ନାହାନ୍ତି ଶିକ୍ଷକ କି କର୍ମଚାରୀ, ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ମଧ୍ୟରେ ଅସନ୍ତୋଷ

କଲମପୁର: କଲମପୁର ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ଆଜି +୨ରେ ଚଳିତ ବର୍ଷ ନାମ ଲେଖାଇ ଥିବା ଛାତ୍ରଛାତ୍ରୀ ଓ ଅଭିଭାବକମାନେ ଆବଶ୍ୟକ ଶିକ୍ଷକ ନିଯୁକ୍ତି ନଚେତ ସ୍କୁଲ ପରିତ୍ୟାଗ କରାଯିବାକୁ ସମୂହ ଦାବୀ କରିଛନ୍ତି। ଆବଶ୍ୟକ ପରିମାଣରେ ଶିକ୍ଷକ ନିଯୁକ୍ତି ୧୫ ଦିନ ମଧ୍ୟରେ ନଦେଲେ ଆଗକୁ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି। ଅଭିଯୋଗ ଅନୁସାରେ ଚଳିତ ବର୍ଷ ସ୍କୁଲ +୨କୁ ଉନ୍ନୀତ ହୋଇଛି। ଫଳରେ ଅନେକ ଦିନରୁ କରି ଆସୁଥିବା ଦାବୀ ପୂରଣ ହେବାରୁ ଅଞ୍ଚଳବାସୀ ଉତ୍ସାହିତ ହୋଇଥିଲେ। ଦଶମ ପରୀକ୍ଷା ଫଳାଫଳ ବାହାରିବା ପରେ ବିଳମ୍ବରେ +୨ କଲେଜ ଖୋଲିବା ଖବର ପାଇ ମଧ୍ୟ ଖୁସି ହୋଇ ସେହି ସ୍କୁଲରେ ୩୭ ଜଣ ନାମ ଲେଖାଇଛନ୍ତି। ସ୍କୁଲ ଶିକ୍ଷକମାନେ ଛାତ୍ରଛାତ୍ରୀ ଏବଂ ଅଭିଭାବକମାନଂକୁ ନିଜ ସ୍କୁଲରେ ନାମ ଲେଖାଇବାକୁ ପ୍ରବର୍ତ୍ତାଇ ଥିଲେ ଫଳରେ ଅନ୍ୟ କଲେଜଗୁଡିକରେ ନାମ ଲେଖାଇବାକୁ ଆବେଦନ କରିଥିଲେ ମଧ୍ୟ ନାମ ଲେଖାଇବାରୁ ସେଠାରୁ ନିବୃତ ରହିଥିଲେ।

ସ୍କୁଲ ନାମ ଲେଖା ସମାପ୍ତି ହେବା ପରେ ଏହି କିଛିଦିନ ହେଲା କେବଳ ଜଣେ ପିଜିଟି ଶିକ୍ଷକ ନିଯୁକ୍ତି ଖବର ଶୁଣି ଅଭିଭାବକ ମହଲରେ ତୀବ୍ର ଅସନ୍ତୋଷ ଏବଂ ଉତ୍ତେଜନା ବୃଦ୍ଧି ପାଇଛି। ୫ ଜଣ ଶିକ୍ଷକ ସ୍ଥାନରେ ଜଣେ ଶିକ୍ଷକ ନିଯୁକ୍ତିକୁ ନେଇ ବିଭାଗୀୟ କର୍ତୃପକ୍ଷଙ୍କ ଏଭଳି ପଦକ୍ଷେପକୁ ସାଧାରଣରେରେ ସମାଲୋଚନା କରାଯାଇଛି। ପ୍ରତ୍ୟେକ ସରକାରୀ ସ୍କୁଲର ଆଡ଼ମିସନ ପ୍ରକ୍ରିୟା ସମାପ୍ତି ହୋଇ ଯାଇଥିବା ବେଳେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନ୍ଧାରକୁ ଠେଲି ହେଇ ଯିବାକୁ ନେଇ ଅଭିଭାବକ ଚିନ୍ତାରେ ପଡ଼ି ଯାଇଛନ୍ତି। ଚଳିତ ବର୍ଷ ଖୋଲିଥିବା ଓଏଭିର ଅନ୍ୟ +୨ କଲେଜଗୁଡିକରେ ଅଧିକ ଶିକ୍ଷକ ନିଯୁକ୍ତି ଖବର ଜାଣି କଲମପୁର ପ୍ରତି ପ୍ରତ୍ୟେକ କ୍ଷେତ୍ରରେ ଏହି ସ୍କୁଲକୁ ଅଧିକାରୀମାନେ ବୈମାତୃକ ମନୋଭାବ ରଖି ଏଭଳି କରୁଥିବା ଅଭିଭାବକ ମତ ପ୍ରକାଶ କରିଛନ୍ତି। ଅନ୍ୟ ସ୍କୁଲଗୁଡିକ ଅପେକ୍ଷା ଏହି ସ୍କୁଲକୁ ଆଦୌ ଗୁରୁତ୍ୱ ଦିଆ ଯାଉନାହିଁ। ସ୍କୁଲ ପରିଚାଳିତ ହୋଇ ପାଞ୍ଚ ବର୍ଷ ବିତିଯାଇଥିଲେ ମଧ୍ୟ ସ୍କୁଲରେ ଆବଶ୍ୟକ ଶିକ୍ଷକ ଯୋଗାଇ ଦିଆଯାଇ ନାହିଁ। ଅଦ୍ୟାବଧି ଜଣେ ବି ମହିଳା ଶିକ୍ଷୟତ୍ରୀ କିମ୍ବା ମହିଳା ଷ୍ଟାଫ ନିୟୋଜିତ କରାଯାଇ ନାହିଁ। ଛାତ୍ରାବାସ ବି ନାହିଁ ଅନ୍ୟ ସ୍କୁଲ ଗୁଡିକରେ ଛାତ୍ରାବାସ ରହିଥିଲେ ମଧ୍ୟ ଏହି ସ୍କୁଲରେ ବର୍ତ୍ତମାନ ଛାତ୍ରାବାସ ପାଇଁ କାର୍ଯ୍ୟ ଆରମ୍ଭ ହୋଇଛି। ଏଭଳି ଅନେକ ଅବ୍ୟବସ୍ଥା ମଧ୍ୟରେ ଗତି କରୁଥିବା ଏହି ସ୍କୁଲ ପ୍ରତି ସ୍ଥାନୀୟ ବିଧାୟକ ଓ ଅନ୍ୟ ଜନପ୍ରତିନିଧି ଏବଂ ଅଧିକାରୀମାନଙ୍କ ବୈମାତୃକ ମନୋଭାବକୁ ଦାୟୀ କରାଯାଇଛି।

Comments are closed.