କଳାପାହାଡ଼ରେ ବେଧଡ଼କ ବିସ୍ଫୋରଣ

ଥରହର ଜନପଦ; ଭୁଶୁଡ଼ୁଛି ବସତି

କଟକ : ସନ୍ଧ୍ୟା ନଇଁଲେ ଗର୍ଜୁଛି ଯାଜପୁର ଜିଲାର ଧର୍ମଶାଳା ଅଞ୍ଚଳ। ଥରୁଛି ଭୂପୃଷ୍ଠ। ଭୂମିକମ୍ପର ଭ୍ରମ ସୃଷ୍ଟି କରୁଛି। କଳାପଥର ପାହାଡରେ ଭୟାନକ ବିସ୍ଫୋରଣ କରାଯାଇ ଏପରି ପରିସ୍ଥିତି ସୃଷ୍ଟି କରାଯାଉଛି। ମାତ୍ର ଏଠାରେ ପୁଲିସ ଓ ପ୍ରଶାସନ ନିରବ। ସନ୍ଧ୍ୟାରୁ ବିଳମ୍ବିତ ରାତିପର୍ଯନ୍ତ ଢୋ ଢୋ ଶବ୍ଦ ପାହାଡର ପ୍ରାୟତଃ ୩୦ କିଲୋମିଟର ପର୍ଯ୍ୟନ୍ତ ଗର୍ଜନ କରୁଛି। ଥରହର ପଶୁପକ୍ଷୀ ଜଗତ। ଇଏ ଦିନେ ଅଧେ ନୁହେଁ; ନିୟମିତ ଘଟଣା ପାଲଟିଛି। ଫଳରେ ଭୂତଳ ଜଳସ୍ତର ଖସିଲାଣି। ଗଭୀର ନଳକୂପ ବି ଶୁଖିଲା ପଡ଼ିଲାଣି। ୭/୮ ବର୍ଷ ପୂର୍ବରୁ ବସିଥିବା ନଳକୂଅରୁ ବାହାରୁଛି ଲୌହଯୁକ୍ତ ପାଣି। କଳାପାହାଡ଼ ଏବେ ପଥର ମାଫିଆଙ୍କ କବ୍‌ଜାରେ। ଅତଡ଼ା ଖସାଇଲା ଭଳି ପ୍ରଚଣ୍ଡ ବିସ୍ଫୋରଣ କିଭଳି ପୁଲିସ ଓ ପ୍ରଶାସନ କାନକୁ ବାଜୁନି ? ଜିଲା ପ୍ରଶାସନ କ’ଣ ଏଠି କାନରେ ତୁଳା ଦେଇ ବସିଛି କି ଏଭଳି ସନ୍ଦେହ ସାଧାରଣରେ ସୃଷ୍ଟି ହେଲାଣି।
ସୂଚନା ଅନୁସାରେ ଏପରି ଭୟାନକ ବିସ୍ଫୋରଣରେ ଗତ ଦୁଇବର୍ଷ ମଧ୍ୟରେ ୧୭ ଜଣ ଶ୍ରମିକଙ୍କର ଜୀବନ ଚାଲିଯାଇଛି। ଅନେକ ଗୋରୁଗାଈଙ୍କ ମୃତ୍ୟୁ ଘଟିଛି। ଦିନରାତି ବେଆଇନ୍‌ ୱାଗନ୍‌ବ୍ଲାଷ୍ଟିଂ ଫଳରେ କାହାର ଘର ଫାଟି ଗଲାଣି ତ’ କେଉଁଠାରେ ଘରର ମୂଳଦୁଆ ଦୁର୍ବଳ ହୋଇଗଲାଣି। ପାହାଡ଼ ଆଖପାଖରେ ଥିବା ଚାଷ ଜମି ଉର୍ବରତା ହରାଇଲାଣି। ଅଞ୍ଚଳର ପରିବେଶ ଧ୍ୱଂସ ପାଇବା ସହ ଲୋକମାନେ ନାନା ରୋଗରେ ଆକ୍ରାନ୍ତ ହେଉଥିବା ଦେଖିବା ପାଇଁ ମିଳୁଛି।
ସୂତ୍ର ଅନୁସାରେ, ଧର୍ମଶାଳା ତହସିଲ ଅଞ୍ଚଳରେ ୯୩ ଖାଦାନ ଥିବା ବେଳେ ସରକାରୀ ଭାବେ ୫୨ ଖାଦାନ ଲିଜ୍‌ ଦିଆଯାଇଛି। ଅବଶିଷ୍ଟ ଖାଦାନରେ ଚାଲିଛି ବେଆଇନ ପଥର ଫଟା। ଏସବୁ କାହା ଇସାରରେ ଚାଲିଛି, ସଭିଙ୍କୁ ଜଣା; କିନ୍ତୁ ପାଟି ଫିଟାଇବାକୁ କେହି ସାହସ ବାନ୍ଧି ପାରୁ ନାହାନ୍ତି। ଲଘୁ ଖଣିଜ ସମ୍ପଦ ଚୋରା ଚାଲାଣ ରୋକିବା ଓ ରାଜସ୍ବ ଆଦାୟକୁ ସୁନିୟନ୍ତ୍ରିତ କରିବା ପାଇଁ ସରକାର ନୀତିନିୟମ କରିଛନ୍ତି; ହେଲେ ଏସବୁ ନୀତିନିୟମ ପଥରମାଫିଆଙ୍କ ପାଇଁ ମାଫ୍‌। ଶହ ଶହ ଏକର ଜଙ୍ଗଲଜମି, ପାହାଡ଼ ମାଫିଆଙ୍କ ନିୟନ୍ତ୍ରଣକୁ ଚାଲିଯାଇଛି। ଦିନ ଦ୍ବିପ୍ରହରରେ ଲଘୁ ଖଣିଜ ଲୁଟ୍‌ ସରକାରୀ ରାଜସ୍ବହାନୀ ଘଟାଇଥିବାବେଳେ ନେତା, ପ୍ରଭାବଶାଳୀ ଓ ତଥାକଥିତ ପରିବେଶବିତଙ୍କୁ କୋଟିପତି କରିଛି। ରାଜସ୍ୱ ବିଭାଗ ଆଖିରେ ଯେମିତି କି ଅନ୍ଧ ପୁଟୁଳି ବନ୍ଧା ହୋଇଛ। ଶହଶହ କୋଟି ଟଙ୍କାର କଳାପଥର ଚୋରା ଚାଲାଣ ଫି’ ଦିନ ଚାଲିଛି।
ସେହିପରି ପଥର ଫଟାଇବା ପାଇଁ ବ୍ୟବହୃତ ଡିନାମାଇଟ୍‌, ଜିଲେଟିନ୍‌ ଷ୍ଟିକ୍‌ ଭଳି ଭୟଙ୍କର ବିସ୍ଫୋରକ ସାମଗ୍ରୀର ଚାଲିଛି ବେଧଡକ
ବେପାର। ଲାଇସେନ୍ସ ପାଇଥିବା ଲୋକମାନେ ଏପରି ସାମଗ୍ରୀର ମହଜୁଦ ରଖିବା ପାଇଁ ଘର ଚାରିପଟ ପାଚେରି ନିର୍ମାଣ କରିବାକୁ ନିୟମ ଥିଲେ ହେଁ ତାହା କରାଯାଉ ନାହିଁ କି ଆବଶ୍ୟକ ଜଗୁଆଳି ମଧ୍ୟ ରଖାଯାଇ ନାହିଁ। ଯାଜପୁର ଅଞ୍ଚଳ ଏକ ଗଭୀର ଖାଇରେ ପରିଣତ ହେଲାଣି। କେତେବେଳେ ଭୂପୃଷ୍ଠ ଭୁଶୁଡ଼ିପଡ଼ିବ ଏଭଳି ଆଶଙ୍କା ସାଧାରଣ ଲୋକଙ୍କୁ ଆତଙ୍କିତ କରିଛି। ଜନଅସନ୍ତୋଷ ଓ ଆତଙ୍କକୁ ସାମୟିକ ପ୍ରଶମିତ କରି ଦୋଷ ଝାଡ଼ିବା ପାଇଁ ପୁଲିସ କେତେବେଳେ କିଛି ପାହାଡରେ ୧୪୪ ଧାରା ଜାରୀ କରୁଛି। ଦୈନିକ ହଜାର ହଜାର ଟ୍ରିପ ପଥର ଚାଲାଣ ହଉଥିବାରୁ ସେହି ସ୍ଥାନ ବିରାଟଗର୍ତ୍ତରେ ପରିଣତ ହୋଇଛି। ଏହି ଗାତ ଗୋରୁଗାଈଙ୍କ ପାଇଁ ମରଣଯନ୍ତା ପାଲଟିଯାଇଛି। ସୁନ୍ଦର ପର୍ବତମାଳାକୁ ନଷ୍ଟ କରି ଜୈବବିବିଧତା ବିଗାଡୁଥିବା ଏହି ଲଘୁ ଖଣିଜ ମାଫିଆ ଓ ବିସ୍ଫୋରକ ସାମଗ୍ରୀ କାରବାର କରୁଥିବା ପ୍ରଭାବଶାଳୀ ବ୍ୟକ୍ତିବିଶେଷଙ୍କ ବିରୋଧରେ କେବେ କାର୍ଯ୍ୟାନୁଷ୍ଠାନ ନିଆଯିବ ସେଥିନେଇ ସାଧାରଣରେ ଆଶଙ୍କା ପ୍ରକାଶ ପାଇଛି। ଯଦି ତ୍ବରିତ କାର୍ଯ୍ୟାନୁଷ୍ଠାନ ନିଆ ନ ଯାଏ ତେବେ ସାଧାରଣରେ ବଢ଼ୁଥିବା ଏହି ଅସନ୍ତୋଷ ଆଗକୁ ବିସ୍ଫୋରକ ରୂପ ନେବ ବୋଲି ବୁଦ୍ଧିଜୀବୀ ମହଲରେ ଚେତାବନୀ ଦିଆଯାଇଛି।

Comments are closed.