କଳିଙ୍ଗ ସାହିତ୍ୟ ମହୋତ୍ସବ- ୨୦୨୧ : ‘ଗୋପବନ୍ଧୁ ଥିଲେ ମଣିଙ୍କ ଭିତରେ ମଣି’

ପଦ୍ମଶ୍ରୀ ଶ୍ରୀନିବାସ ଉଦ୍‌ଗାତାଙ୍କୁ କଳିଙ୍ଗ ସାହିତ୍ୟ ପୁରସ୍କାର, ବଲିଉଡ୍‍ ଅଭିନେତ୍ରୀ ଦିବ୍ୟା ଦତ୍ତାଙ୍କୁ ମହିଳା ଲେଖକ ସମ୍ମାନ

ଭୁବନେଶ୍ୱର : ଉତ୍କଳମଣି ଗୋପବନ୍ଧୁ ଦାସ ଉତ୍କୃଷ୍ଟ ବ୍ୟକ୍ତିତ୍ୱର ଅଧିକାରୀ ଥିଲେ। କାରାଗାର ଜୀବନର ବ୍ୟଥା ଓ ବେଦନାକୁ ସାରସ୍ୱତ ସାଧନାରେ ଲଗାଇ ଜଣେ ନିର୍ଭୀକ ଲେଖକର ପରିଚୟ ଦେଇଥିଲେ ବୋଲି ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ନାତି, ପଶ୍ଚିମବଙ୍ଗର ପୂର୍ବତନ ରାଜ୍ୟପାଳ ତଥା ଅବସରପ୍ରାପ୍ତ ରାଷ୍ଟ୍ରଦୂତ ଗୋପାଳକୃଷ୍ଣ ଗାନ୍ଧୀ କହିଛନ୍ତି ।
କଳିଙ୍ଗ ସାହିତ୍ୟ ମହୋତ୍ସବର ଉଦ୍‌ଘାଟନୀ ସଭାରେ ମୁଖ୍ୟ ବକ୍ତା ଭାବେ ନୂଆଦିଲ୍ଲୀରୁ ଆଭାସିରେ ଯୋଗ ଦେଇ ଶ୍ରୀ ଗାନ୍ଧୀ କହିଛନ୍ତି ଯେ ଆଜିର ଲେଖକ ଗୋପବନ୍ଧୁଙ୍କ ଜୀବନାଦର୍ଶକୁ ପାଥେୟ କରି ନିର୍ଭୀକ ଭାବେ ଲେଖନୀ ଚାଳନା କରିବା ଉଚିତ। ଏହି ସଭାରେ ଶ୍ରୀ ଗାନ୍ଧୀଙ୍କୁ ତାଙ୍କର ମହାତ୍ମା ଗାନ୍ଧୀଙ୍କ ଜୀବନୀ ଉପରେ ରଚିତ ଇଂରାଜୀ ପୁସ୍ତକ ନିମନ୍ତେ କଳିଙ୍ଗ ସାହିତ୍ୟ ସମ୍ମାନ ପ୍ରଦାନ କରାଯାଇଥିଲା।
ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଉତ୍ସବକୁ ଉଦ୍‌ଘାଟନ କରି ଖୁବ୍‌ଶୀଘ୍ର ଦେଶ ବିଦେଶର ବ୍ୟକ୍ତି ଓଡ଼ିଶାର ସ୍ଥାନୀୟ ପ୍ରତିଭାଙ୍କୁ ଡିଜିଟାଲ ମାଧ୍ୟମରେ ଦେଖିପାରିବା ଓ ଯୋଗାଯୋଗ କରିବା ସୁଯୋଗ ପାଇପାରିବେ ବୋଲି କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ନେପାଳ ରାଷ୍ଟ୍ରଦୂତ ରାମ ପ୍ରସାଦ ସୁବେଦୀ, ପଦ୍ମଭୂଷଣ ଡ. ସୀତାକାନ୍ତ ମହାପାତ୍ର, ପଦ୍ମଭୂଷଣ ରମାକାନ୍ତ ରଥ, କୋରାପୁଟସ୍ଥିତ କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟର ପ୍ରାକ୍ତନ କୁଳପତି ଡ. ସଚ୍ଚିଦାନନ୍ଦ ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ।
କଳିଙ୍ଗ ସାହିତ୍ୟ ମହୋତ୍ସବ (କେଏଲଏଫ) ଉଭୟ ଅଭିଜ୍ଞ ତଥା ଯୁବ ସାହିତ୍ୟିକଙ୍କୁ ଆକର୍ଷିତ କରି ଅଗ୍ରଣୀ ସାହିତ୍ୟ ମଞ୍ଚ ଭାବରେ ଉଭା ହୋଇଛି ବୋଲି ପ୍ରତିଷ୍ଠାତା ନିର୍ଦେଶକ ରଶ୍ମିରଞ୍ଜନ ପରିଡ଼ା କହିଥିଲେ। କଳିଙ୍ଗ ସାହିତ୍ୟ ମହୋତ୍ସବର ଅଷ୍ଟମ ସଂସ୍କରଣରେ ୩୦ଟି ବର୍ଗରେ ପୁସ୍ତକ ପୁରସ୍କାର ପ୍ରଦାନ କରାଯାଇଥିଲା। ଗତବର୍ଷ କୋଭିଡ ଉପଲକ୍ଷେ ମହୋତ୍ସବର ଆୟୋଜନ ହୋଇପାରି ନ ଥିବାରୁ ଏଥର ଅନେକ ବର୍ଗରେ ଏକାଧିକ ଲେଖକଙ୍କୁ ପୁରସ୍କୃତ କରାଯାଇଥିଲା। ପଦ୍ମଶ୍ରୀ ଶ୍ରୀନିବାସ ଉଦ୍‌ଗାତାଙ୍କୁ କଳିଙ୍ଗ ସାହିତ୍ୟ ପୁରସ୍କାର ଏବଂ ଅରୁଣ କମଲଙ୍କୁ କଳିଙ୍ଗ ସାହିତ୍ୟ ଅନ୍ତର୍ଜାତୀୟ ପୁରସ୍କାର ପ୍ରଦାନ କରାଯାଇଥିଲା।
ଅଣ-କାଳ୍ପନିକ ବର୍ଗ ପାଇଁ ସନ୍ଦୀପ ବାମଜାଇଙ୍କ ପୁସ୍ତକ ‘ପ୍ରିନ୍ସଷ୍ଟାନ୍‍: ନେହରୁ, ପଟେଲ ଏବଂ ମାଉଣ୍ଟବ୍ୟାଟେନ୍‍ ମେଡ୍‍ ଇଣ୍ଡିଆ’କୁ ସମାନ ବର୍ଗର ଅନ୍ୟ ଦୁଇଟି ପୁସ୍ତକ ମଧ୍ୟରେ ମନୋନୟନ କରାଯାଇଥିଲା। ଶିଶୁ ସାହିତ୍ୟ ବିଭାଗ ପାଇଁ ସୁଧା ମୂର୍ତ୍ତି ପୁସ୍ତକ ‘ଗ୍ରାଣ୍ଡପାରେଣ୍ଟସ ବ୍ୟାଗ୍‍ ଅଫ୍‍ ଷ୍ଟୋରୀ’ ପାଇଁ ମନୋନୀତ ହୋଇଥିଲେ।
କାର୍ଯ୍ୟକ୍ରମରେ ବଲିଉଡ ଅଭିନେତ୍ରୀ ଦିବ୍ୟା ଦତ୍ତଙ୍କୁ ମହିଳା ଲେଖକ ଭାବରେ ପୁରସ୍କୃତ କରାଯାଇଥିଲା।

Comments are closed.