ଅଦିନିଆ ବର୍ଷାରେ ନଷ୍ଟ ହେଉଛି ଧାନ ଫସଲ, ଆଶା ଓ ଆଶଙ୍କାରେ ଚାଷୀ

କଲମପୁର : ଅଦିନିଆ ବର୍ଷା ଯୋଗୁ କଲମପୁର ବ୍ଲକରେ ପ୍ରାୟ ୩୦ ପ୍ରତିଶତ ଧାନ ଗଛ ନଷ୍ଟ ହୋଇଥିବା ସୂଚନା ମିଳିଛି। ବର୍ତ୍ତମାନ ଧାନ କେଣ୍ଡା ଗୁଡିକ ବାହାରୁ ଥିବା ବେଳେ ଅନେକ ଅମଳ କ୍ଷମ ହୋଇଛି। ଅନ୍ୟ ବର୍ଷ ଅପେକ୍ଷା ଚଳିତ ଖରିଫ ଋତୁରେ ଧାନ ଗଛ ଅନେକ ରୋଗ ପୋକ ଲାଗିଥିଲା। କୀଟନାଶକ ଔଷଧ ପ୍ରୟୋଗ ସହ ବହୁ ପରିମାଣର ରାସାୟନିକ ସାର ବ୍ୟବହାର କରି ଚାଷୀମାନେ ଖର୍ଚ୍ଚାନ୍ତ ହୋଇଛନ୍ତି। ଭଲ ଅମଳ ପାଇବାର ଆଶା ରଖିଥିଲେ ହେଁ ଶେଷ ବେଳକୁ ଚାଷୀ ମୁଣ୍ଡରେ ଚଡକ ପଡ଼ିଛି। ଅଦିନିଆ ବର୍ଷାରେ ଧାନ କ୍ଷେତରେ ପାଣି ଜମି ହୋଇ ରହିଛି।

 

ପାଣିରେ ବୁଡି ଯାଇଥିବା କେଣ୍ଡା ନଷ୍ଟ ହୋଇଯିବା ଆଶଙ୍କା ରହିଛି। ଧାନ କ୍ଷେତରୁ ଏବେ ସବୁ ପାଣି ନିଷ୍କାସିତ କରାଯାଉଛି। ଏହାସହ ପାଣିରେ ବୁଡି ଯାଇଥିବା ଧାନ ସବୁ ପଚିଯିବା ପରେ ବିପିଏଚ ପୋକ ବ୍ୟାପିବାର ଆଶଙ୍କାକୁ ଏଡ଼ାଇ ଦିଆ ଯାଇ ପାରିବ ନାହିଁ । କୃଷି ଅଧିକାରୀ ଏସବୁର କ୍ଷୟକ୍ଷତି ଆକଳନ କରି କ୍ଷତି ଅନୁସାରେ ସହାୟତା ଯୋଗାଇ ଦେବାକୁ ଚାଷୀ ମହଲରେ ଦାବି ହେଉଛି। ଏନେଇ ବ୍ଲକ କୃଷି ଅଧିକାରୀ ଅନନ୍ତ ଦାଶ କହିଛନ୍ତି ଯେ ଏ ପର୍ଯ୍ୟନ୍ତ ଆମ ପାଖରେ କୌଣସି ଲିଖିତ ଅଭିଯୋଗ ଆସିନାହିଁ, ଅଭିଯୋଗ ଆସିଲେ ଆମେ ରାଜସ୍ବ ବିଭାଗ ସହିତ ମିଶି କ୍ଷୟକ୍ଷତି ଆକଳନ କରିବୁ ଏବଂ ଏହାପରେ ସହାୟତା ପ୍ରଦାନ ପାଇଁ ଆବଶ୍ୟକ ପଦକ୍ଷେପ ନିଆଯିବ।

Comments are closed.