୧୬ ଜିଲାରେ ଖୋଲିବ ଖେଲୋ ଇଣ୍ଡିଆ କେନ୍ଦ୍ର, କଳିଙ୍ଗରେ ହେବ କ୍ରୀଡ଼ା ବିଜ୍ଞାନ କେନ୍ଦ୍ର

କଟକ: କ୍ରୀଡ଼ା ଭିତ୍ତିଭୂମି ସୃଷ୍ଟି ଓ କ୍ରୀଡ଼ାବିତ୍‌ଙ୍କୁ ପ୍ରୋତ୍ସାହନ ଯୋଗାଇ ଦେବା ଲକ୍ଷ୍ୟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଦେଶବ୍ୟାପୀ ୧୦୦୦ ଖେଲୋ ଇଣ୍ଡିଆ କେନ୍ଦ୍ର ଖୋଲାଯିବ। ଦେଶର କ୍ରୀଡ଼ା ହବ୍‌ ଭାବେ ପରିଚିତ ଓଡ଼ିଶାରେ ଅଧିକରୁ ଅଧିକ ଖେଲୋ ଇଣ୍ଡିଆ କେନ୍ଦ୍ର ଖୋଲିବା ନେଇ ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ଭୁବନେଶ୍ବରର କଳିଙ୍ଗ ଷ୍ଟାଡ଼ିୟମରେ ଖେଲୋ ଇଣ୍ଡିଆ କ୍ରୀଡ଼ା ବିଜ୍ଞାନ କେନ୍ଦ୍ର ପ୍ରତିଷ୍ଠା କରାଯିବ; ଯେଉଁଠାରେ ଖେଳାଳି କ୍ରୀଡ଼ା ବିଜ୍ଞାନ ସମ୍ବନ୍ଧୀୟ ସମସ୍ତ ସୁବିଧା ପାଇପାରିବେ। କ୍ରୀଡ଼ାବିତ୍‌ ଆହତ ହେଲେ କିଭଳି ଚିକିତ୍ସା ସୁବିଧା ପାଇପାରିବେ; ସେ ନେଇ ଡାକ୍ତର, ସହଯୋଗୀ ଷ୍ଟାଫ୍‌ ଆଦି ନିଯୁକ୍ତ କରାଯିବ। ଏହାଛଡ଼ା ଆଇସିୟୁ, ଓଟି ଓ ବର୍ହିବିଭାଗ ଚିକିତ୍ସା ଲାଗି ସୁବିଧା ଉପଲବ୍ଧ ହେବ। ରାଜ୍ୟ ଅବା ରାଜ୍ୟ ବାହାରର ଯେକୌଣସି କ୍ରୀଡ଼ାବିତ୍‌ ଆହତ ହେଲେ ଚିକିତ୍ସା ସୁବିଧା ପାଇପାରିବେ। ଉକ୍ତ କ୍ରୀଡ଼ା ବିିଜ୍ଞାନ କେନ୍ଦ୍ର ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ମିଳିତ ସହଯୋଗରେ ପରିଚାଳିତ ହେବ; ଯାହା ଭାରତର ପ୍ରଥମ କେନ୍ଦ୍ର ହେବ। ଏଠାରେ କ୍ରୀଡ଼ା ବିଜ୍ଞାନ ସହ ଚିକିତ୍ସାର ସୁଯୋଗ ରହିବ। କଳିଙ୍ଗ ଷ୍ଟାଡ଼ିୟମରେ ଏକାଧିକ କ୍ରୀଡ଼ା ଭିତ୍ତିଭୂମି ସୃଷ୍ଟି ହୋଇଥିବାବେଳେ ଖେଲୋ ଇଣ୍ଡିଆ କ୍ରୀଡ଼ା ବିଜ୍ଞାନ କେନ୍ଦ୍ର ରାଜ୍ୟର କ୍ରୀଡ଼ାବିତ୍‌ଙ୍କ ଲାଗି ଚିକିତ୍ସା ସୁବିଧାରେ ବେଶ ଉପଯୋଗୀ ହେବ।
କଳିଙ୍ଗ ଷ୍ଟାଡ଼ିୟମ ବାଦ୍‌ ରାଜ୍ୟର ୧୬ଟି ଜିଲାରେ ଖେଲୋ ଇଣ୍ଡିଆ ସେଣ୍ଟର ଖୋଲିବା ନେଇ ମଧ୍ୟ ପ୍ରଥମ ପର୍ୟ୍ୟାୟରେ ଲକ୍ଷ୍ୟ ରଖାଯାଇଛି। ଏଥିନେଇ ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ବିଭିନ୍ନ ଜିଲା କ୍ରୀଡ଼ା ଭିତ୍ତିଭୂମି ତଦାରଖ କାର୍ଯ୍ୟ ଆରମ୍ଭ ହୋଇଛି। କ୍ରୀଡ଼ା ଭିତ୍ତିଭୂମି ଥିବା ଜିଲାରେ ଉକ୍ତ କେନ୍ଦ୍ର ଖୋଲାଯିବ ବୋଲି କ୍ରୀଡ଼ା ବିଭାଗ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। ଅନ୍ୟପକ୍ଷରେ ଖେଲୋ ଇଣ୍ଡିଆ କେନ୍ଦ୍ରରେ ଅବସରପ୍ରାପ୍ତ କ୍ରୀଡ଼ାବିତ୍‌ଙ୍କୁ ନିଯୁକ୍ତି ଦେବା ନେଇ କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ କିରେନ୍ ରିଜୁଜୁ ଘୋଷଣା କରିଛନ୍ତି। ଫଳରେ ରାଜ୍ୟରେ ଖୋଲାଯିବାକୁ ଥିବା ଖେଲୋ ଇଣ୍ଡିଆ କେନ୍ଦ୍ରମାନଙ୍କରେ ରାଜ୍ୟର ଅବସରପ୍ରାପ୍ତ କ୍ରୀଡ଼ାବିତ୍‌ ନିଯୁକ୍ତି ପାଇବାରେ ସହାୟକ ହେବା ନେଇ କ୍ରୀଡ଼ା ଓ ଯୁବସେବା ବିଭାଗ ଆଶାରଖିଛି।

Comments are closed.