ଦବିଲା ଟେମରା ହାତୀ ନଦୀରେ ନିର୍ମାଣଧିନ ପୋଲ

କଲମପୁର: ହାତୀ ନଦୀ ଟେମରା ଘାଟ ଠାରେ ବିଭାଗୀୟ ଅବହେଳା କାରଣରୁ ନିର୍ମାଣଧିନ ପୋଲର ଏକ ସ୍ଲାବ ଦବିଯିବା ଘଟଣା ସାଧାରଣରେ ପୋଲର ସ୍ଥାୟିତ୍ୱ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏହି ପୋଲ ନିର୍ମାଣ ପାଇଁ ପ୍ରାୟ ୮ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଥିଲା। ପୋଲ ନିର୍ମାଣର ଅବଧି ଶେଷ ହେଇ ସାରିଥିଲେ ମଧ୍ୟ ପୋଲ ନିର୍ମାଣ ଶେଷ ହେଇ ପାରି ନାହିଁ। ଏହି ପୋଲ ନିର୍ମାଣ ଦ୍ୱାରା କଲମପୁର ବ୍ଲକର ବନ୍ଧକନା ସମେତ ହରାମାଲ ପଂଚାୟତ ଲୋକ ଜୟପାଟଣା ବ୍ଲକ ଓ କେକେସରା ବ୍ଲକ ସହ ସିଧା ସଳଖ ଯୋଗାଯୋଗର ସୁବିଧା ପାଇ ପାରିବେ। କିନ୍ତୁ ପ୍ରଥମ ନିଦରୁ ସପନ ଭଳି ନିର୍ମାଣଧିନ ପୋଲର ଏକ ସ୍ଲାବ ଦବିଯିବା ପୋଲ ନିର୍ମାଣର ମାନ ନେଇ ମଧ୍ୟ ସନ୍ଦେହ ସୃଷ୍ଟି ହେଉଛି।

ଖୋଦ ଧର୍ମଗଡ଼ ବିଧାୟକ ମୌଷଧି ବାଗ ଘଟଣା ସ୍ଥଳର ପହଂଚି ଦବିଯାଇଥିବା ସ୍ଲାବ ଦେଖି ପୋଲ ର ସ୍ଥାଇତ୍ୱ ନେଇ ଆଶଙ୍କା ବ୍ୟକ୍ତ କରିଥିଲେ। ଉକ୍ତ ଦବିଯାଇଥିବା ସ୍ପାନକୁ ଏକ ଜ୍ୟାକ ଦେଇ ଉଠାଇ ମରାମତି କରିବା ପାଇଁ ପ୍ରୟାସ କରାଯାଉଥିବା ଘଟଣାକୁ ଟେମରା ଗ୍ରାମବାସୀ ବିରୋଧ କରିଛନ୍ତି। ସମ୍ପୂର୍ଣ୍ଣ ଭାବେ ଉକ୍ତ ସ୍ପାନକୁ ଭାଙ୍ଗି ପୁନଃ ନୁତନ ସ୍ପାନ ନିର୍ମାଣ ପାଇଁ ଦାବି କରିଛନ୍ତି ଗ୍ରାମବାସୀ। ଏନେଇ ପୋଲ ନିର୍ମାଣ ଦାଇତ୍ୱରେ ଥିବା ଧର୍ମଗଡ଼ ଗ୍ରାମ ଉନ୍ନୟନ ବିଭାଜନ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ସର୍ବେନ୍ଦୁ ସୁତାରଙ୍କ ସହ ଯୋଗାଯୋଗ କରାଯାଇଥିଲା। ସେ ନିର୍ମାଣଧିନ ପୋଲର ଏକ ସ୍ପାନ ଦବିଯାଇଥିବା ସ୍ୱୀକାର କରିଛନ୍ତି। ତୁରନ୍ତ ଏହାର ସମାଧାନ ପାଇଁ ଉକ୍ତ ସ୍ପାନକୁ ଭାଙ୍ଗି ନୁତନ ଭାବେ ନିର୍ମାଣ କରାଯିବ ବୋଲି ସୁଚନା ଦେଇଛନ୍ତି।

Comments are closed.