ସବୁଆଡୁ ନିରାଶ ହେବାପରେ ଇଛାମୃତ୍ୟୁ ଆବେଦନ କଲେ ଅସହାୟ ଅନୀଲ

କଲମପୂର: ସ୍ୱାସ୍ଥ୍ୟସେବା ପାଇଁ ଏକାଧିକ ଯୋଜନା କାର୍ଯ୍ୟକାରୀ ହେଉଥିବା ବେଳେ ବାରମ୍ବାର ଆବେଦନ ସତ୍ତ୍ୱେ ସେସବୁରୁ ବଞ୍ଚିତ ଜଣେ ମେରୁଦଣ୍ଡ ଆଘାତପ୍ରାପ୍ତ ଯୁବକ ନେଇଛନ୍ତି ଚରମ ନିଷ୍ପତ୍ତି। ରୋଗ ଶଯ୍ୟାରେ ପଡି ପଡି ଛଟପଟ ହେବା ଓ ବୃଦ୍ଧ ବାପାମାଆଙ୍କ ଉପରେ ଯୁବାକାଳରେ ବୋଝ ହେବା ଅପେକ୍ଷା ଇଛାମୃତ୍ୟୁ ପାଇଁ ଦେଶର ମହାମହିମ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ସୁପ୍ରିମକୋର୍ଟ, ଓଡିଶା ହାଇକୋର୍ଟ ତଥା ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଏ ସଂପର୍କରେ ଅନୁମତି ଭିକ୍ଷା କରିଛନ୍ତି। ଏକ ସଡକ ଦୁର୍ଘଟଣାରେ ମେରୁଦଣ୍ଡରେ ଆଘାତ ପାଇ ଦୀର୍ଘ ପାଞ୍ଚବର୍ଷ ହେଲା ଶଯ୍ୟାଶାୟୀ ଥିବା ଏହି ଯୁବକ ଜଣକ ହେଉଛନ୍ତି କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ବ୍ଲକ ଅନ୍ତର୍ଗତ ମାଦିଗୁଡା ଗ୍ରାମପଞ୍ଚାୟତର ଚିକିଲି ଗାଁର ଅନୀଲ ସିକା (୩୦)।

ଗତ ୨୦୧୫ ମସିହାରେ ଏକ ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ସେ। ପ୍ରଥମେ ଭବାନୀପାଟଣା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ସେଠାରୁ ବୁର୍ଲାକୁ ତାଙ୍କୁ ସ୍ଥାନାନ୍ତର କରାଯାଇଥିଲା। ତେବେ ମେରୁଦଣ୍ଡରେ ଗୁରୁତର ଆଘାତ ପ୍ରାପ୍ତ ହେବା ଯୋଗୁଁ ତାଙ୍କର ଗୋଡ଼ ଦୁଇଟି ଅଚଳ ହୋଇଗଲା। ସେଇଦିନଠାରୁ ବ୍ୟାପକ ଚିକିତ୍ସା ପରେ ବି ସେ ଭଲ ହେଲେ ନାହିଁ। ସେହିପରି ଭେଣ୍ଡିଆ ପୁଅ ଭରସାରେ ଚଳିବାକୁ ଅଣ୍ଟା ଭିଡ଼ିଥିବା ରିକ୍ସା ଚାଳକ ବୁଢା ବାପା ଏବେ ପୁଅର ସେବାଯତ୍ନ କରୁଛନ୍ତି। ତେବେ ଚିକିତ୍ସା ଚାଲିଥିବା ସମୟରେ ଘର ପରିବାର ସବୁ ବନ୍ଧା ପଡ଼ିଥିବାବେଳେ ପରିବାର ସର୍ବସ୍ୱାନ୍ତ ହୋଇ ପଡ଼ିଛନ୍ତି। ସ୍ୱାସ୍ଥ୍ୟସେବା ସଂପର୍କିତ ସମସ୍ତ ସରକାରୀ ଯୋଜନା ପାଇଁ ଆବେଦନ କରିଥିଲେ ହେଁ କୌଣସି ଫଳ ମିଳିନାହିଁ। ଏପରିସ୍ଥଳେ ସରକାର ଓ ପ୍ରଶାସନ ପାଖରେ ଗୁହାରି କରି ଥକି ପଡ଼ିବା ପରେ ଶେଷରେ ଇଛାମୃତ୍ୟୁ ଭଳି ଦୁର୍ବାର ରାସ୍ତା ଆପଣାଇବାକୁ ଯାଇ ସେ ଦେଶର ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ସୁପ୍ରିମକୋର୍ଟ, ଓଡିଶାର ମୁଖ୍ୟମନ୍ତ୍ରୀ ଓ ହାଇକୋର୍ଟକୁ ଚିଠି ଲେଖି ଇଛାମୃତ୍ୟୁ ଆବେଦନ କରିଛନ୍ତି। ଅନୀଲଙ୍କ ଇଛାମୃତ୍ୟୁ ଆବେଦନ ସଂପର୍କରେ ସମସ୍ତେ ଅଜଣା ଥିବାବେଳେ ଯୁବ ସମାଜସେବୀ ସୁଶୀଲ କୁମାର ବାଗଙ୍କ ଉଦ୍ୟମ କ୍ରମେ ଏସବୁ ଲୋକଲୋଚନକୁ ଆସିଛି। ଏହା ସହିତ ଶ୍ରୀ ବାଗ ଅନୀଲଙ୍କ ଦୁର୍ଦ୍ଦଶା ସଂପର୍କରେ ପ୍ରଧାନମନ୍ତ୍ରୀ ଓ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଟ୍ୱିଟ୍ କରି ଅବଗତ କରାଇଥିବା ଜଣାଯାଏ। ତେବେ ବର୍ତ୍ତମାନ ପରିସ୍ଥିତିରେ କେନ୍ଦ୍ର ଓ ରାଜ୍ୟ ସରକାର ତଥା ସରକାରୀ ସ୍ୱାସ୍ଥ୍ୟସେବା ଯୋଜନା ଉପରେ ଅନୀଲ କିମ୍ବା ଅନ୍ୟ ସାଧାରଣ ଜନତାଙ୍କ ଭରସା ତୁଟିବା ପୂର୍ବରୁ ସରକାର ଓ ପ୍ରଶାସନ ସହାୟତାର ହାତ ବଢାଇବାକୁ ଦାବି ହେଉଛି। ସୁଚନା ଯୋଗ୍ୟ ଯେ ଅନିଲଙ୍କ ଘରର ଅବସ୍ଥା ଅତ୍ୟନ୍ତ ଦୟନୀୟ ହେଇଥିବାରୁ ଅନ୍ୟ ଭାଇ ଏବେ ଦାଦନ ଖଟିବାକୁ ତାମିଲନାଡୁ ଯାଇଛି।

Comments are closed.