ଥୁଆମୁଳ ରାମପୁର ମାଁ ମାଣିକେଶ୍ୱରୀ ଆଦିପୀଠ ମୁଖ୍ୟ ପୂଜକଙ୍କ ଦେହାନ୍ତ

କଲମପୁର: କଲମପୁର ଅଂଚଳର ସୁପରିଚିତ ଜ୍ୟୋତିଷ ଶାସ୍ତ୍ରୀ, ପୁରୋହିତ, ଅବସରପ୍ରାପ୍ତ ଶିକ୍ଷକ ତଥା ଥୁଆମୁଳ ରାମପୁର ମାଁ ମାଣିକେଶ୍ୱରୀଙ୍କ ମୁଖ୍ୟ ପୂଜକ ଅକ୍ଷୟ କୁମାର ରାୟଗୁରୁଙ୍କ ଗୁରୁବାର ବିଳମ୍ବିତ ରାତିରେ ପରଲୋକ ହେଇଯାଇଛି। ମୃତ୍ୟୁ ବେଳକୁ ଶ୍ରୀ ରାୟଗୁରୁଙ୍କୁ ୭୧ ବର୍ଷ ବୟସ ହେଇଥିଲା। ଗତ ୨୦୧୦ ମସିହାରେ ସେ ଶିକ୍ଷକ ଜୀବନରୁ ଅବସର ଗ୍ରହଣ କରିଥିଲେ। ଶ୍ରୀ ରାୟଗୁରୁ କଲମପୁର ନିର୍ମାଲ୍ୟକ୍ଷେତ୍ର ଶ୍ରୀ ଶ୍ରୀ ଜଗନ୍ନାଥ ମନ୍ଦିର ପରିଚାଳନା କମିଟିର ଜଣେ ଉପଦେଷ୍ଟା ସଭ୍ୟ ଭାବେ ନିୟୋଜିତ ଥିଲେ। କଲମପୁର ବେଲପଡା ସ୍ଥିତ ତାରିଣୀ ମନ୍ଦିରର ପ୍ରତିଷ୍ଠାତା ସଦସ୍ୟ ଏବଂ ଆଜୀବନ ସଦସ୍ୟ ତଥା ପୂଜକ ଭାବେ ନିୟୋଜିତ ଥିଲେ।

ଗୁରୁବାର ସଂଧ୍ୟାରେ ସେ ତାରିଣୀ ମନ୍ଦିର ପୂଜା ଅର୍ଚ୍ଚନା କରି ସୁସ୍ଥ ଅବସ୍ଥାରେ ଘରକୁ ଫେରି ବେଲପଡା ସ୍ଥିତ ବାସ ଭବନରେ ନିଜ ପରିବାର ସଦସ୍ୟଙ୍କ ସହ ବସିଥିବା ବେଳେ ହଠାତ୍‍ ଅସୁସ୍ଥ ହେଇ ପଡିଥିଲେ। ତୁରନ୍ତ କଲମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଯାଇଥିଲା। ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତ୍ୟୁ ଶଯ୍ୟା ନିକଟରେ ତପନ ଏବଂ ତାପସ ଦୁଇ ପୁଅଙ୍କ ସମେତ ଦୁଇ ବହୁ ଓ ପତ୍ନୀ ତଥା ପରିବାରର ଅନ୍ୟ ସଦସ୍ୟ ମାନେ ଉପସ୍ଥିତ ଥିଲେ। ଶ୍ରୀ ରାୟଗୁରୁ ପୁରୀ ମୁକ୍ତି ମଣ୍ଡପର ଜଣେ ସକ୍ରିୟ ସଦସ୍ୟ ଥିଲେ। ସ୍ୱର୍ଗତ ରାୟଗୁରୁଙ୍କ ପ୍ରଚେଷ୍ଟାରେ ବେଲପଡା ତାରିଣୀ ମନ୍ଦିର, ଗୁମାବାହାଲ ଭଣ୍ଡାର ଘରଣୀ ମନ୍ଦିର, ମଣ୍ଡଳ ଠାକୁରାଣୀ ମନ୍ଦିର, ବନ୍ଧକନା ଠାକୁରାଣୀ ମନ୍ଦିର ସମେତ ବହୁ ଠାକୁରାଣୀ ମନ୍ଦିର ପ୍ରତିଷ୍ଠା କରିଛନ୍ତି। ତାଙ୍କ ବିୟୋଗରେ ଉଭୟ କଲମପୁର ଏବଂ ଥୁଆମୁଳ ରାମପୁର ଅଂଚଳର ଅପୂରଣୀୟ କ୍ଷତି ଘଟିଛି। ତାଙ୍କ ଭଳି ଜଣେ ଉତମ ମାର୍ଗ ଦର୍ଶକ ପାଇବା ସମ୍ଭବ ନୁହେଁ। ତାଙ୍କର ଅବର୍ତମାନରେ ତାଙ୍କର ପରିବାରକୁ ମାଁ ମାଣିକେଶ୍ୱରୀ ସହିବାର ଅସୀମ ଶକ୍ତି ପ୍ରଦାନ କରନ୍ତୁ ବୋଲି ପୂର୍ବତନ ମନ୍ତ୍ରୀ ପୁଷ୍ପେନ୍ଦ୍ର ସିଂହଦେଓ ନିଜ ଶୋକ ବାର୍ତାରେ ପ୍ରକାଶ କରିଛନ୍ତି। ଥୁଆମୁଳ ରାମପୁର କଲମପୁର ଅଂଚଳ ପାଇଁ କ୍ଷତି ନୁହେଁ ଅପୁରଣୀୟ କ୍ଷତି। ତାଙ୍କର ସ୍ଥାନ ଏବେ ଶୂନ୍ୟ ସ୍ଥାନ ହେଇଗଲା ବୋଲି ପୂର୍ବତନ ପଶ୍ଚିମ ଓଡିଶା ବିକାଶ ପରିଷଦ ର ସଭ୍ୟ ମାଣିକ୍ୟ ଚନ୍ଦ୍ର ନାକେ ନିଜ ଶୋକ ବାର୍ତାରେ ପ୍ରକାଶ କରିଛନ୍ତି। ଆମେ ଆମର ଜଣେ ପରିବାରର ପରାମର୍ଶଦାତା, ଆମ ସମାଜର ମୁରବୀଙ୍କୁ ହରାଇଲୁ ତାଙ୍କ ଠାରୁ ଦିଗ୍‍ଦର୍ଶନ ପାଇବା ଏବେ ସ୍ୱପ୍ନ ପାଲଟିଯିବ। ତାଙ୍କ ପରିବାରକୁ ଏହି ଦୁଃଖଦ ଘଟଣା ସହିବାକୁ ଈଶ୍ୱର ଶକ୍ତି ପ୍ରଦାନ କରନ୍ତୁ ବୋଲି ରବୀନ୍ଦ୍ର ମିଶ୍ର ନିଜ ଶୋକବାର୍ତାରେ ପ୍ରକାଶ କରିଛନ୍ତି।

Comments are closed.