୩୪ଲକ୍ଷ ଚାଷୀଙ୍କୁ ୬୯୩.୯୪ କୋଟି ‘କାଳିଆ’ ସହାୟତା
ଚାଷୀକୁ ଉପେକ୍ଷା କରି ବିକାଶ କଥା ଚିନ୍ତା କରାଯାଇ ନ ପାରେ : ନବୀନ

ଭୁବନେଶ୍ୱର : ପବିତ୍ର ଓଡ଼ିଶା ଦିବସ ଅବସରରେ ଗୁରୁବାର ୩୪ ଲକ୍ଷରୁ ଅଧିକ ଚାଷୀଙ୍କ ଖାତାକୁ କାଳିଆ ଯୋଜନାରେ ୬୯୩.୯୪ କୋଟି ଟଙ୍କାର ରଵି ସହାୟତା ରାଜ୍ୟ ସରକାର ପ୍ରଦାନ କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ ଯେ ଚାଷୀଙ୍କ ସହାୟତାରୁ ହିଁ ନୂତନ ଆର୍ଥିକ ବର୍ଷ ଆରମ୍ଭ ହୋଇଛି। ଏହି ଅବସରରେ ସବୁ ଚାଷୀ ଭାଇ ଓ ଭଉଣୀଙ୍କୁ ମୁଖ୍ୟମନ୍ତ୍ରୀ ଅଭିନନ୍ଦନ ଜଣାଇଥିଲେ। ମହାତ୍ମା ଗାନ୍ଧୀ ଓ ଗୋପବନ୍ଧୁଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ପରେ ଚାଷୀଙ୍କ କଲ୍ୟାଣ କାର୍ଯ୍ୟକ୍ରମରୁ ହିଁ ନୂଆ ଆର୍ଥିକବର୍ଷ ଆରମ୍ଭ ହେଲା ବୋଲି ସେ କହିଥିଲେ।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ କାଳିଆ ଯୋଜନା ଆମର ଏକ ଗୁରୁତ୍ବପୂର୍ଣ୍ଣ ଚାଷୀ କଲ୍ୟାଣ କାର୍ଯ୍ୟକ୍ରମ। ସରକାରଙ୍କ ସହୃଦୟତା ପାଇଁ ୩୭ଲକ୍ଷ ଚାଷୀଙ୍କ ଜୀବନରେ ନୂଆ ପରିବର୍ତ୍ତନ ଆସିପାରିଛି। ଯେଉଁଥିରେ କି ୧୭ଲକ୍ଷ ଚାଷୀ ଭୂମିହୀନ ରହିଛନ୍ତି। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସବୁବେଳେ ଚାଷୀ ଭାଇଭଉଣୀଙ୍କ ସହ ରହିଛି। ସେମାନଙ୍କ ପାଇଁ କାମ କରୁଛି ଓ କରି ଚାଲିବି। ଦେଢ ଗୁଣ ଏମଏସପି କାହାର ଦୟା ନୁହେଁ; ଏହା ଚାଷୀର ହକ୍। ଚାଷୀକୁ ତା’ର ହକ୍ ଦେବାପାଇଁ ଆମର ଲଢେଇ ଜାରି ରହିଛି। ଏମ.ଏସ.ସ୍ବାମୀନାଥନ କମିଟି ସୁପାରିସକୁ କାର୍ଯ୍ୟକାରୀ କରିବା ପାଇଁ ଆମର ଦାବି ଜାରି ରହିବ। ଚାଷୀର ତ୍ୟାଗ ଓ ପରିଶ୍ରମକୁ ପ୍ରଣାମ। କୋଭିଡ ସମୟରେ ଚାଷୀ ଭାଇ ହିଁ ଆମର ଅର୍ଥନୀତିକୁ ରକ୍ଷା କରିଛନ୍ତି। ତେଣୁ ଚାଷୀକୁ ଅଣଦେଖା କରି ବିକାଶ କଥା ଚିନ୍ତା କରାଯାଇ ନ ପାରେ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି।
ପିପିଲି ଉପନିର୍ବାଚନ ଯୋଗୁଁ ପୁରୀ ବ୍ୟତୀତ ସବୁ ଜିଲାର ଚାଷୀଙ୍କୁ କାଳିଆ ସହାୟତା ଦିଆଯାଇଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। କାର୍ଯ୍ୟକ୍ରମରେ କୃଷିମନ୍ତ୍ରୀ ଅରୁଣ ସାହୁ କାଳିଆ ଯୋଜନାକୁ ଦେଶ ପାଇଁ ଏକ ମଡେଲ ଭାବରେ ବର୍ଣ୍ଣନା କରି ଚାଷୀଙ୍କୁ ଆଗକୁ ବଢିବା ପାଇଁ ସୁବର୍ଣ୍ଣ ସୁଯୋଗ ସୃଷ୍ଟି କରିଛି ବୋଲି କହିଥିଲେ। କୃଷି ଉତ୍ପାଦନ କମିସନର ରାଜକୁମାର ଶର୍ମା
ସ୍ବାଗତ ଭାଷଣ ଦେଇଥିବାବେଳେ ମୁଖ୍ୟମନ୍ତ୍ରୀଙ୍କ ସଚିବ(୫-ଟି) ଭି.କେ ପାଣ୍ଡିଆନ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ। କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଓ ବରିଷ୍ଠ ଅଧିକାରୀ ମାନେ ଯୋଗ ଦେଇଥିଲେ।