ହାତୀ ନଦୀରେ ଲୀନ ହେବକୁ ଯାଉଛି ବାଲିଛଡା ଗ୍ରାମ !

କଲମପୁର: ହାତୀ ନଦୀ ଏବେ ଦିନକୁ ଦିନ କାୟା ବିସ୍ତାର କରି କରାଳ ରୁପ ଦେଖାଉଛି। ଦିନକୁ ଦିନ ତାରି ଗର୍ଭରେ ଲୀନ ହେଉଛି ନଦୀ କୂଳିଆ ଉର୍ବର ଚାଷ ଜମି। କିଛି ଲୋକ ଜମି ହୀନ ହେଇ ସାରିଥିବା ବେଳେ ନଦୀର ଗତିପଥ ଜନ ବସତି ମୁହାଁ ହେଉଥିବାରୁ କିଛି ଲୋକ ବାସ ସ୍ଥାନ ହରାଇଥିବା ବେଳେ ଆହୁରି କିଛି ଲୋକ ଆଗାମୀ ଦିନରେ ବାସ ସ୍ଥାନ ହରାଇବାର ଆଶଙ୍କା କରାଯାଉଛି। ଇନ୍ଦ୍ରାବତୀ ଜଳ ବିଦ୍ୟୁତ୍‍ ପ୍ରକଳ୍ପ କାର୍ଯ୍ୟକାରୀ ହେବା ପୂର୍ବରୁ ହାତୀ ନଦୀ କେବଳ ଛୋଟ ନାଳ ସଦୃଶ ଥିଲା। ବର୍ଷା ଚାରି ମାସ କେବଳ ନଦୀରେ ପାଣି ପ୍ରବାହିତ ହେଉଥିଲା। କିନ୍ତୁ ଇନ୍ଦ୍ରାବତି ଜଳ ବିଦ୍ୟୁତ୍‍ ପ୍ରକଳ୍ପ କାର୍ଯ୍ୟକାରୀ ହେବା ପରେ ଏବେ ହାତୀ ନଦୀ ପାଲଟିଛି ଚୀର ସ୍ରୋତା। ଚୀର ସ୍ରୋତା ହେବା ପରେ ଏବେ ହାତୀ ନଦୀ ତାର କରାଳ ରୁପ ଦେଖାଉଛି। ବର୍ଷ ତମାମ ପାଣି ପ୍ରବାହିତ ହେବା ଦ୍ୱାରା ନଦୀ କୂଳ ମାଟି ଓଦା ହୋଇ ରହୁଥିବାରୁ ବର୍ଷା ଦିନେ ନଦୀରେ ବନ୍ୟା ପାଣି ପ୍ରବାହିତ ହେଇ କୁଳମାଟି ଧୋଇ ହେଇ ଯାଉଚି। ଯାହାରି ଫଳରେ ନଦୀ କୂଳରେ ଥିବା ବହୁ ଚାଷ ଜମି ନଦୀରେ ଲୀନ ହେଇ ସାରିଥିବା ବେଳେ ଏବେ ନଦୀ ଜନ ବସତି ମୂହାଁ ହେଉଛି।
ହାତୀ ନଦୀରେ ବନ୍ୟା ଆସିଲେ କଳାହାଣ୍ଡିରେ ଚର୍ଚ୍ଚିତ ହୁଏ ବାଲିଛଡା। ଗାଁ ର ଅନେକ ଘର ନଦୀରେ ଲୀନ ହେଇସାରିଛି। ଯାହାରି ଫଳରେ ବାଲିଛଡାର ୨୦ ପରିବାର ର ଘର ନଦୀରେ ଲୀନ ହେଇ ସାରିଥିବା ବେଳେ ବିସ୍ଥାପିତ ପରିବାର ଏବେ ଇଛାପୁର କଲୋନୀ ବାସିନ୍ଦା। ଏବେ ମଧ୍ୟ ଅନେକ ଘର ନଦୀରେ ଲୀନ ହେବାର ଆଶଙ୍କା କରାଯାଉଛି। ତେଣୁ ବର୍ଷା ଆସିବାର ସୁଚନା ପାଇଲେ ଆତଙ୍କିତ ହୁଅନ୍ତି ବାଲିଛଡା ଗ୍ରାମବାସୀ। ଏହି ଗାଁର ସୁରକ୍ଷା ପାଇଁ ବାରମ୍ବାର ଦାବି କରୁଥିଲେ ମଧ୍ୟ କଳାହାଣ୍ଡି ଜଳ ସେଚନ ବିଭାଗ ତରଫରୁ ଠିକାଦର ପୋଷାନିତି ସ୍ୱରୁପ ପଥର ସ୍ପର ନିର୍ମାଣ କରାଯାଉଛି। ୨୦୦୪ ମସିହାରେ ବିଭାଗ ତରଫରୁ ନଦୀ କୂଳର ସୁରକ୍ଷା ପାଇଁ ପଥର ବନ୍ଧ ନିର୍ମାଣ କରିବା ପରିବର୍ତେ ସ୍ପର ନିର୍ମାଣ କରାଯାଇଥିଲା। ଯାହା ପାଣିକୁ ପ୍ରତିରୋଧ କରିଥିଲେ ମଧ୍ୟ ଜନ ବସତି ଆଡକୁ ବନ୍ୟା ପାଣିକୁ ପିଟିଥିଲା। ପୂର୍ବରୁ ନଦୀର ସ୍ରୋତ ସ୍ତାନରୁ ଇନ୍ଦାରବତି ଜଳ ପ୍ରକଳ୍ପ କାର୍ଯ୍ୟକାରୀ ହେବା ୨୦ ବର୍ଷ ମଧ୍ୟରୁ ପ୍ରାୟ ୫୦ ମିଟର କୂଳ ଖାଇ ସାରିଛି। ଯାହା ଚିନ୍ତାଜନକ ବିଷୟ। ଏଭଳି ଯଦି ଲାଗି ରହେ ତେବେ ଆଗାମୀ ୨୦ ବର୍ଷରେ ବାଲିଛଡା ଗ୍ରାମ ସମ୍ପୂର୍ଣ୍ଣ ଭାବେ ହାତୀ ନଦୀରେ ଲୀନ ହେବ। ଏହାସହ ଜନ ଜୀବନ ପ୍ରଭାବିତ ହେବ। ଲୋକେ ବାସ ହରା ଓ ଜମି ହରା ହେବାର ଆଶଙ୍କାକୁ ଏଡାଇ ଦିଆଯାଇନପାରେ।

Comments are closed.