ଥାନାରେ ଅଭିଯୋଗ

କଲ୍ୟାଣସିଂହପୁର: ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକ ପାର୍ଶାଲି ପଞ୍ଚାୟତରେ ଥିବା ନିୟମଗିରି ପାହାଡର ବଡ଼ଡେଙ୍ଗିଲେଲି ଗାଁରେ ଯୁବକ ବାଗ ଉଲୁକା(୪୫)ଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରି ଥାନାରେ ଅଭିଯୋଗ ହୋଇଥିବା ଜଣାପଡ଼ିଛି ।

ପରିବାର ପକ୍ଷରୁ ସୂଚନା ମିଳିଛି ଯେ, ବାଗ ଉଲୁକା ଘରୁ ଦିନ ୧୦ଟାରେ ଯାଇଥିଲା । ଉଲୁକା ସନ୍ଧ୍ୟା ୪ଟା ହୋଇଗଲା ଘରକୁ ନ ଆସି କୁଆଡେ ଗଲା ବୋଲି ସ୍ତ୍ରୀ ଗୁରୁବାରି ବାଗ ଓ ବହୁ ଶୁଶିଳା ବାଗ ଦୁହେଁ ଖୋଜିବାକୁ ନାଳକୁ ଯାଇଥିଲେ । ସେଠାରେ ଉଲୁକା ପଡିଯାଇଥିବା ଦେଖି ତାକୁ ଉଠାଇବାକୁ ଚେଷ୍ଟା କରିଥିଲେ । ତା ମୁହଁ କ୍ଷତାକ୍ତ ଓ ମୁଣ୍ଡରେ ଗଭୀର ମାଡ ହୋଇଥିବା ଦେଖି ହତ୍ୟା କରାଯାଇଥିବା ସନ୍ଦେହ କରି ମଙ୍ଗଳବାର ସ୍ଥାନୀୟ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ମୃତଦେହକୁ କଲ୍ୟାଣସିଂହପୁର ଶବ ବ୍ୟବଚ୍ଛେଦ ଗୃହକୁ ଅଣାଯିବ ବୋଲି ସୂଚନା ମିଳିଛି । ଏଠାରେ ଶବ ଜବତ କରି ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି ପୁଲିସ । ଶବ ବ୍ୟବଚ୍ଛେଦ କରି ପରିବାରକୁ ହସ୍ତାନ୍ତର କରାଯାଇଛି। ହତ୍ୟା କିଏ କରିଛି ବୋଲି ପରିବାରକୁ ପଚାରିବାରୁ ସେମାନେ ଦେଖି ନ ଥିବା କହିବା ସହିତ କାହାକୁ ସନ୍ଦେହ କରୁନଥିବା କହିଛନ୍ତି।

Comments are closed.