ଶ୍ରମିକ ବଦଳରେ କାମ କରୁଛି ମେସିନ; ସାଧାରଣରେ ଅସନ୍ତୋଷ

କଳାପଥର: ଶ୍ରମିକମାନଙ୍କୁ ୧୦୦ଦିନର କାମ ଯୋଗାଇଦେବାକୁ ସରକାର ଘୋଷଣା କରିଛନ୍ତି। ସେମାନେ ଯେପରି ଅନ୍ୟ ରାଜ୍ୟକୁ ଦାଦନ ଶ୍ରମିକ ଭାବରେ ଯିବେନାହିଁ , ତାହା ଉପରେ ସରକାର ନଜର ରଖିଛନ୍ତି। ଏଥିପାଇଁ କେନ୍ଦ୍ର ଠାରୁ ଆରମ୍ଭ କରି ରାଜ୍ୟ ସରକାରଙ୍କ ପର୍ଯ୍ୟନ୍ତ ସମସ୍ତ ଜିଲା ପ୍ରଶାସନକୁ ଏହା ଉପରେ ନଜର ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। କିନ୍ତୁ କଟକ ଜିଳଶ ବାଙ୍କୀ ବ୍ଲକରେ ସରକାରଙ୍କ ଏହି ନିର୍ଦେଶକୁ ମାନୁନଥିବା ଦେଖିବାକୁ ମିଳୁଛି। ଏଠାରେ ଦିବାଲୋକରେ ମେସିନ ବ୍ୟବହାର କରାଯାଇ ଶ୍ରମଭିତ୍ତିକ କାର୍ଯ୍ୟ କରାଯାଉଛି। ସରକାରୀ ଯୋଜନାକୁ କିପରି ବାଟମାରଣା କରାଯିବ, ସେଥିପାଇଁ ଯୋଜନା ପ୍ରସ୍ତୁତ କରାଯାଇ ଗୋଟିଏ ପ୍ରକଳ୍ପକୁ ଦୁଇଦୁଇଟି ଯୋଜନାରୁ ମଞ୍ଜୁର କରାଯାଉଛି। ଯେହେତୁ ଶ୍ରମଭିତ୍ତିକ କାର୍ଯ୍ୟରେ କେବଳ ଶ୍ରମିକମାନେ ହିଁ କାର୍ଯ୍ୟକରିବାର ନିୟମ ରହିଛି। ଏହି କ୍ରମରେ ବାଙ୍କୀ ବ୍ଲକର ଅଧିକାଂଶ ପଂଚାୟତରେ ଶ୍ରମିକ ବଦଳରେ ମେସିନ କାମ କରୁଥିବା ଦେଖିବାକୁ ମିଳୁଛି। ଦିବାଲୋକରେ ମେସିନ କାମ କରୁଥିବାବେଳେ ଏଥିନେଇ ପଚାରିଲେ ବ୍ଲକର ସହକାରୀ ଯନ୍ତ୍ରୀ ମେସିନ କାମ କରିପାରିବ ବୋଲି ଉତ୍ତର ଦେଉଛନ୍ତି।

 

ପୁଇଁଚା ପଞ୍ଚାୟତର କଢମଲ୍ଲ ଗ୍ରାମରେ ଥିବା ବନ୍ଧ ପୋଖରୀ ଖୋଳାଯିବାକୁ ସରକାରୀ ଭାବରେ ଏନଆରଜିଏସ ଯୋଜନାରୁ ୭ଲକ୍ଷ , ୫ମ ଅର୍ଥ କମିଶନଙ୍କ ପ୍ରଦତ ଅର୍ଥରୁ ୫ଲକ୍ଷ ଟଙ୍କା ମଞ୍ଜୁର କରାଯାଇଛି ବୋଲି ବ୍ଲକ ସରକାରୀ ଯନ୍ତ୍ରୀ ସୂଚନା ଦେଇଛନ୍ତି। ତେବେ ଏହି ମଞ୍ଜୁର ଅର୍ଥରେ ଶ୍ରମିକମାନେ କାମ କରୁନଥିବା ଦେଖିବାକୁ ମିଳିଛି। ଉକ୍ତ ପୋଖରୀକୁ ଏକ ହିଟାଚି ମେସିନ ସହାୟତାରେ ଖୋଳାଯାଉଛି। ଏହିକାର୍ଯ୍ୟ ଆଜିକୁ ଏକ ସପ୍ତାହ ହେଲା ଅତି ନିବିଘ୍ନରେ ଚାଲିଛି। ସେହିପରି ପୋଖରୀରୁ ଖୋଳାଯାଉଥିବା ମାଟିକୁ ମଧ୍ୟ କେତେକ ବିଲ ମାଲିକଙ୍କୁ ପୋତିବାକୁ ବିକ୍ରୀ କରାଯାଉଛି। ଅନ୍ୟ ପକ୍ଷରେ ଜଗନ୍ନାଥପୁର ପଞ୍ଚାୟତର ନୂଆ ପୋଖରୀର ମଧ୍ୟ ପୁନଃଉଦ୍ଧାର କାର୍ଯ୍ୟ ଚାଲିଛି। ଏଥିପାଇଁ ୧୪ଦଶ ଅର୍ଥକମିଶନଙ୍କ ପ୍ରଦତ ୭ଲକ୍ଷଟଙ୍କା ମଞ୍ଜୁର ହୋଇଛି। ଖୋଳାଯାଉଥିବା ମାଟିକୁ ପୋଖରୀ ବନ୍ଧରେ ପକାନଯାଇ ଉକ୍ତ ମାଟିକୁ ବିକ୍ରୀ କରାଯାଉଛି। ଯାହାକି ସରକାରୀ ନିୟମର ଖୋଲାଉଲ୍ଲଙ୍ଘନ ବୋଲି କୁହାଯାଉଛି। ଏ ସମ୍ପର୍କରେ ବାଙ୍କୀ ବିଡିଓ ରତ୍ନାକର କାଣ୍ଡି ଓ ଜିଲା ପ୍ରକଳ୍ପ ନିର୍ଦେଶକ ଅମ୍ବର କର ଘଟଣାର ତଦନ୍ତ କରିବେ ବୋଲି କହିଛନ୍ତି।

Comments are closed.