‘କାଳିଆ’ରେ ଠକେଇ ନେଇ ହାଇକୋର୍ଟ ମୁଖ୍ୟ ବିଚାରପତିଙ୍କୁ ପତ୍ର ଲେଖିଲେ ଅକ୍ଷୟ

ଭୁବନେଶ୍ବର : ‘କାଳିଆ’ ଯୋଜନାରେ ରାଜ୍ୟ ସରକାର ଅର୍ଥ କାଟ କରିବା ପ୍ରତିବାଦରେ ଗୁରୁବାର ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କୁ ପତ୍ର ଲେଖିଛନ୍ତି ନବନିର୍ମାଣ କୃଷକ ସଙ୍ଗଠନର ରାଷ୍ଟ୍ରୀୟ ସଂଯୋଜକ ଅକ୍ଷୟ କୁମାର । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ବାଚନ ପୂର୍ବରୁ ରାଜ୍ୟର କୃଷକମାନଙ୍କୁ ଦେଇଥିବା ପ୍ରତିଶ୍ରୁତିର ଖିଲାପ ଦର୍ଶାଇ ଅକ୍ଷୟ ଏହି ପତ୍ର ଲେଖିଛନ୍ତି। ଏହାକୁ ଜନସ୍ବାର୍ଥ ମାମଲା ହିସାବରେ ଗ୍ରହଣ କରି ମୁଖ୍ୟମନ୍ତ୍ରୀ ଏବଂ ଓଡ଼ିଶା ସରକାରଙ୍କ ଆଇନଗତ ନିଷ୍ପତ୍ତି ନିଆଯାଇଥିବା କାଳିଆ ଯୋଜନାରେ ୧୦ହଜାର ଟଙ୍କା ଆଗାମୀ ଦୁଇବର୍ଷ ପାଇଁ ଚାଷୀଙ୍କୁ ପ୍ରଦାନ କରିବା ବିଷୟରେ ଆଇନଗତ ନିଷ୍ପତ୍ତିକୁ କାର୍ଯ୍ୟକାରୀ କରିବା ସହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାର୍ବଜାନୀନ ଠକେଇ ପାଇଁ ଦଣ୍ଡିତ କରିବା ପାଇଁ ପତ୍ରରେ ଉଲ୍ଲେଖ କରାଯାଇଛି।
ରାଜ୍ୟର ୭୦ ଲକ୍ଷ କୃଷକ କାଳିଆ ଯୋଜନାରେ ଉପକୃତ ହେବେ ଜଣେ ବି ଚାଷୀ ଏଥିରୁ ବାଦ ପଡିବେ ନାହିଁ ବୋଲି ମଧ୍ୟ ପୂର୍ବରୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ। କିନ୍ତୁ ‘କାଳିଆ’ ଯୋଜନାରେ ବ୍ୟାପକ ଜାଲିଆତି ଏବଂ ଅର୍ଦ୍ଧାଧିକ ଯୋଗ୍ୟ ହିତାଧିକାରୀମାନେ ଅର୍ଥ ନପାଇବା ମଧ୍ୟ ଦେଖାଦେଇଥିଲା। ଆଉ କେତେକ ସ୍ଥାନରେ ମଧ୍ୟ ଚାଷୀଙ୍କ ମୋବାଇଲକୁ ମେସେଜ୍ ଆସିଥିଲେ ମଧ୍ୟ ଆକାଉଣ୍ଟକୁ ଟଙ୍କା ଆସିନଥିଲା। ଯାହାର ପ୍ରତିବାଦ କରି ନବନିର୍ମାଣ କୃଷକ ସଙ୍ଗଠନ ଡିସେମ୍ବର ୧୬ ତାରିଖରେ ରାଜ୍ୟର ସମସ୍ତ ଏସପି ଅଫିସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିରୋଧରେ ମୋକଦ୍ଦମା ଦାଖଲ କରିବା ସହ ଉଚ୍ଚ ନ୍ୟାୟାଳୟରେ ଏକ ଜନସ୍ବାର୍ଥ ମାମଲା ମଧ୍ୟ ଦାଖଲ କରିଥିଲା।
ସୂଚନାଯୋଗ୍ୟ, ୨୦୧୯ ନିର୍ବାଚନ ପୂର୍ବରୁ ୨୦୧୮ ଡିସେମ୍ବର ୨୧ରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ରାଜ୍ୟର ଚାଷୀମାନଙ୍କ ପାଇଁ ‘କାଳିଆ’ ଯୋଜନାର ଘୋଷଣା କରିଥିଲେ। ନିର୍ବାଚନରେ ସିଂହଭାଗ ଭୋଟଚାଷୀଙ୍କ ପାଖରୁ ଆସୁଥିବାରୁ ମୁଖ୍ୟମନ୍ତ୍ରୀ ମଧ୍ୟ ଘୋଷଣା କରିଦେଲେ ବିଜୁ ଜନତା ଦଳ ସରକାର ଗଠନ କରିବାର ପ୍ରଥମ ଦିନରେ କାଳିଆ ଟଙ୍କା ଦେବେ। ମୁଖ୍ୟମନ୍ତ୍ରୀ ଚାଷୀମାନଙ୍କୁ ଖୁସି କରିବା ପାଇଁ କହିଦେଲେ ସେ ବଞ୍ଚିଥିବା ପର୍ୟ୍ୟନ୍ତ ’କାଳିଆ’ ଯୋଜନାକୁ କେହି ବନ୍ଦ କରିପାରବେ ନାହିଁ। କିନ୍ତୁ ବର୍ଷକ ମଧ୍ୟରେ ନବୀନଙ୍କ ସବୁ ଯୋଜନା ଫେଲ ମାରିଗଲା। ଅର୍ଥାଭାବ ଯୋଗୁ ରାଜ୍ୟ ସରକାର ‘କାଳିଆ’ ଯୋଜନାରେ ଅର୍ଥ କାଟ କରିବା ଆରମ୍ଭ କରିଦେଲେ। ୭୫ଲକ୍ଷ ଚାଷୀଙ୍କୁ ୧୦ହଜାର ଟଙ୍କା ଲେଖାଏଁ ଦିଆଯିବ ବୋଲି ଖୋଦ୍ ମୁଖ୍ୟମନ୍ତ୍ରୀ ପଞ୍ଚମ ପାଳିରେ ସରକାରକୁ ଆସିବା ବେଳେ କହିଥିଲେ। ହେଲେ ଏବେ ବର୍ଷେ ନପୂରୁଣୁ କାହିଁକି ୧୦ହଜାର ଟଙ୍କାଟା ୪ହଜାରକୁ ହ୍ରାସ କଲେ ତାହାକୁ ନେଇ ପ୍ରଶ୍ନ ଉଠିଛି ।

Comments
Loading...