ଥୁଆମୂଳ ରାମପୁରରେ ସମ୍ପନ୍ନ ହେଲା ମାଁ ମାଣିକେଶ୍ଵରୀଙ୍କ ଛତରଯାତରା

କଲମପୂର: କଳାହାଣ୍ଡିର ଅଧିଷ୍ଠାତ୍ରୀ ଦେବୀ ମାଁ ମାଣିକେଶ୍ଵରୀ ଦେବୀଙ୍କ ଆଦିପୀଠ ଶକ୍ତିପୀଠ ଥୁଆମୂଳ ରାମପୁରରେ କୋଭିଡ୍ କଟକଣା ମଧ୍ୟରେ ଶାନ୍ତି ଶୃଙ୍ଖଳା ସହିତ ସମ୍ପନ୍ନ ହୋଇଯାଇଛି ପ୍ରସିଦ୍ଧ ଛତରଯାତରା। ମହାଷ୍ଟମୀ ପୂଜାର୍ଚ୍ଚନା ବିଧି ଅନୁସାରେ ମାଁ ମାଣିକେଶ୍ଵରୀ ଦେବୀଙ୍କ ମୁଖ୍ୟ ପୂଜକ ଅକ୍ଷୟ କୁମାର ରାୟଗୁରୁଙ୍କ ପ୍ରତ୍ୟକ୍ଷ ତତ୍ବାବଧାନରେ ଭୋର୍ ସକାଳୁ ମାଁଙ୍କ ଠାରେ ମଙ୍ଗଳ ଆଳତି ହୋଇଥିଲା। ଏହି ସମୟରେ ଭକ୍ତ ଓ ଶ୍ରଦ୍ଧାଳୁ କୋଭିଡ୍ କଟକଣାର ଶୃଙ୍ଖଳିତ ବ୍ୟବସ୍ଥା ମଧ୍ୟରେ ମାଁଙ୍କୁ ଦର୍ଶନ କରିଥିଲେ।ମାନସିକଧାରୀମାନେ ନିଜ ମାନସିକ ପୁରଣ ପାଇଁ ମାଁଙ୍କୁ ଜଣାଇଥିଲେ। ଏହାପରେ ସକାଳ ୧୦ ଘଣ୍ଟା ସମୟରେ ମାଁଙ୍କ ଠାରେ ନବାନ୍ନଲାଗି ହୋଇଥିଲା ଏବଂ ମାଁଙ୍କ ଠାରେ ଗୁପ୍ତ ପୂଜା ହୋଇଥିଲା ଯେଉଁଥି ପାଇଁ ମନ୍ଦିରର କବାଟ ପଡିଥିଲା।

ପରବର୍ତ୍ତୀ ରାତ୍ର ୧୨ଟା ପରେ ପୁଣି ମନ୍ଦିର କବାଟ ଖୋଲାଯାଇଥିଲା। ମାନସିକଧାରୀ ମାନେ ନିଜ ନିଜ ମାନସିକ ନିମିତ୍ତ ଆଣିଥିବା ବିଭିନ୍ନ ବଳି ମାଁଙ୍କୁ ଅର୍ପଣ କରିଥିଲେ। ଏହାପରେ ମହା ପଶୁବଳି ପଡିଥିଲା। ବାହୁକକୁ କାଳସୀ ଲାଗି ହେଲା ପରେ ସମସ୍ତ ଦେବାଦେବୀଙ୍କୁ ନିମନ୍ତ୍ରଣ ପାଇଁ ଖଣ୍ଡୁଆଳ ପୀଠକୁ ଯାଇଥିଲେ। ସେଠାରେ ବିଧି ଅନୁସାରେ ପୂଜା ଓ ବଳି ଦିଆଯିବା ପରେ ଫେରିଥିଲେ ଏବଂ ପରେ ମନ୍ଦିରରେ ପଞ୍ଚପୂଜା ହୋଇଥିଲା ଓ ପୁଣି ବାହୁକକୁ କାଳସୀ ଲାଗି ହୋଇଥିଲା। ପ୍ରାତଃ ସମୟରେ ଜେନାଖାଲ ଠାରେ ବିଭିନ୍ନ ପୂଜାର୍ଚ୍ଚନା ହୋଇଥିଲା। ଶେଷରେ ଜେନାବୋଦା ବଳି ପଡିବା ପରେ ସେଠାରେ ମାଁଙ୍କ ବିଜୟ ଛତର ଯାତରା ଆରମ୍ଭ ହୋଇ ମନ୍ଦିରକୁ ପ୍ରତ୍ୟାବର୍ତ୍ତନ କରିଥିଲେ। କୋଭିଡ୍ କଟକଣାକୁ ଧ୍ୟାନରେ ରଖି ପ୍ରତିବର୍ଷ ଭଳି ଦୂରଦୂରାନ୍ତରୁ ଆସୁଥିବା ବହୁ ଭକ୍ତ ଓ ଶ୍ରଦ୍ଧାଳୁ ମାଁଙ୍କ ଏହି ଛତର ଯାତରା ଦେଖିବାରୁ ବଞ୍ଚିତ ହେଇଥିଲେ। ତଥାପି ଆଖପାଖ ଅଞ୍ଚଳର ଅନେକ ଭକ୍ତ ଓ ଶ୍ରଦ୍ଧାଳୁ ଆସି ଏହି ଛତର ଯାତରା ଦେଖିବା ସହିତ ମାଁଙ୍କ ଦର୍ଶନର ସୁଯୋଗ ଲାଭ କରିପାରିଥିଲେ।

Comments are closed.