ବାସନ୍ଦ ଭୟରେ ବୁଧବାରୀକୁ ମଶାଣୀରେ ଛାଡିଲେ ସମ୍ପର୍କୀୟ, ମଶାଣୀରୁ ଉଠାଇ ଆଣି ସେବା ଯୋଗାଉଛନ୍ତି ସମାଜସେବୀ

କଲମପୁର: ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି ହେବାରେ ବାଧକ ସାଜିଛି ଶିକ୍ଷାର ଅଭାବ। ଯେଉଁଥିପାଇଁ ବିଂଶ ଶତାଦ୍ଧୀରେ ମଧ୍ୟ ମଣିଷ ଅନ୍ଧ ବିଶ୍ୱାସର ଅନ୍ଧ ଗଳିରେ ଛଟପଟ ହେଉଛି। ଏବେବି ଲୋକଙ୍କ ମଧ୍ୟରେ ରହିଛି ଅନେକ ଅନ୍ଧ ବିଶ୍ୱାସ। ଏଭଳି ଅନ୍ଧ ବିଶ୍ୱାସ ଯୋଗୁଁ ଜଣେ କୁଷ୍ଠ ରୋଗରେ ଆକ୍ରାନ୍ତ ମହିଳା ଆଜୀବନ ଅବିବାହିତ ରହିଥିବା ବେଳେ ଏବେ ସମାଜର ବାସନ୍ଦ ଭୟରେ ନିଜ ସମ୍ପର୍କୀୟ ପର କରି ଦେଇଛନ୍ତି। ଏପରିକି ଉକ୍ତ ବୃଦ୍ଧାଙ୍କୁ ସମାଜର ବାସନ୍ଦ ଭୟରେ ନିଜ ସମ୍ପର୍କୀୟ ମଶାଣୀରେ ଛାଡି ଦେବା ଭଳି ଅଭାବନୀୟ ଘଟଣା ଏବେ ଆଲୋଡନ ସୃଷ୍ଟି କରିଛି।

ସୁଚନା ଅନୁସାରେ ଥୁଆମୁଳ ରାମପୁର ବ୍ଲକ ଅଧିନସ୍ଥ କାଣିଗୁମା ପଂଚାୟତର ଧୁଳିଗୁଡା ଠାରେ ରହିଛନ୍ତି ଜଣେ ବୃଦ୍ଧା ବୁଧବାରୀ। ବୟସ ପାଖା ପାଖି ୭୦। ନିଜର ବୋଲି କେହି ନାହାଁନ୍ତି। ବୁଧବାରୀ ଯୁବା ବୟସରେ କୁଷ୍ଠ ଭଳି ଦୂରାରୋଗରେ ପିଡିତ ହେବା ପରେ ଆଜୀବନ କୁମାରୀ ହେଇ ରହିଗଲା। ବାପା, ମାଁ, ଭାଇ ସମସ୍ତେ ଛାଡି ଚାଲିଯିବା ପରେ ଏବେ ସେ ନିସଃଙ୍ଗ, ଅଷ୍ପ୍ରୁଶ୍ୟ। ଜଣେ ସମ୍ପର୍କୀୟ ତାକୁ ଖାଇବା ଦେଇ ଆସୁଥିଲା। କିନ୍ତୁ କୁଷ୍ଠ ରୋଗର ପ୍ରଭାବ କାରଣରୁ ଏବେ ବୁଧବାରୀର ମୁଣ୍ଡ ରେ ପୋକ ସାଲୁବାଲୁ ହେଉଛନ୍ତି। କେହି ତାର ଯତ୍ନ ନେଇନଥିବାରୁ ଦିନକୁ ଦିନ ରୋଗ ଯନ୍ତ୍ରଣା ବଢିବାରେ ଲାଗିଛି। ଏଭଳି ସ୍ଥିତିରେ ଲୋକଙ୍କ ସମାଜରୁ ବାସନ୍ଦ ଭାୟରେ ସେହି ସମ୍ପର୍କୀୟ ଗତ ୯ ତାରିଖ ଦିନ ଗାଁ ମଶାଣୀ ନିକଟରେ ଜଣେ ଜୀବନ୍ତ ମଣିଷକୁ ଛାଡି ଦେଇ ପଳାଇ ଆସିଥିଲେ। ଏନେଇ ଗ୍ରାମର ଉପେନ୍ଦ୍ର ନାଏକ ନାମକ ଜଣେ ଯୁବକ ସୁଚନା ପାଇବା ପରେ ନିଜ ଘରେ ବୃଦ୍ଧାଙ୍କୁ ଆଶ୍ରୟ ଦେଇ ସେବା ଯତ୍ନ କରିବା ପାଇଁ ନେଇ ଆସୁଥିବା ବେଳେ ପୁଣି ସମ୍ପର୍କୀୟ ମାନେ ଅଟକାଇ ରଖିଥିଲେ। ଉପେନ୍ଦ୍ରଙ୍କ ସହଯୋଗରେ ଜନ ବସତି ନିକଟସ୍ଥ ଏକ ପଡିଆରେ ଛୋଟ ପଲିଥିନ କୁଡିଆରେ ବୃଦ୍ଧା ଜଣକ ରହି ଆସୁଛନ୍ତି। ବୃଦ୍ଧା ଜଣକ ଖାଦ୍ୟ ସୁରକ୍ଷା ଯୋଜନାର ହିତାଧିକାରୀ ହେବା ସହ ଭତା ମଧ୍ୟ ପାଉଛନ୍ତି। କିନ୍ତୁ ଜଣେ କୁଷ୍ଠ ରୋଗୀ ଭାବେ ସରକାରଙ୍କ ଯୋଜନାରୁ ବଂଚିତ। ଅନ୍ୟପଟେ ବୃଦ୍ଧାଙ୍କ କେହି ରକ୍ତଗତ ସମ୍ପର୍କୀୟ ନଥିବା ବେଳେ ସେ କେବଳ ପଡି ରହିଛନ୍ତି ପର ଆଶ୍ରାରେ।

ଥୁଆମୁଳ ରାମପୁର ଏକ ଆଦିବାସୀ ବହୁଳ ବ୍ଲକ। ଏହି ବ୍ଲକ ର ବିକାଶ ପାଇଁ, ଆଦିବାସୀଙ୍କ ଉନ୍ନତି ପାଇଁ ସରକାର ମାଳ ମାଲ ଯୋଜନା କରିଛନ୍ତି। ଏପରିକି ଅଂଚଳର ଶିକ୍ଷା ଓ ସ୍ୱାସ୍ଥ୍ୟ ର ବିକାଶ ପାଇଁ ବହୁ ସ୍ୱେଚ୍ଛାସେବୀ ଅନୁଷ୍ଠାନମାନ କାମ କରୁଛନ୍ତି। ଏପରିକି ଆନ୍ତର୍ଜାତୀୟ ସଂସ୍ଥା ସ୍ୱାସ୍ଥ୍ୟ ସ୍ୱରାଜ ଧୁଳିଗୁଡା ଠାରୁ ମାତ୍ର ୨ କିଲୋମିଟର ଦୂର କାଣିଗୁମା ଠାରେ ସ୍ୱାସ୍ଥ୍ୟ ସେବା ଯୋଗାଉଛି। କିନ୍ତୁ ପରିତାପର ବିଷୟ ଏହି ଅନୁଷ୍ଠାନର ଦୃଷ୍ଟି ରେ ଆସି ପାରିନାହିଁ ବୁଧବାରୀ। ବହୁ ଅନୁଷ୍ଟାନ କାମ କରୁଥିଲେ ମଧ୍ୟ ଲୋକଙ୍କ ମଧ୍ୟରେ ଥିବା ଅନ୍ଧ ବିଶ୍ୱାକୁ ଦୂର କରାଯାଇ ପାରୁନାହିଁ। ଯେଉଁଥିପାଇଁ ଜଣେ ଜୀବନ୍ତ ମଣିଷକୁ ମଶାଣୀରେ ରଖିବା ଭଳି ଘଟଣା ସାଧାରଣରେ ଆଲୋଡନ ସୃଷ୍ଟି କରୁଛି। ତେଣୁ ତୁରନ୍ତ ସ୍ୱାସ୍ଥ୍ୟ ବିଭାଗ ଓ ଜିଲ୍ଲା ପ୍ରଶାସନ ଏଥିପ୍ରତି ଗୁରୁତ୍ୱ ଦେବା ପାଇଁ ସାଧାରଣରେ ଦାବୀ ହେଉଛି।

Comments are closed.