ଆଜି ପୂଜ୍ୟ ପ୍ରଣାମ କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକ ଶ୍ରାଦ୍ଧବାର୍ଷିକ

ଆଧୁନିକ ଓଡ଼ିଆ ନାଟ୍ୟକାର, ଗୀତିକାର, କବି, ସଙ୍ଗୀତଜ୍ଞ ଓ ନୃତ୍ୟ ବିଶାରଦ ଭାବେ କାଳୀଚରଣ ପଟ୍ଟନାୟକଙ୍କ ଅବଦାନ ଅସାଧାରଣ। ସେ ପାରମ୍ପରିକ ଲୀଳା ନାଟକ ପ୍ରଦର୍ଶନ କରି ନିଜର ନାଟ୍ୟକାର ଜୀବନ ଅରମ୍ଭ କରିଥିଲେ। ପରେ ସେ ଆଧୁନିକ ମଞ୍ଚ ନାଟକ ଲେଖିଲେ। ୧୯୨୯ରେ ‘ସାକ୍ଷୀଗୋପାଳ ନାଟକ ସଂଘ’ ଓ ୧୯୩୯ରେ ‘ଓଡ଼ିଶା ଥିଏଟର୍ସ’ ନାମରେ ରଙ୍ଗମଞ୍ଚ ଗଠନ କରି ଓଡ଼ିଶା ନାଟକାଭିନୟ ଜଗତର ପ୍ରସାର ଓ ଉନ୍ନତି କରିଥିଲେ। ତାଙ୍କର ଜନପ୍ରିୟ ନାଟକ ଗାର୍ଲସ ସ୍କୁଲ (୧୯୩୯) ଓଡ଼ିଆ ମଞ୍ଚାଭିନୟରେ ନୂତନ ଯୁଗର ଆରମ୍ଭ କରିଥିଲା। ତାଙ୍କୁ ଆଧୁନିକ ଓଡ଼ିଆ ନାଟ୍ୟଶାସ୍ତ୍ରର ‘ଭରତମୁନି’ ବୋଲି ମଧ୍ୟ କୁହାଯାଏ। ତାଙ୍କ ପ୍ରଚେଷ୍ଟାରୁ ୧୯୫୮ ମସିହାରେ ଓଡ଼ିଶୀ ନୃତ୍ୟ ଶାସ୍ତ୍ରୀୟ ମର୍ଯ୍ୟାଦା ପାଇଥିଲା।
କଟକର ରେଭେନ୍ସା କଲେଜରୁ ସେ ଉଚ୍ଚତର ଶିକ୍ଷା ଗ୍ରହଣ କରିଥିଲେ। ଗୋବିନ୍ଦଚନ୍ଦ୍ର ଶୁରଦେଓଙ୍କ ସମ୍ପର୍କରେ ଆସି ତାଙ୍କର ନାଟକୀୟ ଗୁଣାବଳୀ ବିକଶିତ ହୋଇଥିଲା। ରେଭେନ୍ସା କଲେଜରେ ପଢୁଥିବା ସମୟରେ ‘କଳାହାଣ୍ଡିଆ ମେଘ’ ନାମରେ ସେ ପ୍ରଥମ କବିତା ଲେଖିଥିଲେ। କବିତାଟି ପଢି ଭକ୍ତକବି ମଧୁସୂଦନ ରାଓ ତାଙ୍କୁ ୧୦୦ଟଙ୍କା ପୁରସ୍କାର ଦେଇଥିଲେ। ୧୯୧୮ରେ ଆଇ.ଏ. ପଢ଼ିବାବେଳେ ସେ ପ୍ରଥମ ନାଟକ ‘ଧ୍ରୁବ’ ରଚନା କରିଥିଲେ ମଧ୍ୟ ତାଙ୍କର ପ୍ରଥମ ସାମାଜିକ ନାଟକ ଥିଲା ୧୯୩୪ ମସିହାରେ ରଚିତ ‘ପ୍ରତିଶୋଧ’। ପ୍ରାୟ ୪୦ଟି ପୂର୍ଣ୍ଣାଙ୍ଗ ନାଟକ ସହିତ ସେ ରଚନା କରିଯାଇଛନ୍ତି ବହୁ ନୃତ୍ୟ ନାଟିକା, କାବ୍ୟ ନାଟିକା, ଗଳ୍ପ, ଉପନ୍ୟାସ ଓ କବିତା। ୧୯୨୬ରେ ଗଜପତି ମହାରାଜା କାଳୀଚରଣଙ୍କୁ ‘କବିଚନ୍ଦ୍ର’ ଉପାଧି ପ୍ରଦାନ କରିଥିଲେ। ଆତ୍ମଜୀବନୀ ‘କୁମ୍ଭାରଚକ’ ପାଇଁ ତାଙ୍କୁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ମିଳିଥିଲା। ୧୯୭୮ ମସିହା ଆଜିର ଦିନରେ (ଜୁଲାଇ ୨୪) ଏହି ମହାନ ନାଟ୍ୟାଚାର୍ଯ୍ୟଙ୍କ ଦେହାନ୍ତ ହୋଇଥିଲା।

Comments are closed.