MEllora 950×100

ଖଣ୍ଡିଡଙ୍ଗରୀଗୁଡା ହାତୀ ନଦୀ ବାଲି ଘାଟ ସମସ୍ୟାର ସମାଧାନ ପାଇଁ ଗ୍ରାମବାସୀ ଓ ତହସିଲଦାରଙ୍କ ମଧ୍ୟରେ ଆଲୋଚନା

କଲମପୁର: କଲମପୁର ବ୍ଲକ ମଧ୍ୟ ଦେଇ ପ୍ରବାହିତ ହାତୀ ନଦୀ ବାଲି ଚୋରା ଚାଲାଣକାରୀଙ୍କ ପାଇଁ ଭୂସ୍ୱର୍ଗ ପାଲଟିଛି । ରିତିମତ ବାଲି ଚୋରାଚାଲାଣ ହେବା ଦ୍ୱାରା ସରକାର କୋଟି କୋଟି ଟଙ୍କାର ରାଜସ୍ୱ ହରାଉଛନ୍ତି । ତେଣୁ କଲମପୁର ତହସିଲ କାର୍ଯ୍ୟାଳୟ ତରଫରୁ ହାତୀ ନଦୀର ବିଭିନ୍ନ ବାଲି ସୌରାତ ଘୋଷଣା ହେଲା । ସେଥିମଧ୍ୟରୁ ଖଣ୍ଡିଡଙ୍ଗରୀଗୁଡା ବାଲି ଘାଟ ଅନ୍ୟତମ । ଖଣ୍ଡିଡଙ୍ଗରୀଗୁଡା ସୌରାତ ଘୋଷଣା ହେଲା । ଏହି ଘୋଷଣା ମୁତାବକ ନିଲାମ ପ୍ରକାଶିତ ହେଲା । ନିଲାମଧାରୀ ନିଲାମ ନେଲେ । ପରିବେଶ ମଞ୍ଜୁରୀ ମିଳିଲା । କିନ୍ତୁ ପରିତାପର ବିଷୟ ବାଲି ଉତ୍ତୋଳନ ବେଳେ ପ୍ରତିବନ୍ଧକ ସୃଷ୍ଟି ହେଲା ।

ଗ୍ରାମବାସୀଙ୍କ  ଅଭିଯୋଗ ଇନ୍ଦ୍ରାବତୀ ଜଳ ବିଦ୍ୟୁତ୍‌ ପ୍ରକଳ୍ପ ପାଇଁ ହାତୀ ନଦୀ ଚିରସ୍ରୋତା । ରୀତିମତ ପାଣି ପ୍ରବାହିତ ହେବା ଦ୍ୱାରା ନଦୀକୂଳ ମାଟି ଓଦା ହୋଇରହୁଛି । ବାଲି ଉତ୍ତୋଳନ କରାଗଲେ ବନ୍ୟା ପାଣି ଦ୍ୱାରା ନଦୀ କୂଳରେ ଥିବା ମାଟି ଖାଇଯିବା ସହ ନଦୀକୂଳରେ ଥିବା ଗ୍ରାମ ଜଙ୍ଗଲ ପ୍ରଭାବିତ ହେବ । ବନ୍ୟା ପାଣିର ପ୍ରଭାବରେ ନଦୀକୂଳ ଖାଇଯିବା ଦ୍ୱାରା ପ୍ରଭାବିତ ହେବ ନଦୀ କୂଳରେ ଥିବା ଅଙ୍ଗନୱାଡି କେନ୍ଦ୍ର କୋଠା, ବିଦ୍ୟାଳୟ କୋଠା ସମେତ ପାନୀୟ ଜଳ ପ୍ରକଳ୍ପ ଭଳି ସରକାରୀ ସମ୍ପତି । ପୁଣି ପ୍ରଭାବିତ ହେବ ଗ୍ରାମର ଖେଳପଡିଆ । ଏହାସହ ନଦୀ କୂଳରେ ଥିବା ୭୦ ଆଦିବାସୀ ପରିବାର ନିଜନିଜ ଭିଟା ମାଟି ହରାଇବାର ଆଶଙ୍କା କରିଛନ୍ତି । ଜନ ଜୀବନ ଓ ସେମାନଙ୍କ ଭୂ ସମ୍ପତ୍ତି ପାଇଁ ବିପଦ ସୃଷ୍ଟି ହେବ । ତେଣୁ ଗ୍ରାମବାସୀ ବାଲି ଉତ୍ତୋଳନ ପାଇଁ ବାରଣ କଲେ । ଏବଂ ବାଲି ନିଲାମ ପ୍ରତ୍ୟାହାର କରିବା ପାଇଁ ତହସିଲଦାରଙ୍କ ଠାରୁ ଉପଜିଲ୍ଲାପାଳ ଏବଂ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଇଥିଲେ ଖଣ୍ଡି ଡଙ୍ଗରୀଗୁଡା ଗ୍ରାମବାସୀ ।

ଖଣ୍ଡିଡଙ୍ଗରୀଗୁଡା ହାତୀ ନଦୀ ଘାଟରୁ ରିତିମତ ବାଲି ଚୋରାଚାଲାଣ ହେଉଥିଲା । ଯେଉଁଥିପାଇଁ ତତ୍କାଳୀନ ତହସିଲଦାର ଏହାକୁ ବାଲି ସୌରାତ ଘୋଷଣା କରିଥିଲେ । ନିଲାମଧାରୀ ନିଲାମ ନେବାର ଦୀର୍ଘ ଦିନ ବିତି ସାରିଥିଲେ ମଧ୍ୟ ବାଲି ଉତ୍ତୋଳନ କରିବାର ବଂଚିତ । ତେଣୁ ଏନେଇ ବାରମ୍ବାର ତହସିଲଦାରଙ୍କୁ ଜଣାଇବା ପରେ ସୋମବାର କଲମପୁର ତହସିଲଦାର ରୁଦ୍ରମୋହନ ନାୟକ ମଣ୍ଡଳ ରାଜସ୍ୱ ନିରୀକ୍ଷକ, ରାଜସ୍ୱ ପରିଦର୍ଶକ, ତହସିଲ କାର୍ଯ୍ୟାଳୟର ବିଭାଗୀୟ ଅଧିକାରୀ  ଓ ଆୟ କର୍ମଚାରୀ ମାନେ ଖଣ୍ଡିଡଙ୍ଗରୀଗୁଡା ଗ୍ରାମରେ ପହଂଚି ଗ୍ରାମବାସୀଙ୍କ ସହ ଆଲୋଚନା କରିଥିଲେ । ଏହାସହ ବାଲିଖାଦାନ ପରିଦର୍ଶନ କରିଥିଲେ । ପ୍ରଭାବିତ ହେବାର ଆଶଙ୍କା ଥିବା ସରକାରୀ ପ୍ରକଳ୍ପ ପରିଦର୍ଶନ କରିଥିଲେ ।  ଅନ୍ୟପଟେ ଯେତେବେଳେ ବାଲି ଘାଟରୁ ରିତିମତ ବାଲି ଚୋରାଚାଲାଣ ହେଉଥିଲା ସରକାର ରାଜସ୍ୱ ହରାଉଥିଲେ । ଗ୍ରାମବାସୀ ଚୋରାଚାଲାଣକୁ ରୋକିନଥିଲେ ଅଥବା ବାଲି ଖନନକୁ ବାରଣ କରିନଥିଲେ । ବାଲି ସୌରାତ ଘୋଷଣା ନିଲାମ ପରେ ଏଭଳି ପ୍ରତିବାଦ ଅଭିସନ୍ଧି ମୂଳକ ବୋଲି ସାଧାରଣରେ ଆଲୋଚନା ହେଉଛି । ଅନ୍ୟପଟେ ଭୌଗଳିକ ଦୃଷ୍ଟିକୋଣରୁ ବିଚାର କରାଗଲେ ନଦୀର ଅପରପାର୍ଶ୍ବ ତଳୁଆ ରହିଥିବା ବେଳେ ଖଣ୍ଡିଡଙ୍ଗରୀଗୁଡା ଉଚ୍ଚ ଭୂମିରେ ରହିଛି ।

Comments are closed.