ପରିବର୍ତ୍ତିତ କାଳିଆ ଯୋଜନା ନେଇ କୃଷିବିଭାଗର ବିଜ୍ଞପ୍ତି ; ବନ୍ଦ ହେବନି କାଳିଆ

ଭୁବନେଶ୍ୱର : ଚାଷୀଙ୍କ ହିତକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଥିବା କାଳିଆ ଯୋଜନାରେ ଆବଶ୍ୟକୀୟ ପରିବର୍ତ୍ତନ ଆଣିବା ପରେ ଆଗାମୀ ଦିନରେ ଏହା କିଭଳି ହେବ ସେନେଇ କୃଷି ଓ କୃଷକ ସଶକ୍ତୀକରଣ ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ଏନେଇ ବିଧିବଦ୍ଧ ଭାବେ ଖୁବଶୀଘ୍ର ଗେଜେଟ ବିଜ୍ଞପ୍ତିନାମା ପ୍ରକାଶ ପାଇବ ବୋଲି କୃଷି ବିଭାଗ ପ୍ରମୁଖ ସଚିବ ସୌରଭ ଗର୍ଗ ନଭେମ୍ବର ୩୦ରେ ଜାରି କରିଥିବା ବିଜ୍ଞପ୍ତିରେ ସ୍ପଷ୍ଟ କରିଛନ୍ତି।
ରାଜ୍ୟ ସରକାରଙ୍କ ପଞ୍ଚମ ପାଳିର ଷଷ୍ଠ କ୍ୟାବିନେଟର ବୈଠକ ନିଷ୍ପତ୍ତି ଅନୁଯାୟୀ ଯେଉଁ ଚାଷୀମାନେ ୨୦୧୮-୧୯ ଆର୍ଥିକ ବର୍ଷର ରବି ଋତୁପାଇଁ କାଳିଆ ସହାୟତା ପାଇବା ଲାଗି ଚିହ୍ନଟ ହୋଇଥିଲେ ମାତ୍ର ପାଇନାହାନ୍ତି ସେମାନଙ୍କୁ କାଳିଆ ସହାୟତା ଯୋଗାଇ ଦିଆଯିବ। ପ୍ରତ୍ୟେକ ଯୋଗ୍ୟ ଚାଷୀ ୨୦୧୯-୨୦ ବର୍ଷ ଲାଗି ପ୍ରଧାନମନ୍ତ୍ରୀ କିଷାନ ଯୋଜନାରେ ସହାୟତା ପାଇବେ। ହେଲେ କାଳିଆ ଯୋଜନାରେ ଚଳିତବର୍ଷ ରବିଋତୁ ଲାଗି ଚାଷୀଙ୍କୁ କାଳିଆ ସହାୟତା ଦିଆଯିବ ନାହିଁ। କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ଆଗାମୀ ବର୍ଷଠାରୁ ବର୍ଷକୁ ଦୁଇଟି କିସ୍ତିରେ କାଳିଆ ଯୋଜନାରେ ୪ହଜାର ଟଙ୍କା ଲେଖାଏଁ ମିଳିବ। ପୂର୍ବରୁ ରାଜ୍ୟ ସରକାର ପ୍ରତି କିସ୍ତିରେ ୫ହଜାର ଟଙ୍କା ଲେଖାଏଁ ଦେଉଥିବାବେଳେ ଏବେ ମାତ୍ର ୨ହଜାର ଟଙ୍କା କରି ଦେବେ। ପିଏମ୍ କିଷାନ ଯୋଜନାରେ ବର୍ଷକୁ ୬ହଜାର ଟଙ୍କା ଏବଂ କାଳିଆ ଯୋଜନାରେ ବର୍ଷକୁ ୪ହଜାର ଟଙ୍କା କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ମିଳିବ। ବଡ଼ ଚାଷୀଙ୍କଠାରୁ ଆଦେବନ ସଂଗ୍ରହ କରାଯିବ ଏବଂ ସେମାନଙ୍କୁ କେବଳ ପ୍ରଧାନମନ୍ତ୍ରୀ କିଷାନ ଯୋଜନାରେ ସହାୟତା ଦିଆଯିବ। ସେହିପରି ଯେଉଁମାନେ ଭାଗଚାଷୀ ଓ ଭୂମିହୀନ ଚାଷୀ ରହିଛନ୍ତି ସେମାନଙ୍କୁ କେବଳ ରାଜ୍ୟ ସରକାର କାଳିଆ ଯୋଜନାରେ ୧୦ହଜାର ଟଙ୍କା ଲେଖାଏଁ ବାର୍ଷିକ ସହାୟତା ଯୋଗାଇ ଦେବେ। ଏହି ବର୍ଗର ଚାଷୀଙ୍କୁ ପିଏମକିଷାନରେ ସହାୟତା ମିଳିବ ନାହିଁ। ସରକାରଙ୍କ ବିଜ୍ଞପ୍ତିନାମା ଅନୁଯାୟୀ କାଳିଆ ଯୋଜନାରେ କୌଣସି ପୂର୍ବତନ ମନ୍ତ୍ରୀ, ସାଂସଦ, ବିଧାୟକ, ମେୟର, ଡାକ୍ତର, ଜିଲାପରିଷଦ ଅଧ୍ୟକ୍ଷ, ବ୍ଲକ ଅଧ୍ୟକ୍ଷ, ଯନ୍ତ୍ରୀ, ଓକିଲ ଚାର୍ଟାର୍ଡ ଆକାଉଣ୍ଟାଣ୍ଟଙ୍କୁ ଅନ୍ତର୍ଭୁକ୍ତ କରାଯିବନାହିଁ। ସେହିପରି ସବୁ ପୌରାଞ୍ଚଳରେ ଥିବା​‌​‌ ଚାଷୀଙ୍କୁ ମଧ୍ୟ ଏହି ସହାୟତା ଦିଆଯିବ ନାହିଁ। ଏହାସହିତ ଦୁଃସ୍ଥ କୃଷି ଗୋଷ୍ଠୀଙ୍କୁ ପୂର୍ବରୁ ଦିଆଯାଉଥିବା ସହାୟତା ମିଳିବ ନାହିଁ। ସରକାରଙ୍କ ପକ୍ଷରୁ ପ୍ରତ୍ୟେକ କାଳିଆ ହିତାଧିକାରୀଙ୍କୁ ୧ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣରେ ସୁଧ ଛାଡ ରିଆତି ଯୋଗାଇ ଦିଆଯିବ। ପୂର୍ବରୁ ସରକାର ୫୦ହଜାର ଟଙ୍କା ପର୍ଯ୍ୟନ୍ତ ଋଣରେ ସୁଧ ଛାଡ କରୁଥିବାବେଳେ ଏହାକୁ ୧ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି। ରାଜ୍ୟ ସରକାରଙ୍କ କାଳିଆ ଦିନକୁ ଦିନ ପ୍ରଶଂସନୀୟ ହେଉଥିବାରୁ ଯୋଜନାର ଅବଧିକୁ ବୃଦ୍ଧି କରାଯିବ। ଯେପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ କିଷାନ ଯୋଜନା ଚାଲୁ ରହିବ ସେପର୍ଯ୍ୟନ୍ତ କାଳିଆ ଚାଲିବ। ସରକାରଙ୍କ ପକ୍ଷରୁ ୨୦୧୯-୨୦ ଆର୍ଥିକ ବର୍ଷ ଲାଗି ୪୫୮୭.୫୮୪କୋଟି ଟଙ୍କା ଏବଂ ୨୦୨୦-୨୧ବର୍ଷ ଲାଗି ୩୪୦୪.୦୨୨୪କୋଟି ଟଙ୍କା ଅତିରିକ୍ତ ଅର୍ଥ ବରାଦ ହୋଇଛି। ଆଗାମୀ ଦିନରେ ଚାଷୀଙ୍କ ସଂଖ୍ୟା ବଢ଼ିବାକୁ ରହିଥିବାରୁ ୨୦୨୧-୨୨ ବର୍ଷ ଲାଗି ବଜେଟ ଅଟକଳ ବ୍ୟବସ୍ଥା କରାଯାଇ ନଥିବା ବିଜ୍ଞପ୍ତିରୁ ଜଣାଯାଇଛି।

Comments are closed.