କାଳିଆକୁ ପୂରିଲା ବରଷେ : ଜନ୍ମବେଳର ଉତ୍ସୁକତା ବର୍ଷକରେ ଶେଷ

ଭୁବନେଶ୍ୱର:ରାଜ୍ୟ ସରକାରଙ୍କ ୨୦୧୮ର ‘କାଳିଆ’ ଯୋଜନା ଭାରତ ବର୍ଷର ବହୁ ଚର୍ଚ୍ଚିତ ଯୋଜନା। ଗତ ସାଧାରଣ ନିର୍ବାଚନ ପୂର୍ବରୁ ଯୋଜନାର ସୁଦୂରପ୍ରସାରୀ କାର୍ଯ୍ୟକାରିତାକୁ ନେଇ ସାରା ଦେଶରେ ହଇଚଇ ସୃଷ୍ଟି ହୋଇଥିଲା। ତେଲଙ୍ଗାନା ମୁଖ୍ୟମନ୍ତ୍ରୀ କେ. ସି. ଆରଙ୍କଠାରୁ ଆରମ୍ଭ କରି ପଞ୍ଚଦଶ ଅର୍ଥ କମିଶନ ଡ. ଏନ. କେ. ସିଂହଙ୍କ ପର୍ଯ୍ୟନ୍ତ ବହୁ ବିଶିଷ୍ଟ ବ୍ୟକ୍ତିବିଶେଷ ଚାଷୀଙ୍କ ପାଇଁ ଏହା ଏକ ସର୍ବୋତ୍କୃଷ୍ଟ ଯୋଜନା ବୋଲି ତାଙ୍କ ଅଭିମତରେ ଦର୍ଶାଇଥିଲେ। ହେଲେ ବିରୋଧୀ ବିଜେପି ଓ କଂଗ୍ରେସ ଏହାକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲେ। ଦୀର୍ଘ ୧୯ବର୍ଷ ଧରି ରାଜ୍ୟ ସରକାର ଚାଷୀଙ୍କ ମୁହଁକୁ ଚାହିଁ ନଥିବାବେଳେ ଏହା ଏକ ପ୍ରହେଳିକା ବୋଲି କହି ସମାଲୋଚନା କରିଥିଲେ। ଏହାକୁ ନେଇ କେନ୍ଦ୍ରର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଉ ଏକ ବିକଳ୍ପ ଚାଷୀଭିତ୍ତିକ ଯୋଜନା ପିଏମ କିଷାନ ନିଧି ଯୋଜନା ସାରା ଦେଶରେ ପ୍ରଣୟନ କରିଥିଲେ। ମାତ୍ର କାଳିଆର ବିଶେଷତ୍ବକୁ ନେଇ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ଦୀର୍ଘ ୫ମାସ ବାକ୍ ବିତଣ୍ଡା ଲାଗି ରହିଥିଲା। ତେବେ ଇତି ମଧ୍ୟରେ କାଳିଆ ଘୋଷଣା ହେବାର ଆଜିକୁ ବର୍ଷେ ପୂରିଛି। ମାତ୍ର ସରକାରୀ ତିଥି ଅନୁଯାୟୀ ରାତି ପାହିଲେ କାଳିଆ ଯୋଜନାର ଜନ୍ମ ଦିବସ। ହେଲେ ଯୋଜନାର ଜନ୍ମ ବେଳେ ସରକାରଙ୍କ ପକ୍ଷରୁ ଏହାକୁ ନେଇ ଯେଭଳି ଉତ୍ସୁକତା ଦେଖା ଯାଇଥିଲା ତାହା ବର୍ଷେ ପୂରିଲା ବେଳକୁ ଆଉ ନାହିଁ। ବିଭାଗ ଏହାକୁ ଭୁଲି ଯାଇଥିବା ବେଳେ ସରକାର ମଧ୍ୟ କିଛି ନୂତନ କାର୍ଯ୍ୟକ୍ରମ ରଖିନାହାନ୍ତି।

୨୦୧୮ ଡିସେମ୍ବର ୨୧ରେ ଆଜିର ଦିନରେ ଏହି ଯୋଜନା ଘୋଷଣା ବେଳେ ପୁରୀରେ ରାଜ୍ୟ ସରକାର ଏକ ବିରାଟ ବଡ଼ ଆୟୋଜନ କରିଥିଲେ। ସରକାରଙ୍କ ପକ୍ଷରୁ ଚାଷୀଙ୍କୁ ଏକ ଅତୁଟ ଭରସା ଦିଆଯାଇଥିଲା। ଏମିତିକି ଖୋଦ୍ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଯୋଜନାର କାର୍ଯ୍ୟକାରିତାକୁ ନେଇ ଅନେକ ଖୁସି ଥିଲେ। ଏହା ସରକାରଙ୍କ ଏକ ଐତିହାସିକ କାର୍ଯ୍ୟକ୍ରମ ବୋଲି କହିଥିଲେ। ଏହି ଯୋଜନାରେ ୯୨ପ୍ରତିଶତ ଚାଷୀ ଅନ୍ତର୍ଭୁକ୍ତ ହୋଇପାରିବେ। ଚାଷୀମାନଙ୍କୁ ଚାଷ କ୍ଷେତ୍ରରେ ସହାୟକ ହେବାପାଇଁ ରାଜ୍ୟ ସରକାର ବର୍ଷକୁ ୧୦ହଜାର ଟଙ୍କାର ସହାୟତା ଯୋଗାଇବାକୁ ରଖିଥିଲେ। ଏହି ଯୋଜନା ବାବଦକୁ ବର୍ଷକୁ ୩୦୧୬କୋଟି ଟଙ୍କା ବଜେଟ ଆକଳନ କରାଯାଇଥିଲା। ୨୦୧୧ ଜନଗଣନା ଅନୁଯାୟୀ ୩୨.୮୦ଲକ୍ଷ ଚାଷୀ ଓ ୨୪.୨୦ଲକ୍ଷ କୃଷି ଶ୍ରମିକଙ୍କ ଆର୍ଥିକ ମାନଦଣ୍ଡ ସୁଦୃଢ଼ କରିବାକୁ ଲକ୍ଷ୍ୟ ରଖାଯାଇଥିଲା। ରବି ଓ ଖରିଫ ଋତୁରେ ଦୁଇଟି କିସ୍ତିରେ ୧୦ହଜାର ଟଙ୍କା ଲେଖାଏଁ ଚାଷୀଙ୍କୁ ସହାୟତା ଦେବାକୁ କୃଷିବିଭାଗର ବିଜ୍ଞପ୍ତିରେ ରହିଥିଲା। ମାତ୍ର ନିର୍ବାଚନ ବେଳେ ରାଜ୍ୟ ସରକାରଙ୍କ ଏହି ମହତ ଯୋଜନାକୁ ନେଇ ବିରୋଧୀ ଶିବିରରେ ଏକ ପ୍ରକାର ହତୋତ୍ସାହ ଦେଖାଦେଇଥିଲା। ଯାହାର ପ୍ରତିଫଳନ ନିର୍ବାଚନ ଫଳାଫଳ ହିଁ ଦେଖା ଦେଇଥିଲା।

ଗୋଟିଏ ପଟେ ସାରା ଭାରତ ବର୍ଷରେ ବିଜେପି ପ୍ରତି ଜନସମର୍ଥନ ମିଳୁଥିବାବେଳେ କେବଳ ଓଡ଼ିଶାରେ ତାହା ଦିଗହରା ହୋଇଥିଲା। ଏହି ଜନହିତକର ଯୋଜନାକୁ ବର୍ଷେ ପୂରିଛି। ହେଲେ ଯୋଜନାର ଆରମ୍ଭ ବେଳେ କାଳିଆକୁ ନେଇ ଚାଷୀଙ୍କ ମନରେ ଆନନ୍ଦ ଲାଗି ରହିଥିଲା ତାହା ଏବେ ଟିକେ କମିଯାଇଛି। କାଳିଆ ଯୋଜନା ସରକାର ଏବେ ଚାଲୁ ରଖିଛନ୍ତି, ମାତ୍ର ଚାଷୀଙ୍କ ମନରେ ଅସୁମାରି ପ୍ରଶ୍ନ ସୃଷ୍ଟି ହୋଇଛି। ଏନେଇ କୃଷି ବିଭାଗ ପ୍ରମୁଖ ସଚିବ ସୌରଭ ଗର୍ଗଙ୍କ କହିବା କଥା ହେଲା ରାଜ୍ୟ ସରକାର ଚାଷୀଙ୍କ ପାଇଁ ଅନେକ ଯୋଜନା କରିଛନ୍ତି। ତେଣୁ ଆଉ ଏହାକୁ ନେଇ କିଛି କରିବାର ଏବେ ଯୋଜନା ନାହିଁ ବୋଲି ସେ କହିଛନ୍ତି। ବିଭାଗୀୟ ମନ୍ତ୍ରୀ ଡ. ଅରୁଣ ସାହୁ ଏନେଇ କୌଣସି ଉତ୍ତର ଦେଇ ନଥିଲେ। ଅନ୍ୟପକ୍ଷରେ ବିଜେପି ରାଜ୍ୟ ଉପସଭାପତି ସମୀର ମହାନ୍ତି କହିଛନ୍ତି ଯେ ରାଜ୍ୟ ସରକାର କେବଳ ନିର୍ବାଚନ ବୈତରଣୀ ପାରି ହେବାପାଇଁ ଏଭଳି ଭେଳିକି ଚାଷୀଙ୍କୁ ଦେଖାଇଥିଲେ। ୭୫ଲକ୍ଷ ଚାଷୀଙ୍କୁ ୧୦ହଜାର ଟଙ୍କା ଲେଖାଏଁ ଦିଆଯିବ ବୋଲି ଖୋଦ୍ ମୁଖ୍ୟମନ୍ତ୍ରୀ ପଞ୍ଚମ ପାଳିରେ ସରକାରକୁ ଆସିବା ବେଳେ କହିଥିଲେ। ହେଲେ ଏବେ ବର୍ଷେ ନପୂରୁଣୁ କାହିଁକି ୧୦ହଜାର ଟଙ୍କାଟା ୪ହଜାରକୁ ହ୍ରାସ କଲେ ତାହାର ଉତ୍ତର ଦିଅନ୍ତୁ। ସେହିପରି କେତେ ଭୂତ ଚାଷୀଙ୍କୁ ରାଜ୍ୟବାସୀଙ୍କ ଟଙ୍କା ବଣ୍ଟାଯାଇଛି ଏବଂ ଏପର୍ଯ୍ୟନ୍ତ କାହିଁକି ଚାଷୀଙ୍କୁ ଦ୍ବିତୀୟକିସ୍ତି ମିଳିନାହିଁ ତା’ର ମଧ୍ୟ ଉତ୍ତର ଦିଅନ୍ତୁ। ଆଗାମୀ ଦିନରେ ସରକାରଙ୍କ ମୁହଁରେ କାଳିଆ କଳା ବୋଳିବ ବୋଲି ଶ୍ରୀ ମହାନ୍ତି କହିଛନ୍ତି।

pic courtesy kalia scheme list

ସେହିପରି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି ଯେ ସରକାର ଚାଷୀଙ୍କୁ ଭଣ୍ଡେଇଛନ୍ତି। କାଳିଆ ନାଁରେ ଯେଭଳି ଅପପ୍ରଚାର କରି ଶାସନ କ୍ଷମତା ଦଖଲ କଲେ ତାହା ଚକାଆଖି ସବୁ ଦେଖୁଛି। ଏହି ଯୋଜନାର ପ୍ରକୃତ ଲକ୍ଷ୍ୟ ଚାଷୀଙ୍କ ଉପକାର ପରିବର୍ତ୍ତେ ସରକାରୀ ଅର୍ଥରେ ନିର୍ବାଚନୀ ବୈତରଣୀ ପାରିହେବା ବିଜେଡ଼ିର ଆଭିମୁଖ୍ୟ ଥିଲା। ଏଭଳିକି ଆପଦକାଳୀନ ପାଣ୍ଠିରୁ ଅର୍ଥ ଆଣି କାଳିଆ ଯୋଜନାରେ ସରକାର ଦଳୀୟ କର୍ମୀଙ୍କୁ ବାଣ୍ଟିଲେ। ପରବର୍ତ୍ତୀ ସମୟରେ ଏହି ଯୋଜନାକୁ ବଞ୍ଚାଇ ରଖିବାପାଇଁ ଅର୍ଥ ନିଅଣ୍ଟ ପଡ଼ିଥିବାରୁ ପିଏମ କିଷାନ ସହିତ ଯୋଡି ହେବା ପାଇଁ ପ୍ରୟାସ କରୁଛନ୍ତି। ସରକାରଙ୍କ ଏହି ନାଟକ ଏବେ ଲୋକେ ବୁଝିଗଲେଣି। ସମୟ ଆସିଲେ ନିଶ୍ଚିତ ଜବାବ ଦେବେ ବୋଲି ଶ୍ରୀ ମିଶ୍ର କହିଛନ୍ତି।

Comments are closed.