ଚାଷୀଙ୍କୁ ବଣ୍ଟାହେବ ‘କାଳିଆ’; ଉପକୃତ ହେବେ ୩୨ଲକ୍ଷ ଚାଷୀ

ଭୁବନେଶ୍ବର : ବର୍ଷକ ପରେ ପୁଣିଥରେ କାଳିଆ ଯୋଜନାରେ ଚାଷୀଙ୍କୁ ଆର୍ଥିକ ସହାୟତା ଯୋଗାଇ ଦେବାପାଇଁ ସରକାରଙ୍କ ପକ୍ଷରୁ ତତ୍ପରତା ଦେଖାଦେଇଛି। ନିକଟରେ ଉନ୍ନୟନ କମିଶନର ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ କାଳିଆ ନେଇ ବୈଠକ ଅନୁଷ୍ଠିତ ହେବା ପରେ ରାଜ୍ୟ ଅର୍ଥ ବିଭାଗ ଚାଷୀଙ୍କୁ କାଳିଆ ସହାୟତା ଯୋଗାଇ ଦେବାପାଇଁ ଆଗଭର ହୋଇଛି। ସୂଚନା ଅନୁଯାୟୀ ଏଥର ୩୨ଲକ୍ଷ ଚାଷୀଙ୍କୁ କାଳିଆ ଯୋଜନାରେ ସହାୟତା ଯୋଗାଇ ଦିଆଯିବ। ଏନେଇ ଅର୍ଥ ବିଭାଗ ପକ୍ଷରୁ କୃଷି ବିଭାଗର ଏକ ପ୍ରସ୍ତାବକୁ ଅନୁମୋଦନ ଦିଆଯାଇଛି। ଫଳରେ ଖରିଫ ଚାଷବେଳେ ଚାଷୀଙ୍କୁ କାଳିଆ ସହାୟତା ଅଧିକ ଉପଯୋଗୀ ହେବ ବୋଲି ଜଣାଯାଇଛି।
କୃଷିବିଭାଗର ଜଣେ ଅଧିକାରୀଙ୍କ ସୂଚନା ଅନୁଯାୟୀ ରାଜ୍ୟ ସରକାର ଏବେ କରୋନା ମୁକାବିଲା ସହିତ ଗ୍ରାମୀଣ କୃଷି ଭିତ୍ତିଭୂମି ଓ ଚାଷୀଙ୍କ ଆର୍ଥିକ ମାନଦଣ୍ଡ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖିଛନ୍ତି। କରୋନା ମହାମାରୀ ପାଇଁ ମାସାଧିକ କାଳ ଲକ୍ ଡାଉନ ଯୋଗୁଁ କୃଷକ ଓ କୃଷିକ୍ଷେତ୍ର ପ୍ରଭାବିତ ହୋଇ ପଡିଥିବାରୁ ଏହି ସମୟରେ ଚାଷୀଙ୍କୁ କାଳିଆ ସହାୟତା ଦେବାପାଇଁ ସରକାର ଅଣ୍ଟା ଭିଡ଼ିଛନ୍ତି। ଚାଷୀଙ୍କୁ କାଳିଆ ଯୋଜନା ଯୋଗାଇ ଦେବାକୁ ଉନ୍ନୟନ କମିଶନରଙ୍କ ଅଧ୍ୟକ୍ଷତାରେ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକର ନିଷ୍ପତ୍ତି ଅନୁଯାୟୀ ଖୁବଶୀଘ୍ର ୩୨ ଲକ୍ଷ ଚାଷୀଙ୍କୁ କାଳିଆ ସହାୟତା ରାଶି ବଣ୍ଟନ କରାଯିବ।
ରାଜ୍ୟରେ ୫୧ଲକ୍ଷ ଚାଷୀଙ୍କ ମଧ୍ୟରୁ ଚଳିତବର୍ଷ ପ୍ରଥମ ପର୍ଯ୍ୟାୟରେ ପ୍ରାୟ ୩୨ଲକ୍ଷ ଚାଷୀଙ୍କୁ ସହାୟତା ରାଶି ବାବଦକୁ ୪ହଜାର ଟଙ୍କା ଲେଖାଏଁ ବଣ୍ଟନ କରାଯିବ। ଏହି ଅର୍ଥରେ ଚାଷୀମାନେ ବିହନ, ସାର ଓ କୀଟନାଶକ କିଣି କୃଷିକ୍ଷେତ୍ରକୁ ଅଧିକ ମଝବୁତ୍ କରିବେ ବୋଲି ସରକାର ଆଶା ରଖିଛନ୍ତି। ତେବେ ପ୍ରଥମ ପର୍ଯ୍ୟାୟରେ କେବଳ ଯେଉଁ ଚାଷୀମାନଙ୍କର ଆଧାରକାର୍ଡ, ବ୍ୟାଙ୍କ ଖାତା ଓ ଅନ୍ୟାନ୍ୟ ବିବରଣୀ ଠିକ୍ ରହିଛି ତାଙ୍କୁ ହିଁ ଅର୍ଥ ଦେବାପାଇଁ ସରକାର ଚିନ୍ତା କରିଛନ୍ତି। ସୂଚନାଯୋଗ୍ୟ ଯେ ସରକାରଙ୍କ ୨୦୧୯ ଜୁଲାଇର ସୂଚନା ଅନୁଯାୟୀ ରାଜ୍ୟରେ ୫୧ଲକ୍ଷରୁ ଊର୍ଦ୍ଧ୍ବ ଚାଷୀଙ୍କୁ କାଳିଆ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଛି। ସରକାର କୃଷି ଶ୍ରମିକଙ୍କୁ ଅନ୍ତର୍ଭୁକ୍ତ କରି ଏହି ସଂଖ୍ୟା ୭୫ ଲକ୍ଷକୁ ବୃଦ୍ଧି କରିବାପାଇଁ ଲକ୍ଷ୍ୟ ରଖିଥିଲେ। ତେବେ ରାଜ୍ୟରେ ୪୩ଲକ୍ଷ ଚାଷୀ କାଳିଆ ଯୋଜନାରେ ସହାୟତା ପାଇଛନ୍ତି ଏବଂ ୩ଲକ୍ଷ ୪୧ହଜାର ଅଯୋଗ୍ୟ ଚାଷୀଙ୍କୁ ବାଦ୍ ଦିଆଯାଇଛି।

Comments are closed.